ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟିର ବନ୍ଦନା, ମାଆର ବନ୍ଦନା ଓ ଉତ୍କଳ ଜନନୀର ବନ୍ଦନା। ଇଏ ହେଉଛି ‘ବନ୍ଦେ ଉତ୍କଳ ଜନନୀ’। ବିଧାନସଭା ହେଉ କି ରାଜ୍ୟ ଉତ୍ସବ ସବୁଠି ଆଗେ ଏଇ ବନ୍ଦନା ଗାନ ହେଉଛି। ହେଲେ ଦୁର୍ଭାଗ୍ୟର ବିଷୟ ପ୍ରତିଟି ଓଡ଼ିଆର ଧମନୀରେ ପ୍ରବାହିତ ଏହି ସଂଗୀତ କିନ୍ତୁ ଆଜି ଯାଏଁ ପାଇନି ରାଜ୍ୟ ସଂଗୀତର ମାନ୍ୟତା। ଏନେଇ ରାଜ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଜଣାଶୁଣା ବିଜେଡି ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂ ‘ବନ୍ଦେ ଉତ୍କଳ ଜନନୀ’ରେ ଥିବା ‘ଉତ୍କଳ’ ଶବ୍ଦକୁ ନେଇ କେଁ ପୂରାଇଥିଲେ। ଗୀତରେ ‘ଉତ୍କଳ’ ବଦଳରେ ‘ଓଡ଼ିଶା’ କରିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଯୁକ୍ତି ବାଢ଼ିଥିଲେ। ସୁଶାନ୍ତଙ୍କ ଏହି ମନ୍ତବ୍ୟ ସପକ୍ଷରେ ବାହାରିଛନ୍ତି ପଶ୍ଚିମ ଓଡ଼ିଶାର କେତେକ ସଂଗଠନର ନେତା। ଆଜି ବିଭିନ୍ନ ସ୍ଥାନରେ ଧାରଣା ଦେବା ସହ ମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’କୁ ପ୍ରାଦେଶିକ ସଂଗୀତ ମାନ୍ୟତା ଦିଆନଯାଉ ବୋଲି ଦାବି କରିଛନ୍ତି।

(image)

‘ବନ୍ଦେ ଉତ୍କଳ’ ବନାମ ‘ବନ୍ଦେ ଓଡ଼ିଶା’। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ମନ୍ତବ୍ୟ ପରଠୁଁ ଜୋର ଧରୁଛି ଆନ୍ଦୋଳନ। ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ‘ଉତ୍କଳ’ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହାର ପାଇଁ ମନ୍ତ୍ରୀଙ୍କ ମନ୍ତବ୍ୟ ଯଥାର୍ଥ ବୋଲି ଦାବି କରିଛନ୍ତି। ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପ୍ରଚେଷ୍ଟା ବନ୍ଦ କରାଯାଉ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ସମିତି। ସମାନ ପ୍ରସଙ୍ଗରେ ରାଜଧାନୀରେ ଗର୍ଜିଛି ପଶ୍ଚିମ ଓଡ଼ିଶା ଯୁବ ମୋର୍ଚ୍ଚା। କିଛି ସଂକୀର୍ଣ୍ଣମନା ରାଜନେତା ଓ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ବେଳେ ‘ବନ୍ଦେ ଉତ୍କଳ ଜନନୀ’କୁ ପ୍ରାଦେଶିକ ସଂଗୀତ ମାନ୍ୟତା ପାଇଁ କରାଯାଉଥିବା ଚକ୍ରାନ୍ତ କଦାପି ଗ୍ରହଣୀୟ ନୁହେଁ ବୋଲି ମୋର୍ଚ୍ଚାର ସଦସ୍ୟ କହିଛନ୍ତି।

(image)  ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଉପୁଜିଥିବା ଏଭଳି ବାଦବିବାଦ ପରେ ଆଜି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଗବେଷକ ଓ ବରିଷ୍ଠ ସାହିତ୍ୟିକ। ଓଡ଼ିଶାର ପ୍ରତିଶଦ୍ଦ ହେଉଛି ଉତ୍କଳ। ତେଣୁ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ଗବେଷକମାନେ ମତ ରଖିଥିବା ବେଳେ ଭାଷାବିତ ଓ ବରିଷ୍ଠ ସାହିତ୍ୟିକ କହିଛନ୍ତି ଏହି ଗୀତର ଲେଖକଙ୍କ ଭାଷା ପ୍ରୟୋଗଶୈଳୀକୁ ସମ୍ମାନ ଜଣାଇବା କଥା। ଏହାକୁ ଅଯଥା ବିବାଦୀୟ କରାନଯାଉ। ଜାତୀୟ ସଂଗୀତରେ ବର୍ତ୍ତମାନ ବି ‘ଉତ୍କଳ’ ଶବ୍ଦ ଥିବାବେଳେ ‘ବନ୍ଦେ ଉତ୍କଳ ଜନନୀ’ରେ ‘ଓଡ଼ିଶା’ ଶବ୍ଦର ବ୍ୟବହାର ଅନାବଶ୍ୟକ ବୋଲି ସେମାନେ ମତ ରଖିଛନ୍ତି।

ଗବେଷକ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି,“ସମଗ୍ର ଓଡ଼ିଶା ପ୍ରଦେଶକୁ ଏକତ୍ର କରିବା ପାଇଁ ଏହି ସଂଗୀତକୁ ଗାନ କରାଯାଇଥିଲା। ସେତେବେଳେ ଉତ୍କଳ ଶବ୍ଦ ବ୍ୟବହାର କରାଯାଇଥିଲା। ସେଥିପାଇଁ ଆଜି ଆମେ ଓଡ଼ିଶା, ଉତ୍କଳ ଓ କଳିଙ୍ଗକୁ ଗୋଟିଏ ଶବ୍ଦ ବୋଲି ମାନୁଛୁ।”

ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି,“ଯେଉଁ ଶବ୍ଦଟି ସେହି ସୟମରେ ଜଣାଶୁଣା ଥିଲା ସେହି ନାଁକୁ ନେଇ ଲେଖିଥିଲେ ‘ବନ୍ଦେ ଉତ୍କଳ ଜନନୀ’। ଏଥିରେ କବିଙ୍କ ହୃଦୟର ଭାବ ଯୋଡ଼ି ହୋଇଯାଇଛି। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି ହେବାର ନାହିଁ।”

ସାହିତ୍ୟିକ ବିଭୁତି ପଟ୍ଟନାୟକ କହିଛନ୍ତି,“ଆମର ଜାତୀୟ ସଂଗୀତରେ ସିନ୍ଧୁ ଓ ଉତ୍କଳ ପ୍ରଦେଶ ନାଁ ରହିଛି। ବନ୍ଦେ ଉତ୍କଳ ଜନନୀ ଜୀବିତ ନଥିବା ବେଳେ ତାଙ୍କ କବିତାର ସଂଶୋଧନର ଅଧିକାର କାହା ପାଖରେ ନାହିଁ।”

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ ‘ବନ୍ଦେ ଉତ୍କଳ ଜନନୀ’କୁ ପ୍ରାଦେଶିକ ସଂଗୀତର ମାନ୍ୟତା ଦେବା ଲାଗି ଦାବି ଜୋର ଧରିଥିବା ବେଳେ ଏହାକୁ ଏଡେଇ ଦେବା ଲାଗି ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ଆଳ କରାଯାଉନାହିଁ ତ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

https://youtu.be/iRVV-NZts_4

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।