ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି କରାଇଦେବାକୁ କହି ବେଙ୍ଗାଲୁରୁରେ ଠକାଇ କରି ଓଡ଼ିଶାରେ ଆତ୍ମଗୋପନ କରିଥିଲେ ତିନି ଅଭିଯୁକ୍ତ। ଆଜି ସେମାନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ୍। ୨୦ ଲକ୍ଷ ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ୍। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସହାୟତାରେ ବେଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଥିବା ବେଳେ ଜଣେ ମହାରାଷ୍ଟ୍ର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି।
୨୦୧୮ ମସିହାରେ ହୋଇଥିଲା ଏହି ଠକେଇ। ସଫ୍ଟୱେର କମ୍ପାନୀରେ ଚାକିରି କରାଇ ଦେବାକୁ କହି ତିନି ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ। ଏମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଥିଲା। ମାତ୍ର ଠକମାନେ ବାରମ୍ୱାର ଠିକଣା ପରିବର୍ତ୍ତନ କରୁଥିବାରୁ ସେମାନଙ୍କୁ ପୁଲିସ ଗିରଫ କରିପାରୁନଥିଲା।
ତେବେ ତିନି ଅଭିଯୁକ୍ତ ଭୁବନେଶ୍ୱରରେ ଥିବା ଜାଣିବାକୁ ପାଇଥିଲା ବାଙ୍ଗାଲୁରୁ ପୁଲିସ୍। ଏହା ପରେ କମିଶନରେଟ୍ ପୁଲିସ୍ର ସହାୟତା ନେଇଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ବେଙ୍ଗାଲୁରୁ ପୁଲିସକୁ ହସ୍ତାନ୍ତର କରିଛି। ବେଙ୍ଗାଲୁରୁ ପୁଲିସ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।