ଇନ୍ଦିରାଆବାସ ନିର୍ମାଣରେ ମହା ଦୁର୍ନୀତି!

ବାରିପଦା(ଓଡ଼ିଶା ରିପୋର୍ଟର): ଇନ୍ଦିରାଆବସ ଗୃହ ନିର୍ମାଣ ଅନିୟମିତତା ହୋଇଛି। କେଉଁଠି ପ୍ରଥମ କିସ୍ତିର ଟଙ୍କା ଦେଇ ବାକି ଟଙ୍କା ହରିଲୁଟ୍‌ କରାଯାଇଛି ତ ଆଉ କେଉଁଠି ପ୍ରକୃତ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଞ୍ଚଳରୁ। ଏନେଇ ସୂଚନା ଅଧିକାର ଆଇନ୍‌ ବଳରେ ଜଣାପଡ଼ିବା ପରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷପ୍ରକାଶ ପାଉଛି। କପ୍ତିପଦା ବ୍ଲକର ମହିଷାସୁରୀ ଗାଁର ମାନୀ ମାଝିଙ୍କ ମୁଣ୍ଡ ଉପରେ ଛାତ ନଥିଲା। ସେଥିପାଇଁ ତାଙ୍କୁ ୨୦୧୪-୧୫ […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 10:53 PM IST

ବାରିପଦା(ଓଡ଼ିଶା ରିପୋର୍ଟର): ଇନ୍ଦିରାଆବସ ଗୃହ ନିର୍ମାଣ ଅନିୟମିତତା ହୋଇଛି। କେଉଁଠି ପ୍ରଥମ କିସ୍ତିର ଟଙ୍କା ଦେଇ ବାକି ଟଙ୍କା ହରିଲୁଟ୍‌ କରାଯାଇଛି ତ ଆଉ କେଉଁଠି ପ୍ରକୃତ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଞ୍ଚଳରୁ। ଏନେଇ ସୂଚନା ଅଧିକାର ଆଇନ୍‌ ବଳରେ ଜଣାପଡ଼ିବା ପରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷପ୍ରକାଶ ପାଉଛି।

କପ୍ତିପଦା ବ୍ଲକର ମହିଷାସୁରୀ ଗାଁର ମାନୀ ମାଝିଙ୍କ ମୁଣ୍ଡ ଉପରେ ଛାତ ନଥିଲା। ସେଥିପାଇଁ ତାଙ୍କୁ ୨୦୧୪-୧୫ ଆର୍ଥିକ ବର୍ଷରେ ଏକ ଇନ୍ଦିରା ଆବାସ ମିଳିଥିଲା। ଏଥିପାଇଁ ମାନୀ ପ୍ରଥମ କିସ୍ତିରେ ୧୫,୦୦୦ ଟଙ୍କା ପାଇଥିଲେ। ମାତ୍ର ପରେ ଆଉ ଟଙ୍କା ଉଠାଇ ନାହାନ୍ତି। ମାତ୍ର କାଗଜପତ୍ରରେ ଘର ସଂପୂର୍ଣ୍ଣ ହୋଇଥିବା ଦର୍ଶାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି।

ମାନୀ ମାଝୀ କହିଛନ୍ତି-“ଘର ତିଆରି କରିବା ପାଇଁ ପ୍ରଥମ କିସ୍ତିରେ ମିଳିଥିଲା ୧୫,୦୦୦ ଟଙ୍କା। ସେହି ଅର୍ଥରେ ଘର ତିଆରି ଆରମ୍ଭ କରିଥିଲି। ପରେ ଆଉ କୌଣସି ପାଇସା ପାଇନାହିଁ।”

ମାନୀଙ୍କ ଭଳି ସୂର୍ଯ୍ୟ ମୁର୍ମୁଙ୍କ କାହାଣୀ ମଧ୍ୟ ସମାନ। ସେ ପ୍ରଥମ ପର୍ଯ୍ୟାୟରେ ୧୫,୦୦୦ ଟଙ୍କା ଉଠାଇ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ପାଇନାହାନ୍ତି। ତେବେ କାଗଜପତ୍ରରେ ଘର ସମ୍ପୂର୍ଣ୍ଣ କରାଯାଇଥିବା ଦର୍ଶଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ପ୍ରକୃତରେ ସୂର୍ଯ୍ୟଙ୍କର ଘର କାମ ସମ୍ପୂର୍ଣ୍ଣ ହୋଇନାହିଁ। ସେ ଏବେ ମଧ୍ୟ ସେହି ଭଙ୍ଗା ଦଦରା ଘରେ କାଳାତିପାତ କରୁଛନ୍ତି।

ସୂର୍ଯ୍ୟ ମାଝି କହିଛନ୍ତି-“ଘର ତିଆରି କରିବା ପାଇଁ ପ୍ରଥମ କିସ୍ତିରେ ୧୫,୦୦୦ ଟଙ୍କା ମିଳିଥିଲା। ସେହି ଅର୍ଥ ଘର ତିଆରି ଆରମ୍ଭ କରିଥିଲି। ପରେ ବକେୟା ଅର୍ଥ ପାଇଁ ଯାଇଥିଲି। ମାତ୍ର ପଇସା ନାହିଁ କହି ମୋତେ ଫେରାଇ ଦେଲେ। ସେଥିପାଇଁ ଘର ସମ୍ପୂର୍ଣ୍ଣ ହୋଇପାରୁ ନାହିଁ।”

ଆଉ ଜଣେ ହିତାଧିକାରୀ ଭରତ ନାଏକ କହିଛନ୍ତି-“ଇନ୍ଦିରା ଆବାସ ପାଇଁ ଆବେଦନ କରିବାକୁ ଯାଇଥିଲୁ। ସେଠାରେ ଜାଣିବାକୁ ପାଇଲି ମୋ ବାପାଙ୍କ ନାଁରେ ଘର ନିର୍ମାଣ ସରିଛି। ତେବେ କିଏ ଓ କେମିତି ମୋ ବାପାଙ୍କ ନାଁରେ ଘର କଲେ ଜାଣିପାରୁ ନାହିଁ।”

କପ୍ତିପଦା ଉପଜିଲ୍ଲାପାଳ ପ୍ରଭାତ ମହାପାତ୍ର କହିଛନ୍ତି-“ଇନ୍ଦିରାଆବାସ ଦୁର୍ନୀତି ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ତଦନ୍ତ ଚାଲିଛି। ଜିଲ୍ଲାପାଳଙ୍କ ପାଖରେ ରିପୋର୍ଟ ଦାଖଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story