କଟକ(ଓଡ଼ିଶା ରିପୋର୍ଟର): କଟକ ଫାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ମୂଳ ବିବାହ ବିଚ୍ଛେଦ ମାମଲାରେ ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ। ସାକ୍ଷ୍ୟ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ ସମ୍ଭବ ହୋଇପାରିନାହିଁ। ଅନ୍ୟପଟେ ଅନୁଭବଙ୍କ ରିଭ୍ୟୁ ପିଟିସନ ଉପରେ ଶୁଣାଣି ଶେଷ ହୋଇଛି।
ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଅନୁଭବ ଏବଂ ବର୍ଷାଙ୍କ ବିବାହ ଭୁବନେଶ୍ୱରରେ ହୋଇଥିବା ବେଳେ ତାଙ୍କ ମୂଳ ପିଟିସନରେ ଏହା ଦିଲ୍ଲୀରେ ହୋଇଥିଲା ବୋଲି ଦର୍ଶାଇ ଯାଇଥିଲା। ତେବେ କୋର୍ଟ ନିଜ ପୂର୍ବ ନିର୍ଦ୍ଦେଶରେ ଉଭୟଙ୍କ ବିବାହ ଭୁବନେଶ୍ୱରରେ ହୋଇଥିବା ନେଇ ଉଲ୍ଲେଖ କରିଥିଲେ। ପରେ ଏହା ଟାଇପ ଜନିତ ତ୍ରୁଟି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରିବାକୁ ଅନୁଭବ କୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ। ଏନେଇ ବର୍ଷାଙ୍କ ପକ୍ଷରୁ ଆପତ୍ତି ଦିଆଯାଇଥିଲା।
ତେବେ ବିଭିନ୍ନ ବାହାନା ଦେଖାଇ ପ୍ରତିପକ୍ଷ ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ କରାଉଥିବା ଯୋଗୁ ଆଜି ସାକ୍ଷ୍ୟ ଗ୍ରହଣ ହୋଇପାରିଲାନି ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି। ଏଥିସହ ଦାୟର ରିଭ୍ୟୁ ପିଟିସନରେ ଆବଶ୍ୟକ ସଂଶୋଧନ ହେଲେ ଉଭୟ ପକ୍ଷର କୌଣସି ହାନି ହେବନି ବୋଲି ଯୁକ୍ତିଯୁକ୍ତ ତଥ୍ୟ କୋର୍ଟରେ ଉପସ୍ଥାପିତ କରାଯାଇଥିବା ସେ ସୂଚନା ଦେଇଛନ୍ତି।