ଭଦ୍ରକ: ଭଦ୍ରକ ସ୍ଥିତିରେ ସୁଧାର ଆସୁଛି। ସହରରେ ଧୀରେ ଧୀରେ ଜନଜୀବନ ସ୍ୱାଭାବିକ ହେଉଛି। ସ୍ଥିତିକୁ ଦେଖି ଗତକାଲି ଭଳି ଆଜି ମଧ୍ୟ ଏଠାରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ପ୍ରଥମେ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଥିଲା। ତା’ପରେ ଏହାକୁ ଦିନ ୨ଟା ପର୍ଯ୍ୟନ୍ତ ବଢ଼ା ଯାଇଛି।
ତେବେ ପୋଲିସ୍ ଛାଉଣୀ ହଟି ନାହିଁ। ପୂରା ସହରକୁ ଜଗି ରହିଛି ପୋଲିସ୍। ରାଜ୍ୟ ପୋଲିସ୍ର ୩୫ ପ୍ଲାଟୁନ୍ ଫୋର୍ସ ସହିତ ଦୁଇ କଂପାନୀ ସୀଆର୍ପିଏଫ୍ ଓ ଦୁଇ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି।
ଆଜି ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ କର୍ଫ୍ୟୁ କୋହଳ ସମୟ ମଧ୍ୟରେ ବ୍ୟାଙ୍କଗୁଡ଼ିକୁ ଖୋଲା ରହିବ। ଆହାର କେନ୍ଦ୍ରକୁ ମଧ୍ୟ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଶୃଙ୍ଖଳା ଭାଙ୍ଗିବାକୁ ଉଦ୍ୟମ କରୁଥିବା ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପ୍ରଶାସନ ପକ୍ଷରୁ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା ଲଗାଯାଇଛି। ଭଦ୍ରକ ଟାଉନ୍ ଥାନା ଆଇଆଇସି ଯଦୁନାଥ ଜେନାଙ୍କୁ ବଦଳି କରାଯାଇଛି।
ଗତକାଲି ଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକର ସ୍ଥିତି ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଥିଲେ।