ଭଦ୍ରକ (ଓଡ଼ିଶା ରିପୋର୍ଟର): ନୂଆ ମୋଟରଯାନ ଆଇନ୍କୁ ନେଇ ଏବେ ଚାଲିଛି ଟ୍ରାଫିକ ଧରପଗଡ୍। ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଛି ମୋଟା ଅଙ୍କର ଫାଇନ୍। ଗତକାଲି ଭଦ୍ରକରେ ଜଣେ ମହିଳାଙ୍କ ସ୍କୁଟିର କାଗଜପତ୍ର ନ ଥିବାକୁ ପୁଲିସ ତାଙ୍କୁ ୧୩ ହଜାର ଟଙ୍କା ଫାଇନ୍ କରିଥିଲା। ତେବେ ଏନେଇ ସୋଶାଲ ମିଡିଆ ଓ ଗଣମାଧ୍ୟମରେ ଭିନ୍ନ ଘଟଣା ଚର୍ଚ୍ଚା ହୋଇଥିଲା। ବାପାଙ୍କ ଗାଡ଼ି ଚଲାଇ ଝିଅ ଫାଇନ୍ ଦେଲେ ବୋଲି ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଆଜି ଭଦ୍ରକ ଆର୍ଟିଓ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ ‘ଗଣମାଧ୍ୟମରେ ଏହି ସଂକ୍ରାନ୍ତରେ ବିଭ୍ରାନ୍ତିକର ଖବର ପ୍ରକାଶ ପାଇଛି। ବାପାଙ୍କ ଗାଡ଼ି ଅନ୍ୟ କେହି ଚଳାଇବା ବେଆଇନ୍ ବୋଲି ସେପରି କିଛି ନିୟମ ନାହିଁ। ଗାଡ଼ିର କାଗଜ ପତ୍ର ଏବଂ ସଂପୃକ୍ତ ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ଥିଲେ ଗାଡ଼ିର ମାଲିକ ଯିଏ ହେଉନା କାହିଁକି ସମସ୍ତେ ଚଲାଇ ପାରିବେ। ’
ଆର୍ଟିଓ ଆହୁରି ମଧ୍ୟ କହିଛନ୍ତି, ‘ଅନେକ ଲୋକ ଏବଂ ଲୋକ ପ୍ରତିନିଧି ଫୋନ୍ ମାଧ୍ୟମରେ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କ ଗାଡ଼ି ପୁଅ କିମ୍ୱା ଝିଅ ବ୍ୟବହାର କରିପାରିବେ କି ନାହିଁ। ଅଥବା ଘରେ ଯେତେ ଜଣ ସଦସ୍ୟ ଅଛନ୍ତି, ସମସ୍ତଙ୍କୁ ଗୋଟିଏ ଗୋଟିଏ ଗାଡି ରଖିବାକୁ ପଡ଼ିବ କି ?
ତେବେ ନିୟମ ଅନୁସାରେ କୌଣସି ଗାଡ଼ି ମାଲିକ ଚାହିଁଲେ ତାଙ୍କ ଗାଡ଼ିକୁ ପୁଅ, ଝିଅ, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏବଂ ପଡ଼ୋଶୀଙ୍କୁ ବ୍ୟବହାର କରିବା ପାଇଁ ଦେଇପାରିବେ। କିନ୍ତୁ ଏଥିପାଇଁ ଗାଡ଼ି ମାଲିକଙ୍କ ପାଖରେ ଭାଲିଡ୍ ଡ୍ରାଇଭିଂ ଲାଇସେନ୍ସ ସହିତ ଉପଯୁକ୍ତ କାଗଜପତ୍ର ଏବଂ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିଥିବା ଆବଶ୍ୟକ।
ଡ୍ରାଇଭିଂ ଲାଇସେନ୍ସ ନଥିବା କୌଣସି ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବା ପାଇଁ ଦେବା ମୋଟରଯାନ ନିୟମର ୧୮୦ ଧାରା ଅନୁସାରେ ଦଣ୍ଡନୀୟ। ରାସ୍ତାରେ ଗାଡ଼ି ଚଳାଉଥିବା ଅନ୍ୟ ନିରୀହ ଲୋକଙ୍କ ପ୍ରତି ଏହା ବିପଦ ସୃଷ୍ଟି କରିଥାଏ। ତେଣୁ ସମସ୍ତଙ୍କର ଧନଜୀବନକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।