ଭୁବନେଶ୍ୱର ପହଞ୍ଚିଲା ଜାନକୀବଲ୍ଲଭଙ୍କ ମରଶରୀର

ଭୁବନେଶ୍ୱର: ଭୁବନେଶ୍ୱରେ ପହଞ୍ଚିଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମରଶରୀର। ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଅବସରରେ ସେଠାରେ ଆଜି ଭୋରରେ ତାଙ୍କର ପରଲୋକ ହୋଇଯାଇଥିଲା। ଭୁବନେଶ୍ୱର ଅଣାଯିବା ପରେ ଜାନକୀବଲ୍ଲଭଙ୍କ ମରଶରୀରକୁ ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି। ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଜାନକୀବଲ୍ଲଭଙ୍କ ସମର୍ଥକ, ଶୁଭେଚ୍ଛୁ ଓ କଂଗ୍ରେସ କର୍ମୀମାନେ ସେଠାରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ତାଙ୍କ […]

jb

Rakesh Mallick
  • Published: Tuesday, 21 April 2015
  • , Updated: 21 April 2015, 10:33 AM IST

ଭୁବନେଶ୍ୱର: ଭୁବନେଶ୍ୱରେ ପହଞ୍ଚିଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମରଶରୀର। ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଅବସରରେ ସେଠାରେ ଆଜି ଭୋରରେ ତାଙ୍କର ପରଲୋକ ହୋଇଯାଇଥିଲା। ଭୁବନେଶ୍ୱର ଅଣାଯିବା ପରେ ଜାନକୀବଲ୍ଲଭଙ୍କ ମରଶରୀରକୁ ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି। ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଜାନକୀବଲ୍ଲଭଙ୍କ ସମର୍ଥକ, ଶୁଭେଚ୍ଛୁ ଓ କଂଗ୍ରେସ କର୍ମୀମାନେ ସେଠାରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର କରାଯିବ। ପୁରୀ ସ୍ୱର୍ଗଦ୍ୱାର ଅବା ତାଙ୍କ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଠାରେ ହୋଇପାରେ ଅନ୍ତିମସଂସ୍କାର। ଏ ନେଇ ତାଙ୍କ ପରିବାର ଲୋକେ ନିଷ୍ପତ୍ତି ନେବେ।

ଅପରାହ୍ନ ଠିକ୍ ୨ଟା ୪୨ ମିନିଟରେ ତିରୁପତିରୁ ଏକ ସ୍ୱତନ୍ତ୍ର ବିମାନ ଜାନକୀ ବଲ୍ଲଭଙ୍କ ମରଶରୀରକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା। ଜାନକୀବଲ୍ଲଭଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ, ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ଝିଅ ସୁଦତ୍ତା ପଟ୍ଟନାୟକ, ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ ଓ ସୁରେଶ ରାଉତରାୟ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ଥିଲେ। ବିମାନବନ୍ଦରର ୫ ନମ୍ବର ଗେଟ୍ ଦେଇ ତାଙ୍କ ମରଶରୀରକୁ ବାହାରକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସରକାରଙ୍କ ତରଫରୁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଦେବୀ ମିଶ୍ର, ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀ, ପୁଲିସ କମିଶନର ଆର୍.ପି ଶର୍ମା ଓ ଡିସିପି ସତ୍ୟବ୍ରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଜାନକୀବଲ୍ଲଭଙ୍କ ଶେଷ ଦର୍ଶନ ନିମନ୍ତେ ବିମାନ ବନ୍ଦର ବାହାରେ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ‘ଜେବି ଅମର ରହେ’ ଧ୍ୱନିରେ ପୂରା ବିମାନବନ୍ଦର ଅଞ୍ଚଳ କମ୍ପି ଉଠିଥିଲା । ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଫରେଷ୍ଟ୍ ପାର୍କ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା।

୮୯ ବର୍ଷ ବ୍ରୟସରେ ଆଜି ସକାଳେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଜାନକୀବଲ୍ଲଭଙ୍କ ଦେହାନ୍ତ ହୋଇଥିଲା । ଆଜି ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥାଆନ୍ତେ । ଏଥିପାଇଁ ସେ ଗତକାଲି ଏକ ସ୍ୱତନ୍ତ୍ର ଫ୍ଲାଇଟରେ ତିରୁପତିରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ବିଶ୍ୱବିଦ୍ୟାଳୟର ଏକ ଅତିଥି ଭବନରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

Related story