ଅବିଶ୍ୱାସୀ ବିଏମ୍‌ସି, ପଚି ଗନ୍ଧେଇଲାଣି ରାଜଧାନୀ ଅଳିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନଖରାରୁ ନନ୍ଦନକାନନ, ଶିଶୁପାଳଗଡ଼ରୁ ଆଇଗିଣିଆ ଯେଉଁ ଆଡେ ଆଖି ପଡୁଛି ସେଠି କୁଢ଼ କୁଢ଼ ଅଳିଆ। ୟୁନିଟ ୩ ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖ, ନିକଟସ୍ଥ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ, ସେପଟେ ୟୁନିଟ-୯ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟ; ସବୁଠି  କୁଢ କୁଢ ଅଳିଆ। ଅସ୍ୱାସ୍ଥ୍ୟକର ପରିବେଶ ଦେଇ ଯିବା ଆସିବା କରୁଛନ୍ତି ସ୍କୁଲ ପିଲା। ଖୋଦ୍ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀଙ୍କ ଘର ସାମ୍ନାରେ ବି ସ୍ଥିତି ସମାନ। ଦୀର୍ଘ ଦିନ […]

dumping

dumping

Niranjan Mishra
  • Published: Monday, 29 August 2022
  • Updated: 29 August 2022, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନଖରାରୁ ନନ୍ଦନକାନନ, ଶିଶୁପାଳଗଡ଼ରୁ ଆଇଗିଣିଆ ଯେଉଁ ଆଡେ ଆଖି ପଡୁଛି ସେଠି କୁଢ଼ କୁଢ଼ ଅଳିଆ। ୟୁନିଟ ୩ ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖ, ନିକଟସ୍ଥ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ, ସେପଟେ ୟୁନିଟ-୯ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟ; ସବୁଠି  କୁଢ କୁଢ ଅଳିଆ। ଅସ୍ୱାସ୍ଥ୍ୟକର ପରିବେଶ ଦେଇ ଯିବା ଆସିବା କରୁଛନ୍ତି ସ୍କୁଲ ପିଲା। ଖୋଦ୍ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀଙ୍କ ଘର ସାମ୍ନାରେ ବି ସ୍ଥିତି ସମାନ। ଦୀର୍ଘ ଦିନ ଧରି ଏମିତି ସ୍ଥିତିକୁ ସାମ୍ନା କରି ତେଜିଲାଣି ଜନଅସନ୍ତୋଷ। ଅଳିଆ ପଡ଼ି ଗନ୍ଧମୟ ପରିବେଶ ଯୋଗୁ ଲୋକଙ୍କୁ ଘାରୁଛି ଡେଙ୍ଗୁ ଭୟ।

ଏପଟେ ସୈନିକ ସ୍କୁଲ ସ୍ଥିତ ଡମ୍ପୟାର୍ଡରେ ଲାଗିଛି ଅବର୍ଜନା ବୋଝେଇ ଟ୍ରକ୍, ଡମ୍ଫର ଓ ଚାରିଚକିଆ ଡାଲା ଗାଡ଼ିର ଲମ୍ବା ଲାଇନ। ଏଠି ଗୋଟିଏ ଗାଡିକୁ ଅଳିଆ ପକାଇବା ପାଇଁ ୪ରୁ ୫ ଘଣ୍ଟା ଅପେକ୍ଷା କରିବାକୁ ପଡିଛି। ଆଗରୁ ଏହି ସମୟ ଭିତରେ ଗୋଟିଏ ଗାଡି ୫ରୁ ୬ ଟ୍ରିପ ଅଳିଆ ଆଣି ପକାଇ ପାରୁଥିବା ବେଳେ ଏବେ ମାତ୍ର ଗୋଟିଏ କି ଦୁଇ ଟ୍ରିପ ଅଳିଆ ପରିବହନ କରିପାରୁଛନ୍ତି। ଏବେ କେବଳ ଏହି ଡମ୍ପିଂୟାର୍ଡରେ ଅଳିଆ ପଡୁଥିବାରୁ, ପାହାଡ଼ ଭଳି ଗଦା ହେଲାଣି ଆବର୍ଜନା। ଘଣ୍ଟାଘଣ୍ଟା ଭୋକ ଶୋଷରେ ଅପେକ୍ଷା କରି ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଦାରୁଠେଙ୍ଗ ଭୁଆସୁଣି ଡମ୍ପିୟାଡ୍‌କୁ ଗାଡ଼ି ଛଡ଼ା ନ ଯିବାର ଏହାର ମୂଳ କାରଣ ହୋଇଛି। କାରଣ ଭୁଆସୁଣି ଡମ୍ପୟାଡ୍‌ରୁ ଅଳିଆ ହ୍ରାସ କରିବାକୁ ପ୍ରତିଶ୍ରୁତିକୁ ବିଏମ୍‌ସି ପାଳନ କରୁନି। ତେଣୁ ବିଏମ୍‌ସିର କୌଣସି ବି ପ୍ରତିଶ୍ରୁତି ବିଶ୍ୱାସ କରୁନାହାନ୍ତି ବିରୋଧ ପ୍ରଦର୍ଶନ କରୁଥିବା ଦାରୁଠେଙ୍ଗବାସୀ।

ତେଣୁ ଭୁଆସୁଣି ଡମ୍ପୟାଡ୍‌କୁ ଯାଇପାରୁନି ସ୍ମାର୍ଟ ସିଟି ଭୁବନେଶ୍ୱରର ଅଳିଆ ଗାଡ଼ି। ଯାହାକୁ ନେଇ ରାଜଧାନୀର ବିଭିନ୍ନ ପ୍ରମୁଖ ସ୍ଥାନରେ ପଡ଼ିପଡ଼ି ପୋଚି ଗନ୍ଧାଇଲେଣି ଅଳିଆ। ଏଥିରୁ ମଶା, ମାଛି ସୃଷ୍ଟି ହୋଇ ଲୋକଙ୍କୁ କଲବଲ କରିଲାଣି। ଯାହାକୁ ନେଇ ରାଜଧାନୀବାସୀ ବି ଅସନ୍ତୁଷ୍ଟ।

ତେଣୁ ଆଶା ଆଶାରେ ରହିଯିବା ଆଶଙ୍କା ଦେଖାଦେଲାନି। ଭୁଆସୁଣି ଡମ୍ପୟାଡ୍‌କୁ ଦାରୁଠେଙ୍ଗବାସୀ ଆଜି ଗାଡ଼ି ଛାଡ଼ିବେ ବୋଲି ଅଶା ବାନ୍ଧି ବସିଥିବା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଶା ସଫଳ ହୋଇନି।

ଫଳରେ ୧୦ ଦିନ ତଳେ ସମସ୍ୟା ଯେଉଁଠି ଥିଲା ସେଠାରେ ହିଁ ଅଟକି ରହିଛି। ଏପଟେ ଦୀର୍ଘ ଦିନ ହେଲା ଅଳିଆ ପଡି ରହିଥିବାରୁ ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍ ହେଲାଣି। ଯାହାକୁ ଦେଖି ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦାରୁଠେଙ୍ଗବାସୀଙ୍କ କୋର୍ଟକୁ ବଲ୍ ଫିଙ୍ଗି ଏକ ପ୍ରକାର ଚୁପ୍ ରହିଛି ବିଏମ୍‌ସି। ଏହା ଭିତରେ ସମସ୍ତଙ୍କ ନଜର ଆଜି ସନ୍ଧ୍ୟା ପରେ ବସିବାକୁ ଥିବା ପଲ୍ଲୀସଭା ଉପରେ ରହିଛି।

ଏପଟେ ଦାରୁଠେଙ୍ଗବାସୀଙ୍କ କୋର୍ଟକୁ ବଲ୍ ଫିଙ୍ଗି ବସି ରହିଥିବା ବିଏମ୍‌ସି ଦୁଇ ଦିନ ସମୟ ମାଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରିନି ।ବସିଥିବା ପଲ୍ଲୀସଭାରେ ବିଏମ୍‌ସିର ନିଷ୍ପତ୍ତିରେ ସହମତି ପ୍ରକାଶ କରିପାରୁ ନାହାନ୍ତି ପଞ୍ଚାୟତବାସୀ। ସେଥିପାଇଁ ଆଉ ଥରେ ଆଜି ବସିବ ପଲ୍ଲୀସଭା।

ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀଙ୍କ କହିବା କଥା ହେଲା, ବିଏମ୍‌ସି ଦୀର୍ଘ ଦିନ ଧରି କେବଳ ପ୍ରତିଶୃତି ଦେଇଆସୁଛି। ହେଲେ ପୂରଣ କରୁନାହିଁ। ୩ଥର ପ୍ରତିଶ୍ରୁତି ଦେଇ ଫେଲ ମାରିଛି। ଏନ୍‌ଜିଟି ମଧ୍ୟ ଏଠାରେ ଅଳିଆ ନ ଗଦାଇବାକୁ କହିଛି। ହେଲେ ଏହାକୁ ବିଏମ୍‌ସି ପାଳନ କରୁନି। ତେଣୁ ଶୀଘ୍ର ସରକାର ଏହା ଉପରେ ହସ୍ତକ୍ଷେପ କରନ୍ତୁ। ଏଠାରେ ଅଳିଆ ଗଦାଇବାକୁ ବିରୋଧ କରାଯାଇ ଆସୁଛି।

ସେପଟେ ଘଟଣାରେ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ। ଅନ୍ୟପଟେ ନଗର ଉନୟନ୍ନ ମନ୍ତ୍ରୀ ଉଷାଦେବୀ କହିଛନ୍ତି, ମେୟର ଓ କମିଶନର ଆଲୋଚନା କରୁଛନ୍ତି। ସମସ୍ୟା ୨ରୁ ୩ ଦିନ ମଧ୍ୟରେ ସମାଧାନ ବାହାରିଯିବ।

ଦାରୁଠେଙ୍ଗ ଠାରେ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ପରେ ସ୍ଥାନୀୟ ଲୋକଙ୍କ ବିରୋଧକୁ ନେଇ ୨୦ ଦିନ ହେବ ଭୁଆସୁଣି ଡମ୍ପିୟାର୍ଡରେ ଆଳିଆ ପଡ଼ିପାରୁନି। ଅଳିଆ ବୋଝେଇ ଗାଡ଼ି ଗଲେ ଫେରିଆସୁଛି।

ଅନ୍ୟପଟେ ଭୁଆସୁଣି ଡମ୍ପୟାର୍ଡକୁ ବିରୋଧ ପ୍ରସଂଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାଶ କହିଛନ୍ତି, ଏପର୍ଯ୍ୟନ୍ତ ଦାରୁଠେଙ୍ଗ ଗ୍ରାମବାସୀଙ୍କ ଆଡୁ ପ୍ରତିକ୍ରିୟା ଆସିନାହିଁ। ଖୁବଶୀଘ୍ର ଆସିବ ବୋଲି ଅପେକ୍ଷା ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠି ଅଳିଆ ପଡୁଛି ଓ ଏକ ବାୟୋମାଇନିଂ ପାଇଁ ବି ଚୁକ୍ତି ହୋଇଥିଲା। ଗତ ବୈଠକରେ ଏନେଇ ଆଲୋଚନା ହୋଇଥିଲା। ବିଏମସିର ୩୨ଟି MCC ଓ ୧୪ଟି MRF ରେ ଅଳିଆ ପରିଚାଳନା ହେଉଛି। ଖୁବଶୀଘ୍ର ଆଉ ନୂଆ MCC ତିଆରି କରି ସବୁ ଅଳିଆ ଏହି ଠାରେ ପରିଚାଳନା ହେବ। ଆସନ୍ତା ୯ମାସ ମଧ୍ୟରେ ଅଳିଆ କମାଇବା ପାଇଁ ଦାରୁଠେଙ୍ଗବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos