କଟକ(ଓଡ଼ିଶା ରିପୋର୍ଟର): ପ୍ରେମ୍କୁ ନେଇ ଇମୋସନାଲ ହେଲେ। ପ୍ରେମିକାର କୌଣସି କଥା ହୃଦୟକୁ ଆଘାତ ଦେବା ପରେ ମାନସୀକ ଭାରସାମ୍ୟ ହରାଇ ଛାତ୍ର କଲେ ଆତ୍ମହତ୍ୟା। କଟକ ଷଣ୍ଢପୁର ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। ଛାତ୍ରଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଡିଓ କଲ୍ କରି ସେ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଉଦ୍ଧାର ବେଳେ ଛାତ୍ରଙ୍କ ଲାପଟପ୍ ଓ ମୋବାଇଲ ଖୋଲାଥାଇ ଭିଡିଓ କଲ୍ ଚାଲିଥିଲା।
ମୃତ ଛାତ୍ରଙ୍କ ନାଁ ମନୋଜ ବେହେରା। ଘର ଯାଜପୁର ଅଞ୍ଚଳରେ। ମନୋଜ କଟକ ଗୋଡିସାହି ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଏମସିଏ ପ୍ରଥମ ବର୍ଷର ଛାତ୍ର ଥିଲେ। ନିକଟସ୍ଥ ଷଣ୍ଢପୁର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।
ଆଜି ଅପରାହ୍ନରେ ଘର ଭିତରେ ପାର୍ଶ୍ୱରୁ କବାଟ ଦେବା ପରେ ବେଡ୍ସିଟ୍କୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ। କିଛି ସମୟ ପରେ ତାଙ୍କୁ ଭଲ ପାଉଥିବା ଯୁବତୀ ଜଣକ ଆସି କବାଟ ବାଡେଇଥିଲେ। ହେଲେ ନଖୋଲିବାରୁ ଘର ମାଲିକଙ୍କୁ ଡାକିଥିଲେ। ଘର ମାଲିକ ଘର ଝରକା ଖୋଲି ଦେଖନ୍ତି, ଭିତରେ ମୃତଦେହ ଝୁଲୁଛି। ପରେ ସେ ଏନେଇ ଛାତ୍ରଙ୍କ ଭାଇ ଓ ପୁଲିସକୁ ଖବର ଦେଇଥିଲେ। ସେମାନେ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହକୁ ବାହାର କରାଯାଇଥିଲା।
ବାରଙ୍ଗ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ମୃତ୍ୟୁ ସମୟରେ ଘରେ ଥିବା ମୋବାଇଲ ଓ ଲାପଟପ୍ ଖୋଲା ଥିବାରୁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।