ନନ୍ଦନକାନନରେ ଧଳା ବାଘୁଣୀ କୁସୁମର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁ଼ଣୀ କୁସୁମର ଆଜି ମୃତ୍ୟୁ ଘଟିଛି। ତାକୁ ୧୮ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ୨୦୧୪ ମସିହା ଏପ୍ରିଲ ମାସରୁ କୁସୁମକୁ ଆଉ ଦର୍ଶକଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଉ ନ ଥିଲା। ତାକୁ ଫିଡିଂ ଚାମ୍ବରରେ ରଖାଯାଇଥିଲା। କାରଣ ତାର ଚଲାବୁଲା କମି ଯାଇଥିଲା। କେବଳ ଡାକ୍ତରମାନେ ବେଳେ ବେଳେ ତାକୁ ପରୀକ୍ଷା କରୁଥିଲେ। ଗତ ଜୁଲାଇ ଶେଷ […]

nandankanan

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 10:38 PM IST

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁ଼ଣୀ କୁସୁମର ଆଜି ମୃତ୍ୟୁ ଘଟିଛି। ତାକୁ ୧୮ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

୨୦୧୪ ମସିହା ଏପ୍ରିଲ ମାସରୁ କୁସୁମକୁ ଆଉ ଦର୍ଶକଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଉ ନ ଥିଲା। ତାକୁ ଫିଡିଂ ଚାମ୍ବରରେ ରଖାଯାଇଥିଲା। କାରଣ ତାର ଚଲାବୁଲା କମି ଯାଇଥିଲା। କେବଳ ଡାକ୍ତରମାନେ ବେଳେ ବେଳେ ତାକୁ ପରୀକ୍ଷା କରୁଥିଲେ। ଗତ ଜୁଲାଇ ଶେଷ ସପ୍ତାହରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲା। ସେ ଖାଇବା ମଧ୍ୟ କମାଇ ଦେଇଥିଲା। ଗତ ୧୦ ଦିନ ହେବ ତାର ଆହୁରି ଖରାପ ହୋଇଥିଲା। ଗଲା ତିନି ଦିନ ହେବ ସେ ଆଦୌ କିଛି ଖାଉ ନ ଥିଲା।

ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି,“କୁସୁମ ବାଘୁଣୀ ନନ୍ଦନକାନନ ପାଇଁ ଗର୍ବ ଥିଲା। ସେ ବୁଢ଼ୀ ହୋଇଯାଇଥିଲା। ସାଧାରଣତଃ ଧଳା ବାଘ ଓ ବାଘୁଣୀମାନେ ୧୫ ବର୍ଷ ବଞ୍ଚନ୍ତି। ତାକୁ ୧୮ ବର୍ଷ ହୋଇଥିଲା।”

ସେ କହିଛନ୍ତି,“କୁସୁମ ତିନି ଥର ଗର୍ଭବତୀ ହୋଇଥିଲା। ଏହି ତିନି ଥରରେ ସେ ୭ଟି ଛୁଆ ଜନ୍ମ କରିଥିଲା। ସେମାନଙ୍କ ମଧ୍ୟରୁ ୫ଟି ଧଳା ରଙ୍ଗର ହୋଇଥିବା ବେଳେ ଦୁଇଟି ଥିଲେ ସାଧାରଣ ରଙ୍ଗର। ଏହା ନନ୍ଦନକାନନ ଶୋଭା ବଢ଼ାଇଥିଲା। ତେବେ କୁସୁମ ବଂଶରୁ ନନ୍ଦନକାନନକୁ ମିଳିଛି ମୋଟ ୧୮ଟି ବାଘ। ସେଥିରୁ ତାର ୭ଟି ଛୁଆ ହୋଇଥିବା ବେଳେ ୧୧ଟି ହେଉଛନ୍ତି ନାତିନାତୁଣୀ। ଅଦଳବଦଳ ବ୍ୟବସ୍ଥା ଅନୁସାରେ କୁସୁମର ଦୁଇଟି ଛୁଆକୁ ଅଲିପୁର ଓ ଚେନ୍ନାଇ ପ୍ରାଣୀ ଉଦ୍ୟାନକୁ ପଠା ଯାଇଥିଲା।”

୧୯୯୯ ମସିହା ଡିସେମ୍ବର ମାସ ୨୮ ତାରିଖରେ ନନ୍ଦନକାନନର ଧଳା ବାଘୁଣୀ ଶ୍ରେୟା ଓ ମହାବଳ ବାଘ ରାମଙ୍କ ମିଳନରୁ କୁସୁମ ଜନ୍ମ ହୋଇଥିଲା। କୁସୁମର ମା ଶ୍ରେୟା ଦୀର୍ଘ ୨୨ ବର୍ଷ କାଳ ବଞ୍ଚି ଏକ ରେକର୍ଡ କରିଥିଲା।

Related story