ବଡ଼ବଡ଼ିଆଙ୍କ ବିଳାସ: ନିର୍ଦ୍ଦିଷ୍ଟ ନୀତି ନାହିଁ, ରାଜକୋଷରୁ ମନଇଚ୍ଛା ଖର୍ଚ୍ଚ

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ଓ ଗାଇଡଲାଇନ୍ ଅଭାବରୁ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ପ୍ରଶାସନିକ ବଡ଼ପଣ୍ଡା ଓ ମନ୍ତ୍ରୀମାନେ ବିଳାସମୟ ରାଜକୀୟ ଜୀବନ ବିତାଉଛନ୍ତି। ସରକାରୀ ବଡ଼ପଣ୍ଡାମାନଙ୍କୁ ଖୁସି କରିବାକୁ ସରକାରୀ ଆବାସିକ କୋଠାଗୁଡ଼ିକରେ ସାଧାରଣ ପ୍ରଶାସନ ବିଭାଗ ଓ ପୂର୍ତ୍ତ ବିଭାଗ ରାଜକୋଷରୁ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଛନ୍ତି। ସରକାରୀ କ୍ୱାର୍ଟର୍ସକୁ ମନଇଚ୍ଛା ନିଜର ସୁବିଧା ପାଇଁ ଡିଜାଇନରେ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରଭାବଶାଳୀ ଅଫିସର ଓ ରାଜନେତାମାନେ ପଛାଉ ନାହାନ୍ତି। […]

asit-tripathi

Manoranjan Sial
  • Published: Tuesday, 04 August 2020
  • , Updated: 04 August 2020, 05:08 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ଓ ଗାଇଡଲାଇନ୍ ଅଭାବରୁ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ପ୍ରଶାସନିକ ବଡ଼ପଣ୍ଡା ଓ ମନ୍ତ୍ରୀମାନେ ବିଳାସମୟ ରାଜକୀୟ ଜୀବନ ବିତାଉଛନ୍ତି। ସରକାରୀ ବଡ଼ପଣ୍ଡାମାନଙ୍କୁ ଖୁସି କରିବାକୁ ସରକାରୀ ଆବାସିକ କୋଠାଗୁଡ଼ିକରେ ସାଧାରଣ ପ୍ରଶାସନ ବିଭାଗ ଓ ପୂର୍ତ୍ତ ବିଭାଗ ରାଜକୋଷରୁ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଛନ୍ତି। ସରକାରୀ କ୍ୱାର୍ଟର୍ସକୁ ମନଇଚ୍ଛା ନିଜର ସୁବିଧା ପାଇଁ ଡିଜାଇନରେ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରଭାବଶାଳୀ ଅଫିସର ଓ ରାଜନେତାମାନେ ପଛାଉ ନାହାନ୍ତି। ଆଉ ଏହି ବଡ଼ପଣ୍ଡାମାନଙ୍କର ସରକାରୀ କ୍ୱାର୍ଟର୍ସଗୁଡ଼ିକର ମରାମତି ଓ ନବୀକରଣ ନାଁରେ ପୂର୍ତ୍ତ ବିଭାଗ ଓ ଠିକାଦାରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ପ୍ରତିବର୍ଷ କେତେ ଟଙ୍କା କେଉଁ ବର୍ଗର କ୍ୱାର୍ଟର୍ସର ମରାମତି ଓ ନବୀକରଣରେ ଖର୍ଚ୍ଚ ହେବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ଆଇନକାନୁନ୍ ପାଳନ ହେଉନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କରୋନା ମହାମାରୀ ପାଇଁ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗ ଦ୍ୱାରା ଜୁଲାଇ ୭ତାରିଖରେ ସମସ୍ତ ପ୍ରକାରର ସରକାରୀ ଖର୍ଚ୍ଚ ଉପରେ ଅଙ୍କୁଶ ଜାରି କରାଯିବା ସତ୍ତ୍ୱେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ ଜୁଲାଇ ୧୭ତାରିଖରେ ଏଜି ଛକ ନିକଟରେ ଥିବା ୟୁନିଟ୍ ୬ସ୍ଥିତ କ୍ୱାଟର୍ସ ନମ୍ବର- VIIISGO-5 ର ମରାମତି ଓ ନବୀକରଣ ନିମନ୍ତେ ୨୧ଟି କାର୍ଯ୍ୟ ପାଇଁ ୯୩ ଲକ୍ଷ ୯ହଜାର ୨୦୦ଟଙ୍କା ଖର୍ଚ୍ଚ ବାବଦରେ ପାଣ୍ଠି ଆବଣ୍ଟନ କରିବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ଯୋଗୁ ରାଜ୍ୟର ବହୁ ଲୋକ ଦୁଇଓଳି ଖାଇବାକୁ ସଂଘର୍ଷ କରୁଥିବାବେଳେ ଏହି ଗୋଟିଏ କ୍ୱାର୍ଟର୍ସର ମରାମତି ପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ସେ କିଭଳି ପାଣ୍ଠି ଆବଣ୍ଟନ କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ନିର୍ଦ୍ଦିଷ୍ଟ କ୍ୱାର୍ଟର୍ସର ମରାମତି ଓ ନବୀକରଣ ପାଇଁ ୨୦୧୬ ମସିହା ପରଠୁ ପ୍ରାୟ ଦେଢ଼ରୁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ସୂଚନା ମିଳିଛି।

କେବଳ ଏହି ଗୋଟିଏ କ୍ୱାର୍ଟର୍ସ ନୁହେଁ, ସେହି ଏଜି ଛକ ନିକଟରେ ଥିବା ୟୁନିଟ-୬ ସ୍ଥିତ VII-4ର ମରାମତି ଓ ନବୀକରଣ ପାଇଁ ବେଶ୍ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏପରିକି ଉକ୍ତ ସରକାରୀ କ୍ୱାର୍ଟର୍ସର ସମ୍ମୁଖ ଭାଗ ଡିଜାଇନ୍ ବି ବଦଳି ଯାଇଛି। ସରକାରଙ୍କ ବିନା ଅନୁମତିରେ ସରକାରୀ କ୍ୱାର୍ଟର୍ସର ଡିଜାଇନ୍ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ନିୟମ ଥିଲେ ମଧ୍ୟ ଏହି କ୍ୱାର୍ଟର୍ସର ଡିଜାଇନ ଏବେ କୌଣସି ଏକ ଶୈଳନିବାସର ଭ୍ରମ ସୃଷ୍ଟି କରିବ। ଏହି କ୍ୱାର୍ଟର୍ସଟି ଏବେ ଓଇଆରସି ସଦସ୍ୟ ସୂର୍ଯ୍ୟକାନ୍ତ ପାଢ଼ୀଙ୍କ ନାଁରେ ରହିଛି ଓ ସେ ସେଠାରେ ରହୁଛନ୍ତି।

ସେହିପରି ରାଜଭବନ ଛକ ନିକଟସ୍ଥ VIIIMR-1 କ୍ୱାର୍ଟର୍ସଟି ୨୦୧୯ ଜୁନ୍ ମାସରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଆବଣ୍ଟିତ ହୋଇଛି। ସେଠାରେ ୨୦୧୯ ଅଗଷ୍ଟ ମାସରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେହି କ୍ୱାର୍ଟର୍ସର ଡିଜାଇନକୁ ଶ୍ରୀ ଦାସ ନିଜ ଇଚ୍ଛାରେ ପରିବର୍ତ୍ତନ କରିବା ସହ ସେଠାରେ ସୁଉଚ୍ଚ ଅଟ୍ଟାଳିକା ଓ ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ କନଫରନେନ୍ସ ହଲ୍ ସୁବିଧା କରୁଛନ୍ତି। ଏହି କ୍ୱାର୍ଟର୍ସର ମରାମତି ଓ ନବୀକରଣ କାର୍ଯ୍ୟରେ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଆକଳନ କରାଯାଉଛି। ଏବେ ସେହି କ୍ୱାର୍ଟର୍ସର ମରାମତି କାର୍ଯ୍ୟ ଚାଲିଥିବାବେଳେ ସେଠାକୁ ସର୍ବସାଧାରଣ ଓ ଏପରିକି ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ରହିଛି ।

କେବଳ ସେତିକି ନୁହେଁ, ନିକଟରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାଟର୍ସ ମରାମତି ଓ ନବୀକରଣରେ ୧୨.୦୧ଲକ୍ଷ ଟଙ୍କା, ମନ୍ତ୍ରୀ ସୁଦାମ ମାଣ୍ଡିଙ୍କ କ୍ୱାର୍ଟର୍ସରେ ୧୬.୯୫ଲକ୍ଷ ଟଙ୍କା, ପଦ୍ମନାଭ ବେହେରାଙ୍କର କ୍ୱାର୍ଟର୍ସରେ ୧୦.୩୨ଲ୪ ଟଙ୍କା, ଟୁକୁନି ସାହୁଙ୍କ ବାସଭବନରେ ୯ଲକ୍ଷ ଟଙ୍କା, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କ୍ୱାର୍ଟର୍ସରେ ୮.୮୯ଲକ୍ଷ ଟଙ୍କା ଓ ତୁଷାରକାନ୍ତି ବେହେରାଙ୍କ ବାସଭବନରେ ୬.୬୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ତେଣୁ ପ୍ରଶ୍ନ ଉଠୁଛି, ଯଦି ପ୍ରତିବର୍ଷ ଏସବୁ ସରକାରୀ କ୍ୱାର୍ଟର୍ସରେ ମରାମତି ଓ ନବୀକରଣରେ ଏତେ ପରିମାଣର ଟଙ୍କା ଖର୍ଚ୍ଚର ଆବଶ୍ୟକତା ପଡ଼ୁଛି ତା’ହେଲେ ସରକାର ନୂଆ କୋଠା ନିର୍ମାଣ କରିବାରେ ଅସୁବିଧା କେଉଁଠି? କେବଳ ଏହି ଧଳାହାତୀମାନଙ୍କୁ ପୋଷିବା ପାଇଁ ରାଜ୍ୟ ରାଜକୋଷକୁ କାହିଁକିି ଖାଲି କରାଯାଉଛି ? ଲୋକଙ୍କ ଟିକସ ଅର୍ଥକୁ ଏଭଳି ଦୁରୂପଯୋଗ କରିବାକୁ ସରକାରଙ୍କୁ ଅଧିକାର ଦେଲା କିଏ? ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୁଖ୍ୟ ସଚିବଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶରେ ହିଁ ଏସବୁ କ୍ୱାର୍ଟର୍ସରେ ଏତେ ପରିମାଣର ଟଙ୍କା ଖର୍ଚ୍ଚ ହେଉଛି ଓ ସମସ୍ତ ପ୍ରକାରର ବେନିୟମ କାର୍ଯ୍ୟକୁ ଆଇନଗତ ସ୍ୱୀକୃତି ଦିଆଯାଉଛି।

କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଭଳି ବେନିୟମ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ । ବିଶେଷକରି କରୋନା ମହାମାରୀ ସମୟରେ। ସରକାରୀ ଅଫିସର ଓ କର୍ମଚାରୀଙ୍କ ନିମନ୍ତେ ଯେଭଳି କ୍ୱାର୍ଟର୍ସର ବର୍ଗୀକରଣ କରାଯାଇଛି, ସେପରି କେଉଁ କ୍ୱାର୍ଟର୍ସରେ କେତେ ଖର୍ଚ୍ଚ ହୋଇପାରିବ ତା’ର ମଧ୍ୟ ସ୍ପଷ୍ଟ ନୀତି ରହିବା ଉଚିତ୍।

Related story