ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ରାଲି, ରୋଡ୍ ସୋ, ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ସହ ଗହ ଗହ କମ୍ପୁଛି ବିଜେପୁର। ପ୍ରଚାରରେ ମାତିଛନ୍ତି ନେତା ଅଭିନେତା ଆଉ କର୍ମୀ । ଆଜି ବିଜେପୁରରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ଅଭିନେତ୍ରୀ ଅପରାଜିତାଙ୍କୁ ଧରି ଭୋଟରଙ୍କୁ ମନେଇବାର ଜୋରଦାର ଉଦ୍ୟମ କରିଥିଲା ବିଜେପି। ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପଚ୍ରାର କରିଥିଲେ ଦୁହେଁ। ସେହିପରି ଧର୍ମେନ୍ଦ୍ର ଓ ଜୁଏଲ୍ ବି କରିଥିଲେ ମାରାଥନ୍ ପ୍ରଚାର। ସେହିପରି ପ୍ରାର୍ଥୀ ରୀତା ସାହୁଙ୍କୁ ଧରି ବିଜେଡି ବି ବିଜେପୁରର ବିଭିନ୍ନ ସ୍ଥାନରେ କରିଥିଲା ପ୍ରଚାର। ସେପଟେ ପ୍ରଚାର ମୈଦାନ୍ରେ ବିଜେଡି-ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ବି କରିଛି ଜୋରଦାର ପ୍ରୟାସ।
ଦଳର ରାଜ୍ୟ ସ୍ତରୀୟ ତୁଙ୍ଗ ନେତାଙ୍କ ସହ କେନ୍ଦ୍ରୀୟ ନେତା ବି.କେ. ହରିପ୍ରସାଦ ଆଜି ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି। ସେପଟେ କାଲିଠୁ ଦଳର ସୁପ୍ରିମୋ ତଥା ଷ୍ଟାର କ୍ୟାମ୍ପେନର ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଉଥିବାରୁ ସେଥିପାଇଁ ରଣନୀତିରେ ମାତି ଯାଇଛନ୍ତି ନେତା। ଆଉ ପ୍ରତିପକ୍ଷକୁ ଚକ୍ମା ଦେବାକୁ ଷ୍ଟ୍ରାଟେଜୀ କରିଛି ରାଜ୍ୟ ବିଜେପି। ବିଶେଷ କରି କାଲି ପ୍ରଚାରକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି। ତେବେ ଆସନ୍ତାକାଲିର କାର୍ଯ୍ୟକ୍ରମ ଅନୁଯାୟୀ, ଦିନ ୧୧ଟା ୫୫ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିବେ। ୧୨ଟା ବେଳେ ବରଗଡ଼ର ବରପାଲି ହେଲିପ୍ୟାଡରେ ଅବତରଣ କରିବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ।
ପରେ ସେଠାରେ ନିର୍ବାଚନୀ ପ୍ରଚାର ସମ୍ପର୍କିତ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେବେ ନବୀନ। ପରେ ବରପାଲି, କୁମ୍ଭାରୀ, ଅଗଲପୁରରରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଆଉ ପରଦିନ ପ୍ରଚାର ପାଇଁ ବରଗଡ଼ ସର୍କିଟ ହାଉସରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ । ଅପରପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ୧୧ଟା ୧୫ରୁ ୧୨ଟା ୧୫ ଗାଇସିଲେଟ, ୧୨ଟା ୩୫ରୁ ୧ଟା ୩୫ ବିଜେପୁରରେ ନିର୍ବାଚନ ପ୍ରଚାର ସାରି ମଧ୍ୟାହ୍ନଭୋଜନ କରିବେ। ପରେ ୨ଟା ୪୦ରୁ ୩ଟା ୪୦ ପର୍ଯ୍ୟନ୍ତ ମେହେର ପଡ଼ିଆରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରି ଫେରିଯିବେ।