ବିଧାନ ପରିଷଦ ସଂକଳ୍ପ: କିଏ ସତ କହୁଛି, ଅନ୍ୟ ସବୁ ‘ସଂକଳ୍ପ ’ର ସ୍ଥିତି କ’ଣ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ସାଢ଼େ ୩ ବର୍ଷ ତଳେ ବିଧାନସଭାରେ ପାରିତ ହୋଇଥିବା ‘ସଂକଳ୍ପ ପ୍ରସ୍ତାବ’କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ କୌଣସି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ସଂସଦରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜ୍ଜୁ କହିବାର ୨୪ଘଣ୍ଟା ନପୁରୁଣୁ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର […]

odisha assembly

Ordigital Desk
  • Published: Friday, 11 February 2022
  • , Updated: 11 February 2022, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ସାଢ଼େ ୩ ବର୍ଷ ତଳେ ବିଧାନସଭାରେ ପାରିତ ହୋଇଥିବା ‘ସଂକଳ୍ପ ପ୍ରସ୍ତାବ’କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ କୌଣସି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ସଂସଦରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜ୍ଜୁ କହିବାର ୨୪ଘଣ୍ଟା ନପୁରୁଣୁ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଖଣ୍ଡନ କରିବା ସହ କେନ୍ଦ୍ରମନ୍ତ୍ରୀ ଏଭଳି କିପରି ବୟାନ ରଖିôଲେ ବୋଲି ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ତେବେ ବିଗତ ଦିନରେ ଶାସକ ବିଜେଡି ଦ୍ୱାରା ଓଡ଼ିଶା ବିଧାନସଭାରେ ଅନେକ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ସେସବୁର ସ୍ଥିତି ଏବେ କ’ଣ ରହିଛି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦ୍ୱାରା ଗୁରୁବାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜ୍ଜୁ କହିଥିଲେ ଯେ, ଓଡ଼ିଶାରେ ପାରିତ ହୋଇଥିବା ଏଭଳି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନି । ତେବେ ଏହି ସଂକଳ୍ପ ପ୍ରସ୍ତାବ ସମ୍ପର୍କରେ ଓଡ଼ିଶା ସରକାରଙ୍କଠୁ ସୂଚନା ସଂଗ୍ରହ କରାଯାଉଛି । ମାତ୍ର ପବିତ୍ର ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ଏହି ବୟାନ ପରେ ଓଡ଼ିଶାରେ ବିଧାନ ପରିଷଦ ଗଠନକୁ ନେଇ ଶାସକ ବିଜେଡିର ଗତ ୭ବର୍ଷର ରାଜନୀତିକ ଡ୍ରାମା ପଦାରେ ପଡ଼ିଥିଲା। ଅବଶ୍ୟ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମ ସମ୍ମୁଖକୁ ଆସି କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଉପରେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ଏହାସହିତ ୨୦୧୮ ସେପ୍ଟେମ୍ବର ୬ତାରିଖରେ ବିଧାନସଭାରେ ପାରିତ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ସଂକଳ୍ପ ପ୍ରସ୍ତାବକୁ ସେହିମାସ ୧୮ତାରିଖରେ ଲୋକସଭା ଓ ରାଜ୍ୟସଭାର ସେକ୍ରେଟେରୀ ଜେନେରାଲ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ନିକଟକୁ ପଠାଯାଇଥିବା କହିଛନ୍ତି ।

ବିଧାନସଭାର ୧୪୭ ସଦସ୍ୟଙ୍କ ମଧ୍ୟରୁ ୧୦୪ଜଣ ଏହି ସଂକଳ୍ପକୁ ସମର୍ଥନ କରିଥିଲେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଦସ୍ତାବିଜ ଜାରି ହୋଇଛି । ବାଚସ୍ପତି ଶ୍ରୀ ପାତ୍ର ଏ ସଂକ୍ରାନ୍ତ ଦସ୍ତାବିଜ ଆଜି ଦେଇଥିବାବେଳେ କେନ୍ଦ୍ର ମନ୍ତ୍ରୀ କିଭଳି ମିଳିନଥିବା ନେଇ ରାଜ୍ୟସଭାରେ କହିଲେ ତାକୁ ନେଇ ସଂଶୟ ବୃଦ୍ଧି ପାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏ ସଂକ୍ରାନ୍ତ ପ୍ରସ୍ତାବ ବିଧାନସଭାରେ ପାରିତ ହେବା ପରେ ତାହା କେନ୍ଦ୍ର ସରକାରଙ୍କ ନିକଟକୁ ନଯାଇ କ’ଣ ଆକାଶରେ ରହିଗଲା କି ବୋଲି କଟାକ୍ଷ କରିଛନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଉଚିତ୍ ଫୋରମରେ ପ୍ରଶ୍ନ କରାଯିବ ବୋଲି କହିଛନ୍ତି ।

ତେବେ ଏବେ ପ୍ରଶ୍ନ ଉଠୁଛି, ବିଧାନ ପରିଷଦ ସଂକଳ୍ପ ପ୍ରସ୍ତାବକୁ ନେଇ କିଏ ସତ କହୁଛନ୍ତି । ବିଧାନସଭା ପକ୍ଷରୁ ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯିବା ପରେ ଗତ ସାଢ଼େ ୩ବର୍ଷ ଧରି କାହିଁକି ରାଜ୍ୟ ସରକାର ଏହା ଉପରେ ଖୋଳତାଡ଼ କରିନଥିଲେ । କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପ୍ରସ୍ତାବ ମିଳିଥିବା ନେଇ କୌଣସି ‘ଆକନଲେଜମେଣ୍ଟ ଲେଟର’ ଓଡ଼ିଶା ସରକାରଙ୍କ ହସ୍ତଗତ ହୋଇଛି କି?

ଶାସକ ବିଜେଡି ନିଜର ରାଜନୀତିକ ମାଇଲେଜ୍ ପାଇଁ ବିଧାନସଭାରେ ପାରିତ କରୁଥିବା ଅନେକ ସଂକଳ୍ପ ପ୍ରସ୍ତାବ ଯଥା- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୨୦୧୩ ଏପ୍ରିଲ ମାସରେ ବିଧାନସଭାରେ ସଂକଳ୍ପ ପାରିତ, ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବିରେ ୨୦୧୫ ଡିସେମ୍ବରରେ ସଂକଳ୍ପ ପାରିତ, ଚାଷୀଙ୍କୁ ଧାନ ଏମଏସପିରେ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ପ୍ରଦାନ ଦାବିରେ ୨୦୧୭ ମାର୍ଚ୍ଚ ଓ ଡିସେମ୍ବରରେ ସଂକଳ୍ପ ପାରିତ, ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ୨୦୧୮ ନଭେମ୍ବରରେ ସଂକଳ୍ପ ପାରିତ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତାର ମାନ୍ୟତା ଦାବିରେ ୨୦୨୧ ଡିସେମ୍ବରରେ ସଂକଳ୍ପ ପାରିତ, ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସାମିଲ ପାଇଁ ୨୦୨୧ ମାର୍ଚ୍ଚରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିବାବେଳେ ଏସବୁ ‘ସଂକଳ୍ପ’ର ଭବିଷ୍ୟତ ଏବେ କେଉଁ ସ୍ଥିତିରେ ରହିଛି ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି ।

Related story