ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ପଶ୍ଚିମଓଡ଼ିଶାରେ ୨୦୧୭ ପଂଚାୟତ ନିର୍ବାଚନରେ କରିଥିବା ଖରାପ ପ୍ରଦର୍ଶନକୁ ପୁଣିଥରେ ଦୋହରାଇବାକୁ ଚାହୁଁନି। ଖାସ୍ ସେଇଥିପାଇଁ ବିଜେଡି ସରକାର ଏବେ ପଶ୍ଚିମଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି। ଚଳିତମାସ ୧୪ତାରିଖରେ କଳାହାଣ୍ଡି ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି ପ୍ରାୟ ୨ହଜାରରୁ ଅଧିକ କୋଟି ଟଙ୍କାର ଶତାଧିକ ପ୍ରକଳ୍ପକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କରିଥିବା ବିଜେଡି ଆସନ୍ତା ଦ୍ୱିତୀୟ ସପ୍ତାହରେ ସୁନ୍ଦରଗଡ଼ ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ପଶ୍ଚିମଓଡ଼ିଶାରେ ଉଭୟ ପଂଚାୟତ ଓ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ଆଶାନୁରୂପକ ରହିନଥିବାକୁ ନେଇ ଚିନ୍ତିତ ବିଜେଡି ଏବେ ସେଠାରେ ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ଭିକେ ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ସହ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ସେଠାରେ ମା’ ସମଲେଇ ମନ୍ଦିରରେ ଭିତ୍ତିଭୂମି ବିକାଶ ଓ ରାଉରକେଲା ହକି ଷ୍ଟାଡ଼ିୟମକୁ କାର୍ଯ୍ୟକ୍ଷମ କରିବା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହ ବିଦାୟୀ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଓ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗସ୍ତ କରିଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଫାଇଭ-ଟି ସଚିବ ଶ୍ରୀ ପାଣ୍ଡିଆନ ଯେଉଁସବୁ ସ୍ଥାନରେ ବିକାଶମୂଳକ କାର୍ଯ୍ୟକ୍ରମରେ ଯାଇଥାନ୍ତି ସେଠାର ରାଜନୀତିକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ନଗଣ୍ୟ ରହିଥାଏ। ମାତ୍ର ରାଉରକେଲାରେ ବିଜେଡି ବିଧାୟକ ଶାରଦା ନାୟକ ଓ ଅନ୍ୟ ଦଳୀୟ ଲୋକଙ୍କୁ ଧରି ହକି ଷ୍ଟାଡ଼ିୟମ ଭିତ୍ତିଭୂମି ବିକାଶର ସମୀକ୍ଷା କରିବାକୁ ଏହି ଟିମ୍ ପଛାଇ ନଥିଲା। ସେହିପରି ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରିବା ପରିବର୍ତ୍ତେ ନିଜର ଜଣେ ବିଶ୍ୱସ୍ତ ଅଫିସରଙ୍କୁ ବସାଇ ଆଗାମୀ ନିର୍ବାଚନରେ ତା’ର ରାଜନୀତିକ ଫାଇଦା ସାଉଁଟିବାକୁ ବିଜେଡି ଲକ୍ଷ୍ୟ ରଖିଛନ୍ତି।
ପଶ୍ଚିମଓଡ଼ିଶାର ଜଣେ ଦଳିତ ନେତ୍ରୀଙ୍କୁ ମହିଳା ବିଜେଡିର ସଭାନେତ୍ରୀ ଭାବେ ଆସୀନ କରାଇ ଦଳ ନିଜର ସଂଗଠନକୁ ସୁଦୃଢ଼ କରୁଥିବାର ସନ୍ଦେଶ ମଧ୍ୟ ଦେଇଛି। କଳାହାଣ୍ଡିରେ ମେଗା ଇଭେଣ୍ଟ କରିବାପରେ ବିଜେଡି ସରକାରଙ୍କ ଫୋକସରେ ଏବେ ପଶ୍ଚିମଓଡ଼ିଶା ରହିଥିବା ଏସବୁ ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ଏସବୁ ଭିତରେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଅଣଦେଖା କରି ପଂଚାୟତ ନିର୍ବାଚନରେ ଆଖିଦୃଶିଆ ସଫଳତା ହାସଲ ନିମନ୍ତେ ବିଜେଡି ଏବେଠୁ ସଂଗଠନ ଦୁର୍ବଳ ଥିବା ପଶ୍ଚିମଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ନଜର ପକାଇଛି।
ସୂଚନା ଅନୁସାରେ, କଳାହାଣ୍ଡିରେ ବିଜେଡି ନିଜର ୭୦ରୁ ୮୦ଜଣ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ନିଜର ଦଳୀୟ କାର୍ଯ୍ୟକ୍ରମ ଭାବେ ମେଗା ଇଭେଣ୍ଟଆକାରରେ ପାଳନ କଲା ତା’ର ସଫଳତାକୁ ନେଇ ଦଳ ଉତ୍ସାହିତ ହୋଇପଡ଼ିଛି। ଏବେ ଅନୁରୂପ ଢଙ୍ଗରେ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତାମାସର ଦ୍ୱିତୀୟ ସପ୍ତାହରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନକୁ ଏନେଇ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲା ଗସ୍ତରେ ଯାଇ ପ୍ରାୟ ୫ହଜାର କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ବିଜେଡି ମଧ୍ୟ ନିଜର ବିଧାୟକ ଓ ମନ୍ତ୍ରୀମାନଙ୍କୁ ପଠାଇ ପଂଚାୟତ ଓ ବ୍ଲକସ୍ତରରେ ଲୋକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛି । ପଂଚାୟତ ଓ ସାଧାରଣ ନିର୍ବାଚନରେ ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ନେଇ ଚିନ୍ତାରେ ଥିବା ବିଜେଡି ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଏବେ କଳାହାଣ୍ଡି ଫର୍ମୂଲା ଆପଣାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।