ଦାଦାବଟି ମାଗି ଯୁବ ବିଜେଡି ସାଧାରଣ ସମ୍ପାଦକ ଗିରଫ, ବ୍ଲକ ସଭାପତି ଫେରାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ତାଳଚେରସ୍ଥିତ ସାର କାରଖାନାରେ ଠିକା କାମ କରୁଥିବା ଏକ ସଂସ୍ଥାକୁ ଧମକ ଓ ଦାଦାବଟି ମାଗିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ କୁମାର ଦାସଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ସହଯୋଗ କରିଥିବା ତାଳଚେର ବ୍ଲକ୍ ଯୁବ ବିଜେଡି ସଭାପତି ମନୋଜ ସାହୁ ଏବେ ଫେରାର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ରାଜେଶ ଓ ମନୋଜ […]

790

790

Tapas Behera
  • Published: Friday, 01 January 2021
  • Updated: 01 January 2021, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ତାଳଚେରସ୍ଥିତ ସାର କାରଖାନାରେ ଠିକା କାମ କରୁଥିବା ଏକ ସଂସ୍ଥାକୁ ଧମକ ଓ ଦାଦାବଟି ମାଗିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ କୁମାର ଦାସଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ସହଯୋଗ କରିଥିବା ତାଳଚେର ବ୍ଲକ୍ ଯୁବ ବିଜେଡି ସଭାପତି ମନୋଜ ସାହୁ ଏବେ ଫେରାର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ରାଜେଶ ଓ ମନୋଜ ଏକ ଠିକା କମ୍ପାନୀକୁ ଗତ କିଛିଦିନ ଧରି ମୋଟାଅଙ୍କର ଦାଦାବଟି ମାଗିବା ସହ ବିିଭିନ୍ନ ପ୍ରକାରର ହଇରାଣ କରୁଥିଲେ। ଶାସକ ଦଳର କର୍ମକର୍ତ୍ତା ଭାବେ ନିଜ କ୍ଷମତାର ଦୁରୂପଯୋଗ କରି ସମ୍ପୃକ୍ତ ଠିକା କମ୍ପାନୀକୁ ଦାଦାବଟି ମାଗି କ୍ରମାଗତ ହଇରାଣ କରିବାପରେ ସ୍ଥାନୀୟ ବିକ୍ରମପୁର ଥାନାରେ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ ଏହି ଅଭିଯୋଗ ଆଧାରରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରି ରାଜେଶଙ୍କୁ ଗିରଫ କରିବାପରେ କୋର୍ଟ ଚାଲାଣ କରିଥିଲା। ତେବେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ତାଳଚେର ଜେଲକୁ ପଠାଇ ଦେଇଥିବା ଜଣାପଡ଼ିଛି।
ସେହିପରି ତାଙ୍କର ଅନ୍ୟତମ ସହଯୋଗୀ ତଥା ତାଳଚେର ଯୁବବିଜେଡି ସଭାପତି ମନୋଜ ସାହୁଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନି। ପୂର୍ବରୁ ମଧ୍ୟ ତାଳଚେର କୋଇଲା ଖଣି ଅଂଚଳରେ ଠିକା କାମକୁ ନେଇ ରାଜେଶଙ୍କ ନାଁରେ ଅନେକ ଅଭିଯୋଗ ରହିଛି।
ଉଲ୍ଲେଖଯୋଗ୍ୟ, ଗତ ଦୁଇଦିନ ତଳେ ୬୨ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାଦାବଟି ଆଦାୟ ଓ ସଂଗଠିତ ଅପରାଧ ବିରୁଦ୍ଧରେ ପ୍ରଭାବଶାଳୀ ଢଙ୍ଗରେ ସ୍ୱତନ୍ତ୍ର ଅଭିଯାନ କରିବା ନିମନ୍ତେ ପୁଲିସକୁ ପରାମର୍ଶ ଦେଉଥିବାବେଳେ ଖୋଦ୍ ବିଜେଡିର କର୍ମକର୍ତ୍ତାମାନେ ଦାଦାବଟିରେ ସାମିଲ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦଳର ଏହି ଦୁଇ ଯୁବନେତାଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବିଜେଡି ଯୁବ ଶାଖା ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos