/odisha-reporter/media/post_attachments/uploads/2019/11/alocol.jpg)
alocol
ଦେବେନ୍ଦ୍ର ପୃଷ୍ଟି
ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦୀଙ୍କ ଉତ୍ଥାନ ଥିଲା ୨୦୧୪ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟିର ଏକ ସ୍ଲୋଗାନ ଥିଲା ‘ହର ହର ମୋଦୀ, ଘର ଘର ମୋଦୀ’। ଏହାର କିଛି ବର୍ଷ ପରେ ଓଡ଼ିଶାର ଶାସକ ବିଜୁ ଜନତା ଦଳ ଏହି ସ୍ଲୋଗାନକୁ ନକଲ କରି ଏକ କାର୍ଯ୍ୟକ୍ରମ ଆରମ୍ଭ କଲା। ତାହାର ନାମ ଦିଆଗଲା ‘ଘରେ ଘରେ ଶଙ୍ଖ’। ବିଜୁ ଜନତା ଦଳକୁ ଘରେ ଘରେ ପହଂଚାଇବା ପାଇଁ ନିଜେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କୁହାଯାଇଥିଲା ବିଜେଡି ନେତା ଓ କର୍ମୀମାନେ ବିଜେପି ନେତା ଓ କର୍ମୀଙ୍କ ପରି ଘର ଘର ବୁଲିବେ ଓ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବେ। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ମଧ୍ୟରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହାର ଜନସଂପର୍କ ପଦଯାତ୍ରା ସମୟରେ। ଦଳ ମୁଖିଆଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅନୁଯାୟୀ ଓଡ଼ିଶାର ସବୁ ଘରେ ଦଳର ଚିହ୍ନ ଶଙ୍ଖ ପହଂଚୁ କି ନପହଂଚୁ ଦଳ କିନ୍ତୁ ପୂର୍ବାପେକ୍ଷା ଅଧିକ ଭୋଟ ପାଇ ଜିତିଲା ଓ ପଂଚମ ଥର ପାଇଁ ସରକାର ଗଠନ କଲା।
୨୦୧୯ ନିର୍ବାଚନର ଅଳ୍ପ କେଇ ଦିନ ପୂର୍ବରୁ ଓଡ଼ିଶା ସରକାର ଆରମ୍ଭ କରିଥିଲେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ। ସେତେବେଳେ କୁହାଗଲା ବିଜୁ ଯୁବ ବାହିନୀର ସଦସ୍ୟମାନେ ଗାଁ ଗାଁରେ ଗୋଷ୍ଠୀ ଭିତ୍ତିକ ବିକାଶର ନେତୃତ୍ୱ ନେବେ, ସାମାଜିକ ନେତୃତ୍ୱ ସୃଷ୍ଟି କରିବେ, ସରକାରଙ୍କ ସହିତ ଲୋକମାନଙ୍କୁ ଯୋଡ଼ିବେ। ସେତେବେଳେ ବିରୋଧୀ ଦଳଗୁଡ଼ିକ ସରକାରଙ୍କର ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ। ବିପକ୍ଷର ନେତାମାନେ ସନ୍ଦେହ କରୁଥିଲେ ଯେ ଦଳୀୟ କର୍ମୀମାନଙ୍କୁ ସରକାରୀ ଖର୍ଚ୍ଚରେ ଆପ୍ୟାୟିତ କରି ଦଳୀୟ କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ବାହିନୀ ଜରିଆରେ ସରକାର ଗାଁ ଗାଁରେ ନିର୍ବାଚନୀ ମଦ ଓ ଟଙ୍କା ବାଣ୍ଟିବେ ବୋଲି ସନ୍ଦେହ କରାଯାଉଥିଲା। ତେଣୁ ପରେ ଶାସକ ଦଳ ପକ୍ଷରୁ କୁହାଗଲା ଯେ ବିଜୁ ଯୁବ ବାହିନୀର ସଦସ୍ୟମାନେ ନିଶା ନିବାରଣ ବାର୍ତ୍ତା ପ୍ରଚାର କରିବା ସହିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ କରିବେ। ନିର୍ବାଚନ ପରେ ବିଜୁ ଯୁବ ବାହିନୀ ଅଛି କି ନାହିଁ ଅସ୍ପଷ୍ଟ ଥିବାବେଳେ ବିଜେଡି ସଭାପତି ଦଳର ଏକ ସାମାଜିକ ବାହିନୀ ଗଠନ କଲେ। କୁହାଗଲା ବିଜେଡିର ସାମାଜିକ କର୍ମୀମାନେ ରକ୍ତଦାନ ଓ ଅଙ୍ଗଦାନ ଆଦି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କର ସେବା କରିବେ।
ସତରେ ଯଦି ଏଭଳି ସବୁ ମହତ ଉଦ୍ଦେଶ୍ୟରେ ବିଜୁ ଯୁବ ବାହିନୀ ଓ ବିଜେଡି ସମାଜସେବା ୱିଙ୍ଗ ଗଠିତ ହୋଇଥାନ୍ତା ତେବେ ଓଡ଼ିଶାର କୌଣସି ଘରେ ଆଉ ଦୁସ୍ଥ ଓ ଅସହାୟ ଲୋକ ନଥାନ୍ତେ। ଦଳର ଦାବି ଅନୁସାରେ ରାଜ୍ୟର ୪୦ ଲକ୍ଷ ଲୋକ ବିଜେଡି ସଭ୍ୟ ହୋଇସାରିଛନ୍ତି। ଓଡ଼ିଶାର ଲୋକସଂଖ୍ୟା ପ୍ରାୟ ୪.୫ କୋଟି ଏବଂ ପରିବାର ସଂଖ୍ୟା କୋଟିଏ। ତେଣୁ ଜଣେ ଜଣେ ବିଜେଡି କର୍ମୀଙ୍କ ଭାଗରେ ଅଢ଼େଇଟି ପରିବାର ବା ୧୧ ଜଣଙ୍କ ଦାୟିତ୍ୱ ପଡ଼ିବ। ଦଳର କର୍ମୀମାନେ ଯଦି ସମସ୍ତେ ନିଜନିଜ ଭାଗରେ ପଡ଼ୁଥିବା ପରିବାର କିମ୍ବା ଲୋକମାନଙ୍କର ସେବା କରନ୍ତେ ତାହା ହେଲେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ବାହାରନ୍ତେ ନାହିଁ କି କେହି ଯୋଗ୍ୟ ଏଥିରୁ ବାଦ ପଡ଼ିଲେ ବୋଲି ଅଭିଯୋଗ କରନ୍ତେ ନାହିଁ। ସେହିପରି ଅନ୍ୟ ସବୁ ଯୋଜନାର ହିତାଧିକାର ଚୟନ।
ସେହିପରି ବିଜେଡି କର୍ମୀମାନେ ଯଦି ନିଶା ନିବାରଣ କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରୁଥାନ୍ତେ ତେବେ ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା ବଢ଼ନ୍ତା ନାହିଁ। ବିଜେଡି ସମ୍ବିଧାନ ଅନୁସାରେ କୌଣସି ମଦୁଆ ଦଳର ସଦସ୍ୟ ହୋଇପାରିବେ ନାହିଁ। ଯେଉଁ ୪୦ ଲକ୍ଷ ଲୋକ ବିଜେଡି ସଦସ୍ୟ ହୋଇଛନ୍ତି ବୋଲି ଦଳ ଦାବି କରୁଛି ସେମାନେ ନିଜନିଜ ଘର ଲୋକଙ୍କୁ ମଦରୁ ଦୂରେଇ ନେଲେ ରାଜ୍ୟର ଅଧିକାଂଶ ଗାଁ ମଦ-ମୁକ୍ତ ହୋଇଯାଆନ୍ତା। ରାଜ୍ୟର ୬୭୦୦ ଗ୍ରାମ ପଂଚାୟତରୁ ଅଧିକାଂଶ ପଂଚାୟତର ସରପଂଚ ହେଉଛନ୍ତି ବିଜେଡି କର୍ମୀ। ପ୍ରାୟ ୧.୨ ଲକ୍ଷ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଜେଡି କର୍ମୀ। ସେହିପରି ୮୫୪ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୩୦୦ ଉପରେ ହେଉଛନ୍ତି ବିଜେଡି କର୍ମୀ। ରାଜ୍ୟର ୧୪୭ ବିଧାୟକଙ୍କ ମଧ୍ୟରୁ ୧୧୨ ଜଣ ହେଲେ ବିଜେଡି ନେତା। ଏମାନେ ଯଦି ନିଷ୍ଠା ଓ ସାଧୁତାର ସହିତ ନିଶା ନିବାରଣ ଉପରେ କାମ କରନ୍ତେ ତେବେ ସମାଜରେ ଯାବତୀୟ ହିଂସା, ନାରୀ ନିର୍ଯାତନା, ଅର୍ଥାଭାବ ଓ ଦାରିଦ୍ର୍ୟର କାରଣ ହୋଇଥିବା ମଦ ବିକ୍ରି କମନ୍ତା।
ଅଥଚ, ସଂପୂର୍ଣ୍ଣ ଓଲଟା ଦିଗରେ ଚାଲିଛି ଓଡ଼ିଶା। ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ରାଜ୍ୟରେ ଘରେ ଘରେ ମଦ ପହଂଚାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ଦିଗରେ ସର୍ବଶେଷ ପଦକ୍ଷେପ ହେଉଛି ଗାଁ, ଗୋଷ୍ଠୀ, କଲୋନୀ ଓ ସହରରେ ହେଉଥିବା ଉତ୍ସବାଦି ସ୍ଥଳରେ ଅସ୍ଥାୟୀ ମଦ ଦୋକାନ ଖୋଲିବାର ଅଭିଯାନ। ସରକାର ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ କୁହାଯାଇଛି, ଯେଉଁଠି ମେଳା, ମଉଚ୍ଛବ ଆଦି ଆୟୋଜିତ ହେଉଛି, ବହୁ ସଂଖ୍ୟାରେ ଜନ ସମାଗମ ଘଟୁଛି, ସେଠାରେ ଯଦି କେହି ଅସ୍ଥାୟୀ ମଦ ଦୋକାନ ଖୋଲିବାକୁ ଅନୁମତି ମାଗୁଥାନ୍ତି ତେବେ ତାଙ୍କଠାରୁ ଉପଯୁକ୍ତ ପାଉଣା ନେଇ ତୁରନ୍ତ ଅନୁମତି ପ୍ରଦାନ କରିବେ ଜିଲ୍ଲାପାଳ। ପୂର୍ବରୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନବୀନବାବୁଙ୍କ ସରକାର ଜିଲ୍ଲା ସ୍ତରରେ ମଦ ଲାଇସେନ୍ସ ପ୍ରଦାନ କରିବାର କ୍ଷମତା ଅର୍ପଣ କରିଛନ୍ତି। ଏହା ପୂର୍ବରୁ ମଦ ଲାଇସେନ୍ସ ପ୍ରଦାନ କରିବାର କ୍ଷମତା ଅବକାରୀ କମିଶନରଙ୍କ ପାଖରେ ଥିଲା। ପୁଣି ଅବକାରୀ ମନ୍ତ୍ରୀ କହିଥିଲେ, ରାଜ୍ୟରେ ମଦର ଅଭାବ ରହିବ ନାହିଁ। ରାଜ୍ୟର ଦୁଧ ଓ ପନିପରିବାର ଅଭାବ ରହୁ ପଛେ!
ସରକାରଙ୍କର ଏଭଳି ନିର୍ଦ୍ଦେଶ ପରେ ରାଜ୍ୟର ଗାଁ ଗାଁରେ ଅସ୍ଥାୟୀ ମଦ ଦୋକାନ ଖୋଲିବାର ସମ୍ଭାବନା ରହିଛି। ବାସ୍ତବରେ ଏହା ଏକ ସାମାଜିକ ବିପଦର ଆଶଙ୍କା। ମଦ ଯୋଗୁଁ ଗାଡ଼ି ଦୁର୍ଘଟଣା ବୃଦ୍ଧି ପାଉଛି। ମଦ ଯୋଗୁଁ ସମାଜରେ ହତ୍ୟା ଓ ଧର୍ଷଣ ପରି ଅପରାଧ ବୃଦ୍ଧି ପାଉଛି। ମଦ ଯୋଗୁଁ ଘରେ ଘରେ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ମଦ ଯୋଗୁଁ ଅନେକ ପରିବାରର ଆର୍ଥିକ ଭିତ୍ତିଭୂମି ଭୁଶୁଡ଼ି ପଡ଼ୁଛି। ମଦ ଯୋଗୁଁ ଅନେକ ଲୋକ ରୁଗ୍ଣ ଓ କାଙ୍ଗାଳ ହୋଇଯାଉଛନ୍ତି। ମଦ ଯୋଗୁଁ ରାଜ୍ୟର ମୁଖ୍ୟ କର୍ମବଳ ଦୁର୍ବଳ ହେଉଛି ଓ ଉତ୍ପାଦନ କମୁଛି। ଏସବୁ ବାସ୍ତବତା ବୁଝିଥିଲେ ବିଜୁ ପଟ୍ଟନାୟକ। ସେଥିପାଇଁ ସେ ପ୍ରଥମେ ମଦ ନିଷେଧ କରିଥିଲେ। ପରେ ମଦଲବିର ଚାପରେ ପଡ଼ି ବିଦେଶୀ ମଦକୁ ଅନୁମତି ଦେଇ ଭାଟିମଦ ନିଷେଧ କରିଥିଲେ। ମଦ ବିରୋଧରେ ଲଢ଼େଇ କରୁଥିବା ଆଦିବାସୀ ମହିଳାମାନଙ୍କୁ ପୁଲିସ କ୍ଷମତା ଦେଇଥିଲେ। ମାତ୍ର, ତାଙ୍କରି ପୁଅ ନବୀନ ପଟ୍ଟନାୟକ ସରକାରୀ ମୁଖ୍ୟ ଭାବେ ରାଜ୍ୟରେ ଉଭୟ ଦେଶୀ ଓ ବିଦେଶୀ ମଦ ପ୍ରସାରଣକୁ ସହଜ ଓ ସୁଲଭ କରିବାରେ ଲାଗିଛନ୍ତି। ତାଙ୍କ ଦଳର ନେତାମାନେ କହୁଛନ୍ତି ମଦ ବନ୍ଦ କରି ସରକାର ଚୋରା ମଦକୁ ପ୍ରଶ୍ରୟ ଦେବାକୁ ଚାହୁଁ ନାହାନ୍ତି। ଏହା କ’ଣ ଏକ ଯୁକ୍ତି? ଚୋରା ମଦ ରୋକିବା ଦାୟିତ୍ୱ କାହାର? ଚୋରା ମଦ ବନ୍ଦ କରିବାକୁ କ’ଣ ମଦ ପ୍ରସାରଣ ଏକମାତ୍ର ବାଟ? ଏକ ସୁସ୍ଥ ଓ ସବଳ ମସ୍ତିଷ୍କ କ’ଣ ଏଭଳି ଚିନ୍ତା କରେ?
ରାଜ୍ୟର ଅନେକ ସ୍ଥାନରେ ମହିଳାମାନେ ଏବେ ବି ମଦ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଅନେକ ସ୍ଥାନରେ ସରକାରୀ ପୁଲିସ ସେମାନଙ୍କ ଉପରେ ଲାଠି ଓ ଗୁଳି ମାଡ଼ କରୁଛି। ମଦ ଦୋକାନୀକୁ ମିଳୁଛି ସବୁ ପ୍ରକାର ସୁରକ୍ଷା। ଅଧିକ ମଦ ବିକ୍ରି କରୁଥିବା ଦୋକାନୀକୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ବି ହୋଇଛି। ଅଥଚ ବିଦେଶୀ ମଦ ପିଇବାକୁ ଚାହୁଁଥିବା ଲୋକର ରୋଜଗାର ବୃଦ୍ଧି ଦିଗରେ ସରକାର କିଛି କରୁ ନାହାନ୍ତି। ମଦ ଯୋଗୁଁ ନାନାଦି ରୋଗର ଶିକାର ହେଉଥିବା ଲୋକର ଚିକିତ୍ସା ପାଇଁ ସହଜ ଓ ସୁଲଭରେ ଡାକ୍ତର ଓ ଡାକ୍ତରଖାନା ଯୋଗେଇ ଦିଆଯାଉନାହିଁ। ନିର୍ବାଚନ ମାସକ ଦଳୀୟ ମଦ ପିଇ ପିଇ ଅଭ୍ୟାସରେ ପଡ଼ିଯାଇଥିବା ଲୋକ ସାମାନ୍ୟ ରୋଜଗାରକୁ ମଦରେ ଉଡ଼େଇଦେଲେ ତା’ର ପିଲାମାନେ ଉପଯୁକ୍ତ ଶିକ୍ଷା ସୁବିଧାରୁ ବଂଚିତ ହେଉଛନ୍ତି, ରୋଗ ହେଲେ ଠିକଣା ସମୟରେ ଡାକ୍ତର ଦେଖେଇ ଔଷଧ ଖାଇପାରୁ ନାହାନ୍ତି, ପ୍ରତିବାଦ କଲେ ଘରେ ମାଡ଼ପିଟ୍, କଳିତକରାଳ, ଏମିତିକି ହତ୍ୟାକାଣ୍ଡ ମଧ୍ୟ ସଂଘଟିତ ହେଉଛି। ଏସବୁ ବନ୍ଦ କରିବା କାହା କାମ? ଓଡ଼ିଶା ଶାସନର ନା ତାମିଲନାଡ଼ୁ ସରକାରଙ୍କର?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
