୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେଡି ପାଇଁ ସତର୍କ ଘଣ୍ଟି କାହିଁକି ?

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ବ୍ୟାକଫୁଟକୁ ନେଇଆସିଛି। ବିଜେପିର ସଫଳ ଷ୍ଟ୍ରାଟେଜୀ ମେକର ଅମିତ୍ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଡ଼ିର ବିଜୟ ଅଭିଯାନରେ ବ୍ରେକ୍ ଲାଗିଛି ତଥା ଆଗାମୀ ନିର୍ବାଚନରେ ଦିଲ୍ଲୀ ଦରବାରକୁ ପୁଣିଥରେ ଦଖଲ କରିବା ବି ସହଜ ନୁହେଁ ବୋଲି ଆଭାସ ମଧ୍ୟ ବିଜେପି ଏବେଠୁ ପାଇଛି। ତେବେ ଏହି ନିର୍ବାଚନୀ ଫଳାଫଳର ପ୍ରଭାବ ରାଜ୍ୟର କ୍ଷମତାସୀନ ବିଜେଡି ଉପରେ […]

or

or

Manoranjan Sial
  • Published: Tuesday, 11 December 2018
  • Updated: 11 December 2018, 09:23 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ବ୍ୟାକଫୁଟକୁ ନେଇଆସିଛି। ବିଜେପିର ସଫଳ ଷ୍ଟ୍ରାଟେଜୀ ମେକର ଅମିତ୍ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଡ଼ିର ବିଜୟ ଅଭିଯାନରେ ବ୍ରେକ୍ ଲାଗିଛି ତଥା ଆଗାମୀ ନିର୍ବାଚନରେ ଦିଲ୍ଲୀ ଦରବାରକୁ ପୁଣିଥରେ ଦଖଲ କରିବା ବି ସହଜ ନୁହେଁ ବୋଲି ଆଭାସ ମଧ୍ୟ ବିଜେପି ଏବେଠୁ ପାଇଛି।

ତେବେ ଏହି ନିର୍ବାଚନୀ ଫଳାଫଳର ପ୍ରଭାବ ରାଜ୍ୟର କ୍ଷମତାସୀନ ବିଜେଡି ଉପରେ ପଡ଼ିବ କି?ଏହି ଫଳାଫଳ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ସତର୍କଘଣ୍ଟି ହେବ ନା ରାଜ୍ୟ ବିଜେପିକୁ ନିରାଶା ମଧ୍ୟକୁ ଠେଲି ଦେବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଆଉ ମଧ୍ୟ ଫଳାଫଳକୁ ନେଇ ଉତ୍ସାହିତ କଂଗ୍ରେସ ପୁଣିଥରେ ରାଜ୍ୟରେ ଦ୍ୱିତୀୟ ନମ୍ବରକୁ ଆସିପାରିବ କି?

କାହିଁକି ହାରିଲା ବିଜେପି

ରାଜନୀତିକ ବିଶ୍ଲେଷକଙ୍କ ମତରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି ନିଜ ଗଡ଼ରେ ବିଜେପି ପରାଜିତ ହେବା ପଛରେ ଆଣ୍ଟି ଇନକମ୍ବେନ୍ସି (କ୍ଷମତାବିରୋଧୀ ହାୱା) ପ୍ରବଳ ମାତ୍ରାରେ ପ୍ରଭାବ ପକାଇଥିବାବେଳେ ଦଳ ମୁଖ୍ୟତଃ ୩-୪ଟି କାରଣ ପାଇଁ କ୍ଷମତାରୁ ହଟିବାକୁ ବାଧ୍ୟ ହୋଇଛି। ଚାଷୀ ଆନ୍ଦୋଳନ, ଦଳିତ ଆନ୍ଦୋଳନ, ବିମୁଦ୍ରାକରଣ ଓ ସ୍ଥାନୀୟ ପ୍ରସଙ୍ଗ ହିଁ ବିଜେପିକୁ ନିଜ ଗଡ଼ରେ ପରାଜିତ କରି ଦେଇଛି। ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏସବୁ ରାଜ୍ୟରେ ବିଜେପିର ପରାଜୟ ପାଇଁ ମୁଖ୍ୟତଃ ଚାଷୀ ସମସ୍ୟାକୁ ଅଣଦେଖା କରିବାର ପରିଣାମ ବୋଲି ମତ ଦେଇଛନ୍ତି। ଅବଶ୍ୟ ଶ୍ରୀ ପଟ୍ଟନାୟକଙ୍କ ଦଳ ଓ ସରକାର ଏପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ଏବଂ ସମସ୍ୟା ପ୍ରତି ଅଣଦେଖା କରିଚାଲିଛି। ତେବେ ଆଗାମୀ ନିର୍ବାଚନରେ ବିଜେଡି ନିମନ୍ତେ ଏହି ୪ଟି ପ୍ରସଙ୍ଗ ବି ବେଶ୍ ମୁଣ୍ଡବ୍ୟଥାର କାରଣ ପାଲଟିବାର ଆଶଙ୍କା ରହିଛି।

ଵ୍ୟାକଫୁଟରେ ବିଜେଡି

ତଥ୍ୟାଭିଜ୍ଞଙ୍କ ମତରେ ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ଚାଷୀଙ୍କ ସମସ୍ୟା, ବେକାରୀ ପ୍ରସଙ୍ଗ, ମହିଳାଙ୍କ ସମସ୍ୟା, ଦଳୀୟ କନ୍ଦଳ ଓ ସ୍ଥାନୀୟ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହେବ।ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ମଧ୍ୟ ଏହି ସମସ୍ତ ପ୍ରସଙ୍ଗରେ ବ୍ୟାକଫୁଟରେ ରହିଛି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏପର୍ଯ୍ୟନ୍ତ ଆଖିଦୃଶିଆ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ନେବାରେ ବିଜେଡି ସରକାର ବିଫଳ ହୋଇଛି। ତା’ଛଡ଼ା ଗତମାସରେ ଆନ୍ଦୋଳନ ପାଇଁ ଆସିଥିବା ଚାଷୀଙ୍କୁ ଭୁବନେଶ୍ୱରରେ ସମାବେଶ କରାଇ ନଦେବାର ଆକ୍ରୋଶ ମଧ୍ୟ ବିଜେଡିକୁ ଆଶଙ୍କାରେ ପକାଇଛି। ଯଦିଓ ନବୀନ ଏବେ ଚାଷୀଙ୍କ ସମସ୍ୟାକୁ ବିଜେପିର ପରାଜୟର ମୁଖ୍ୟ କାରଣ କହୁଛନ୍ତି ତଥାପି ନିଜେ କିମ୍ବା ତାଙ୍କ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇନାହାନ୍ତି।

ସେହିପରି ଦୀର୍ଘ ୧୯ବର୍ଷ ମଧ୍ୟରେ କର୍ମନିଯୁକ୍ତି ସୃଷ୍ଟି କରିବାରେ ବିଜେଡି ସରକାର ଫେଲ୍ ମାରିଛି। ଯଦିଓ କର୍ମନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦାୟୀ କରି ବିଜେଡି ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ତଥାପି ରାଜ୍ୟରେ ଶିକ୍ଷିତ ଯୁବକଯୁବତୀଙ୍କ ସ୍ଥିତି ଦୟନୀୟ ବୋଲି ଦଳ ପରୋକ୍ଷରେ ସ୍ୱୀକାର କରିଛି। ଏବେ ରାଜ୍ୟରେ ପ୍ରାୟ ୨୦ରୁ ୨୫ଲକ୍ଷ ଶିକ୍ଷିତ ଯୁବକଯୁବତୀଙ୍କ ପାଖରେ ରୋଜଗାରର କୌଣସି ମାଧ୍ୟମ ନାହିଁ କିମ୍ବା କର୍ମସଂସ୍ଥାନ ନାହିଁ। ୨୦୧୪ ନିର୍ବାଚନରେ ୧୮ରୁ ୩୪ବର୍ଷ ବୟସର ମୋଟ ୩୯% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ କର୍ମସଂସ୍ଥାନ ପାଇନଥିବାରୁ ସେମାନଙ୍କ ମନରେ ଆକ୍ରୋଶ ବିଜେଡି ପାଇଁ ମହଙ୍ଗା ପଡ଼ିପାରେ। ବେକାରୀ ସମସ୍ୟାର ସମାଧାନ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ସମୀକ୍ଷା ପ୍ରସ୍ତାବ ଶୀତଳ ଭଣ୍ଡାରରେ ରହିଥିବାବେଳେ ଦକ୍ଷତା ବିକାଶ ମିଶନର ସଫଳତା ବି କାଗଜକଲମରେ ସୀମିତ ରହିଛି।

ମହିଳା ଭୋଟ ହାତଛଡ଼ା ହେବ କି

ସେହିପରି ରାଜ୍ୟରେ ନାବାଳିକା ଓ ମହିଳାଙ୍କ ବିରୋଧରେ ବୃଦ୍ଧି ପାଉଥିବା ହିଂସା ଏବଂ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ଉଦ୍ଦିଷ୍ଟ ‘ମିଶନ ଶକ୍ତି’ର ବିଫଳତା ବି ବିଜେଡି ପାଇଁ ଚିନ୍ତାର କାରଣ ହେବ।୭୦ଲକ୍ଷ ମହିଳା ସଦସ୍ୟଙ୍କୁ ନେଇ ପରିଚାଳିତ ପ୍ରାୟ ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ କ୍ରେଡିଟ୍ ଲିଙ୍କେଜ୍ ଓ ମାର୍କେଟ୍ ଲିଙ୍କେଜ୍ ପାଉନଥିବାରୁ ସରକାରଙ୍କ ଉପରେ ଖପ୍ପା।ଦୀର୍ଘ ଦଶନ୍ଧି ଧରି ବିଜେଡି ସରକାର କେବଳ ଏହି ଏସଏଚଜିମାନଙ୍କୁ ୧୦ହଜାର ଟଙ୍କା (୨୦୧୪)ରେ ଓ ଏବେ ୧୫ହଜାର ଟଙ୍କାର ମୂଳପୁଞ୍ଜି ଦେଇ ଚୁପ୍ ବସିଛି। ସେମାନଙ୍କର ବାସ୍ତବ ସମସ୍ୟା ପ୍ରତି ଆଖିବୁଜି ଦେଇଛି।

ସେହିପରି ରାଜ୍ୟରେ ମହିଳା ନିର୍ଯାତନା ହାର ଆଖିଦୃଶିଆ ଭାବେ ବଢ଼ିଚାଲିଛି। ପୁଲିସ ପ୍ରଶାସନ ତା’ ଉପରେ ନିୟନ୍ତ୍ରଣ ରଖିପାରିନି।୨୦୧୪ରେ ରାଜ୍ୟରେ ୧୮ରୁ ୩୫ବର୍ଷ ବୟସର ୧୮.୩% ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ନିର୍ଯାତନା ବୃଦ୍ଧି ପାଉଥିବା ଯୋଗୁ ଏହି ବର୍ଗର ମହିଳାଙ୍କ ଭୋଟ ୨୦୧୯ରେ ବିଜେଡି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟଙ୍କୁ ସନ୍ତୁଷ୍ଟ କରିବା ବିଜେଡି ପାଇଁ ଏବେ କାଠିକାର ପାଠ ହୋଇଛି।

ଏସବୁ ବ୍ୟତୀତ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ସ୍ୱତନ୍ତ୍ର କୋଶଳୀ ରାଜ୍ୟ, ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ, ରାଉରକେଲାରେ ମେଡିକାଲ କଲେଜ, କୋରାପୁଟ-କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଦି ସ୍ଥାନୀୟ ପ୍ରସଙ୍ଗ ମଧ୍ୟ ଭୋଟକୁ ପ୍ରଭାବିତ କରିବ। ସେହିପରି ରାଜ୍ୟରେ ଦୀର୍ଘଦିନ ଧରି କ୍ଷମତାସୀନ ଥିବା ବିଜେଡିରେ ଗୋଷ୍ଠୀକନ୍ଦଳ ଓ ଟିକେଟ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ବି ନବୀନଙ୍କ ପାଇଁ ବେଶ ମୁଣ୍ଡବ୍ୟଥାର କାରଣ ହେବ ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos