ବିଜେଡିର ଅଡ଼ୁଆ ବଢ଼ାଇଛି ସାଂଗଠନିକ ନିର୍ବାଚନ, ସମ୍ବିଧାନ ସଂଶୋଧନ ପାଇଁ ଚାଲିଛି ମସୁଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏବେ ଦଳ ଭିତରେ ରହିଥିବା କନ୍ଦଳକୁ ପୁଣିଥରେ ସତେଜ କରାଇଛି। ବ୍ଲକ ଓ ନଗର ସଭାପତି ସମେତ ଜିଲ୍ଲା ସଭାପତି ଓ ସଦସ୍ୟ ଚୟନ ପାଇଁ ଚାଲିଥିବା ପ୍ରକ୍ରିୟାରେ ଏହି ଅସନ୍ତୋଷ ପଦାକୁ ଆସିଥିବାବେଳେ ପ୍ରଥମଥର ପାଇଁ ଦଳର ସମ୍ବିଧାନକୁ ସଂଶୋଧନ କରିବା ନିମନ୍ତେ ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀ ଏବେ ଚାପ ପକାଇବାରେ ଲାଗିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଚଳିତମାସ ଶେଷ ସୁଦ୍ଧା ବ୍ଲକ ଓ […]

bjd-1..

Manoranjan Sial
  • Published: Wednesday, 22 January 2020
  • , Updated: 22 January 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏବେ ଦଳ ଭିତରେ ରହିଥିବା କନ୍ଦଳକୁ ପୁଣିଥରେ ସତେଜ କରାଇଛି। ବ୍ଲକ ଓ ନଗର ସଭାପତି ସମେତ ଜିଲ୍ଲା ସଭାପତି ଓ ସଦସ୍ୟ ଚୟନ ପାଇଁ ଚାଲିଥିବା ପ୍ରକ୍ରିୟାରେ ଏହି ଅସନ୍ତୋଷ ପଦାକୁ ଆସିଥିବାବେଳେ ପ୍ରଥମଥର ପାଇଁ ଦଳର ସମ୍ବିଧାନକୁ ସଂଶୋଧନ କରିବା ନିମନ୍ତେ ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀ ଏବେ ଚାପ ପକାଇବାରେ ଲାଗିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତମାସ ଶେଷ ସୁଦ୍ଧା ବ୍ଲକ ଓ ନଗର ସଭାପତି ଚୟନ କାର୍ଯ୍ୟ ସାରିବା ପାଇଁ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବାବେଳେ ଫେବୃୟାରୀ ୧୫ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଚୟନ କାର୍ଯ୍ୟ ହେବ। ଦଳ ପକ୍ଷରୁ ଏବେ ବିଭିନ୍ନ ବ୍ଲକ ଓ ନଗର ସଭାପତି ପଦ ନିମନ୍ତେ ସହମତି ଭିତ୍ତିରେ ନେତା ଚୟନ କରାଯାଉଛି। ଅନେକ ସ୍ଥାନରେ ବିରୋଧାଭାସ ରହୁଥିବାରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା(ସାଧାରଣ ସମ୍ପାଦକ,ମୁଖ୍ୟାଳୟ) ଓ ପ୍ରଣବ ପ୍ରକାଶ ଦାସ(ସାଧାରଣ ସମ୍ପାଦକ,ସଂଗଠନ) ମିଳିତ ଭାବେ ବୈଠକ ଡାକି ସ୍ଥାନୀୟ ନେତାମାନଙ୍କର ମତାମତ ନେଉଛନ୍ତି। ଗତ ୩ଦିନ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ଏଭଳି ବୈଠକ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ସଭାପତି ପଦବୀକୁ ନେଇ ସହମତି ହୋଇପାରୁନଥିବା ଜଣାପଡ଼ିଛି। କେବଳ କଟକ ଓ ଭୁବନେଶ୍ୱର ନୁହେଁ ବରଂ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ରହିଛି। ବିଶେଷକରି ଯେଉଁ ସବୁ ଅଞ୍ଚଳରେ ଦଳର ନୂଆ ବିଧାୟକ ବିଜୟୀ ହୋଇଛନ୍ତି ସେଠାରେ ସେମାନେ ସଂଗଠନକୁ ନିଜ ପାଖରେ ରଖିବାକୁ ଚାହୁଁଥିବାରୁ ନୂଆ ସମସ୍ୟା ହୋଇଛି। ଦଳର ପୁରୁଣା କର୍ମୀ ଓ ନେତାମାନେ ନିଜକୁ ଅସୁରକ୍ଷିତ ମନେ କରି ସିଧାସଳଖ ଏଭଳି ଚୟନ ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଛନ୍ତି। ଅବଶ୍ୟ ଏସବୁ ଅସନ୍ତୋଷକୁ ଦୂର କରିବା ନିମନ୍ତେ ବିଜେଡି ପକ୍ଷରୁ ଶ୍ରୀ ଦାସବର୍ମା ଓ ଶ୍ରୀ ଦାସ ପ୍ରୟାସ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବିଜେଡି ଗଠନର ପ୍ରାୟ ୨୩ବର୍ଷ ପରେ ଦଳର ସମ୍ବିଧାନକୁ ସଂଶୋଧନ ନିମନ୍ତେ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ଦଳର ସମ୍ବିଧାନରେ ନୂଆ କରି ସଂଗଠନ ସମ୍ପାଦକ ପଦବୀକୁ ସାମିଲ କରିବା ଓ ଏହାକୁ ଅଧିକ କ୍ଷମତା ନ୍ୟସ୍ତ କରିବା ନିମନ୍ତେ ମସୁଧା ଚାଲିଛି। ଦଳର ଏକ ବଡ଼ ଗୋଷ୍ଠୀ ଏଭଳି ସଂଶୋଧନକୁ ବିରୋଧ କରୁଥିଲେ ମଧ୍ୟ ତୃତୀୟ ମହଲା ସହ ନିୟମିତ ଯୋଗସୂତ୍ରରେ ରହିଥିବା ନେତାମାନେ ଏହାକୁ ସମର୍ଥନ କରୁଛନ୍ତି। ଦଳ ଗଠନବେଳେ ରାଜନୀତିକ ବ୍ୟାପାର କମିଟି ଅଧ୍ୟକ୍ଷ ଭଳି ପଦବୀ ସୃଷ୍ଟି ହେବାର ତିକ୍ତ ଅନୁଭୂତିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଭୁଲି ନଥିବାବେଳେ ଏବେ ପୁଣିଥରେ ସଂଗଠନ ସମ୍ପାଦକ ପଦବୀକୁ ଅଧିକ କ୍ଷମତାଶାଳୀ କରିବା ନେଇ ପ୍ରୟାସ ଆରମ୍ଭ ହୋଇଛି। ଯାହାକୁ ନେଇ ଦଳୀୟ ମହଲରେ ଚାପା ଅସନ୍ତୋଷ ଦେଖାଦେଇଛି। ଏସବୁ ବ୍ୟତୀତ ନିର୍ବାଚନବେଳେ ବିଭିନ୍ନ ସାଂଗଠନିକ ପଦପଦବୀ ଯଥା-ଉପସଭାପତି,ସାଧାରଣ ସମ୍ପାଦକ, ସମ୍ପାଦକ ଆଦି ପଦବୀରେ ରହିଥିବା ନେତାମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିବ। କାରଣ ଦଳୀୟ ସମ୍ବିଧାନ ଅନୁସାରେ ହିଁ ମଞ୍ଜୁରୀପ୍ରାପ୍ତ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦବୀରେ ଦଳୀୟ ନେତାଙ୍କୁ ଥଇଥାନ କରାଯିବ। ପରେ ବିଜେଡି ସୁପ୍ରିମୋ ଚାହିଁଲେ ଆଉ କିଛି ନେତାଙ୍କୁ ଏସବୁ ପଦରେ ଅବସ୍ଥାପିତ କରିପାରନ୍ତି। ତେବେ ଚଳିତଥର ଏହି ଟିମ୍ ବିଶେଷ ବଡ଼ ହେବ ନାହିଁ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।

Related story