ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଏବେ ଜୋରଦାର ହୋଇଥିବାବେଳେ ବିଜେଡିରେ ଛକାପଞ୍ଝା ଓ ବଳ କଷାକଷି ରାଜନୀତି ତୀବ୍ର ହେବାରେ ଲାଗିଛି। ପାଟକୁରା ରାଜନୀତିର ଭୂଗୋଳ ଓ ଇତିହାସ ସହ ପରିଚିତ ଥିବା ନେତାମାନଙ୍କୁ ଅଣଦେଖା କରି ବିଜେଡି କିଛି ତଥାକଥିତ ପ୍ରଭାବଶାଳୀ ନେତାଙ୍କୁ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ତାହା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ଦୁର୍ବଳ ସ୍ଥିତିକୁ ନେଇ ରିପୋର୍ଟ ମିଳିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ନବୀନ ନିବାସରେ ବୈଠକ ଡାକି ଗୋଷ୍ଠୀକନ୍ଦଳରୁ ଦୂରେଇ ରହିବାକୁ ନେତାମାନଙ୍କୁ ତାଗିଦ୍ କରିଥିବା ଜଣାପଡ଼ିଛି।
ପାଟକୁରା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଜିତିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଶାସକ ଦଳ ସେଠାରେ କଳ-ବଳ-କୌଶଳ ଲଗାଇ ଦେଇଛି। ପଞ୍ଚାୟତୱାରି ନିଜର ବିଧାୟକମାନଙ୍କୁ ଦାୟିତ୍ୱ ଓ ମାଳମାଳ ମନ୍ତ୍ରୀ କେନ୍ଦ୍ରାପଡ଼ାରେ ଡେରା ପକାଇଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ଏପର୍ଯ୍ୟନ୍ତ ହାୱା ସୃଷ୍ଟି ହୋଇପାରୁନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଓ ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଦଳୀୟ କର୍ମୀଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣନ୍ତି। ସ୍ୱର୍ଗତ ଅଗ୍ରୱାଲ ବିଧାୟକ ଥିବାବେଳେ ପଞ୍ଚାୟତଗୁଡ଼ିକରେ ସାଂଗଠନିକ ଓ ବିକାଶ କାର୍ଯ୍ୟ ଶ୍ରୀମତୀ ଅଗ୍ରୱାଲ ଓ ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କ ମାଧ୍ୟମରେ ହିଁ ସମ୍ପାଦିତ ହେଉଥିଲା। ଆଉ ଏହା ହିଁ ଏବେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କ ପାଇଁ ବୁମେରାଂ ହେବାରେ ଲାଗିଛି। ବିଶେଷକରି ଯେଉଁ ଦଳୀୟ କର୍ମୀମାନେ ବିଗତ ଏକ ଦଶନ୍ଧି ମଧ୍ୟରେ ତୃଣମୂଳସ୍ତରରେ ସାଂଗଠନିକ ଓ ପଞ୍ଚାୟତର ବିକାଶ କାର୍ଯ୍ୟ ପାଇଁ ଶ୍ରୀମତୀ ଅଗ୍ରୱାଲ ଓ ତାଙ୍କ ପୁଅଙ୍କ ପାଖକୁ ଆସି ନିରାଶ ହୋଇଛନ୍ତି, ସେମାନେ ଏବେ ଧରାଛୁଆଁ ଦେବା ସ୍ଥିତିରେ ନାହାନ୍ତି।
ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ପଞ୍ଚାୟତସ୍ତରରେ କର୍ମୀ ସମ୍ମିଳନୀ କରୁଥିବାବେଳେ କର୍ମୀମାନଙ୍କ ମଧ୍ୟରେ ଥିବା ସେହି ଅସନ୍ତୋଷ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଯାହାକୁ ସାମ୍ନା କରିବା କେନ୍ଦ୍ରାପଡ଼ା ଜିଲ୍ଲା ବାହାରୁ ଯାଇଥିବା ବିଜେଡି ନେତାଙ୍କ ପକ୍ଷରେ ସହଜ ହେଉନଥିବା ଜଣାପଡ଼ିଛି। ତେଣୁ କଳବଳକୌଶଳ ଲଗାଇ ପଞ୍ଚାୟତସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବା ପାଇଁ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ କରୁଥିବା ପ୍ରୟାସ ଏପର୍ଯ୍ୟନ୍ତ ସଫଳ ରୂପ ଧାରଣ କରିପାରିନି। ଦଳୀୟ ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ବିଜେଡି ନିଜର ଟ୍ରମ୍ପକାର୍ଡ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟକୁ ଅସ୍ତ୍ର କରୁଥିଲେ ମଧ୍ୟ ତାହା ତୃଣମୂଳସ୍ତରର ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିପାରୁନଥିବା ଜଣାପଡ଼ିଛି। ଓଲଟା ନିର୍ବାଚନରେ ଶ୍ରୀମତୀ ଅଗ୍ରୱାଲ ଜିତିଲେ ଦଳର ସଂଗଠନ ପାଟକୁରା ନିର୍ବାଚନମଣ୍ଡଳୀରେ ଆହୁରି ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ଦଳୀୟ କର୍ମୀମାନେ ଖୋଲାଖୋଲି କହି ବିଷ ଓଗାଳିବାରେ ଲାଗିଛନ୍ତି।
ରାଜ୍ୟସ୍ତରୀୟ ବିଜେଡି ନେତାମାନେ ବି ଦଳର ପ୍ରାର୍ଥୀ ଚୟନରେ ତ୍ରୁଟି ରହିଥିବା ଖୋଲାଖୋଲି ଭାବେ ସ୍ୱୀକାର କରୁଥିବା ଜଣାପଡ଼ିଛି। ଦଳୀୟ ପ୍ରାର୍ଥୀଙ୍କ ପ୍ରତି କର୍ମୀମାନଙ୍କ ମଧ୍ୟରେ ଏଭଳି ଆକ୍ରୋଶକୁ ପ୍ରଶମିତ କରିବାର ବାଟ ମିଳୁନଥିବାବେଳେ ଜିଲ୍ଲାସ୍ତରର ନେତାମାନେ ଧରାଛୁଆଁ ଦେଉନଥିବା ଘଟଣା ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଛି। ବିଶେଷକରି ଗରଦପୁରର ୧୮ଟି ଓ ମାର୍ଶାଘାଇର ୭ଟି ପଞ୍ଚାୟତରେ ଦଳର ଅଧିକାଂଶ ଆଗଧାଡ଼ିର କର୍ମୀଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ରହିଛି। ଯାହାର ସାଇଡ୍ ଏଫେକ୍ଟ ମଧ୍ୟ ଡେରାବିଶ ବ୍ଲକର ୭-୮ଟି ପଞ୍ଚାୟତରେ ଏବେଠାରୁ ଅନୁଭୂତ ହେଲାଣି। ଅବଶ୍ୟ ଡେରାବିଶ ବ୍ଲକରେ ବିଜେଡିର ସ୍ଥିତି ସୁଦୃଢ଼ ରହିଛି।
ଅନ୍ୟପକ୍ଷରେ ଦୁଇ ଦଶନ୍ଧି ଧରି କ୍ଷମତାରୁ ବାହାରେ ଥିବା ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ଚଳିତ ନିର୍ବାଚନକୁ ପାଟକୁରାବାସୀଙ୍କ ସ୍ୱାଭିମାନର ଲଢ଼େଇ ସହ ଯୋଡ଼ି ପ୍ରଚାର ଅଭିଯାନକୁ ଜୋରଦାର କରୁଛନ୍ତି। ପ୍ରଚାରରେ କଂଗ୍ରେସ ବହୁ ପଛରେ ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ଏବେଠୁ ଜଳଜଳ ହୋଇ ଦିଶିଲାଣି।କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ ନେତାମାନଙ୍କୁ ବିଜେଡି ଅଣଦେଖା କରୁଥିବାବେଳେ ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ନେତାମାନଙ୍କ ମାତ୍ରାଧିକ ହସ୍ତକ୍ଷେପ,ଅନ୍ତଃକନ୍ଦଳ ଓ କ୍ଷମତାଯୁଦ୍ଧକୁ ମଧ୍ୟ ପାଟକୁରାବାସୀ ସହଜରେ ଗ୍ରହଣ କରିପାରୁନଥିବା ଜଣାପଡ଼ିଛି। ଯାହା ପରୋକ୍ଷରେ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ବିଜୟ ମାର୍ଗକୁ ପ୍ରଶସ୍ତ କରିଚାଲିଛି।
ବିଜେଡି ଏପର୍ଯ୍ୟନ୍ତ ନିଜର ମହିଳା ସମର୍ଥକ ଅବା ଭୋଟବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହୋଇନଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ସଂଖ୍ୟା ବୃଦ୍ଧି ପାଇଁ ଦଳ ନବୀନ ପଟ୍ଟନାୟକଙ୍କୁ ୨ଟି ପର୍ଯ୍ୟାୟରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ତେବେ ଏସବୁ ସତ୍ତେ୍ୱ ଆଜିସୁଦ୍ଧା ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଦଳର ସବୁ କଳକୌଶଳ ଫେଲ୍ ମାରିଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।