ହେଲିକପ୍ଟର କିଣିଲେ ବିଜେଡି ନେତା, ସେପ୍ଟେମ୍ବରରେ ଡେଲିଭରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହଙ୍ଗା ଗାଡ଼ି ଓ ସୁନା ଚେନ୍ ଆଦିରୁ ଦୂରେଇ ରହି ଲୋକଙ୍କ ମଧ୍ୟରେ ନିରାଡ଼ମ୍ବର ଜୀବନଶୈଳୀ ବିତାଇବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବିଧାୟକ-ମନ୍ତ୍ରୀମାନଙ୍କୁ ଦେଇଥିବା ନୀତିବାଣୀ ଏବେ ପ୍ରଭାବଶୂନ୍ୟ ପାଲଟିଛି । କରୋନାଜନିତ ଆର୍ଥିକ ସଙ୍କଟ ଭିତରେ ବି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଏବେ ନିଜ ଉପଯୋଗ ପାଇଁ ଗୋଟିଏ ୬ଆସନ ବିଶିଷ୍ଟ ହେଲିକପ୍ଟର କ୍ରୟ କରିଛନ୍ତି । ଯାହାକି ଆସନ୍ତାମାସରେ ତାଙ୍କୁ ହସ୍ତାନ୍ତର ହେବ […]

Helicopter

Ordigital Desk
  • Published: Thursday, 25 August 2022
  • , Updated: 25 August 2022, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହଙ୍ଗା ଗାଡ଼ି ଓ ସୁନା ଚେନ୍ ଆଦିରୁ ଦୂରେଇ ରହି ଲୋକଙ୍କ ମଧ୍ୟରେ ନିରାଡ଼ମ୍ବର ଜୀବନଶୈଳୀ ବିତାଇବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବିଧାୟକ-ମନ୍ତ୍ରୀମାନଙ୍କୁ ଦେଇଥିବା ନୀତିବାଣୀ ଏବେ ପ୍ରଭାବଶୂନ୍ୟ ପାଲଟିଛି । କରୋନାଜନିତ ଆର୍ଥିକ ସଙ୍କଟ ଭିତରେ ବି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଏବେ ନିଜ ଉପଯୋଗ ପାଇଁ ଗୋଟିଏ ୬ଆସନ ବିଶିଷ୍ଟ ହେଲିକପ୍ଟର କ୍ରୟ କରିଛନ୍ତି । ଯାହାକି ଆସନ୍ତାମାସରେ ତାଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ନୋଏଡ଼ାରେ ଥିବା ଏକ ଘରୋଇ ଆଭିଏସନ୍ କମ୍ପାନୀଠାରୁ ବିଜେଡିର ଜଣେ ନେତା ଗୋଟିଏ ହେଲିକପ୍ଟର କ୍ରୟ କରିବା ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ଘରୋଇ ଆଭିଏସନ୍ କମ୍ପାନୀ ଏବେ ଦେବାଳିଆ ଅବସ୍ଥାରେ ଥିବାବେଳେ ବିଜେଡିର ସମ୍ପୃକ୍ତ ପ୍ରଭାବଶାଳୀ ନେତା ଉକ୍ତ କମ୍ପାନୀଠୁ ହେଲିକପ୍ଟର(ସେକେଣ୍ଡ ହ୍ୟାଣ୍ଡ) କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇତିମଧ୍ୟରେ ଉକ୍ତ ହେଲିକପ୍ଟରର ଟେଷ୍ଟ ରାଇଡିଂ ମଧ୍ୟ ଶେଷ ହୋଇଛି । ସମ୍ପୃକ୍ତ ପ୍ରଭାବଶାଳୀ ନେତା ନିଜେ ଦିଲ୍ଲୀରୁ ଭୁବନେଶ୍ୱର ଟେଷ୍ଟ ରାଇଡିଂରେ କରି ହେଲିକପ୍ଟରର ସୁବିଧାସୁଯୋଗ ପରଖିଛନ୍ତି । ସେହି ଆଭିଏସନ୍ କମ୍ପାନୀର ମାଲିକ ଗତ କିଛିବର୍ଷ ଧରି ନିଜର ବିଭିନ୍ନ ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇଥିବାରୁୁ ନିଜସ୍ୱ ମାଲିକାନାରେ ଥିବା ହେଲିକପ୍ଟରକୁ ବିକ୍ରି କରିବାକୁ ଚାହୁଁଥିଲେ । ଉକ୍ତ ହେଲିକପ୍ଟର କେତେ କୋଟି ଟଙ୍କାରେ କ୍ରୟ ହୋଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ସେହି ହେଲିକପ୍ଟର ଆମେରିକୀୟ କମ୍ପାନୀଠୁ ୨୦୧୬-୧୭ରେ କିଣା ହୋଇଥିବା ସୂଚନା ମିଳିଛି । ଏହି ହେଲିକପ୍ଟର ଆସନ୍ତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଦଳର ବିଧାୟକମାନଙ୍କୁ ନବୀନ ନିବାସ ଡାକି ମହଙ୍ଗା କାର ଓ ସୁନା ଚେନ୍ ଆଦି ନପିନ୍ଧି ନିରାଡ଼ମ୍ବର ଜୀବନଶୈଳୀ ବିତାଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପରାମର୍ଶ ସେତେବେଳେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶ କେବଳ ପରାମର୍ଶରେ ରହିଯାଇଛି । ବିଜେଡିର ଅଧିକାଂଶ ବିଧାୟକ ଏବେ ମହଙ୍ଗା ଗାଡ଼ି ଚଢ଼ିବା ସହ ନିଜର ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ବୃଦ୍ଧି କରିବାରେ ଲାଗିଛନ୍ତି । ଅବଶ୍ୟ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ନିଜର ବ୍ୟକ୍ତିଗତ ସମ୍ପତ୍ତି ତାଲିକା ସାର୍ବଜନୀନ କରୁନଥିବାରୁ ସେମାନଙ୍କର ସମ୍ପତ୍ତି ପରିମାଣ ଜାଣିବା ସହଜ ହୋଇପାରୁନି । ମାତ୍ର ବିଜେଡିର ଏହି ପ୍ରଭାବଶାଳୀ ନେତା ବହୁ ବିଳାସମୟ ଗାଡ଼ି କିଣିବାର ସଉକ୍ ରଖିଥିବାବେଳେ ଏବେ ହେଲିକପ୍ଟର କ୍ରୟ କରିିବା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related story