ବିଜେଡି, ଧର୍ମେନ୍ଦ୍ର ଓ ପାଳଗଦା ପ୍ରସଙ୍ଗ

ଭୁବନେଶ୍ୱର(ମିହିର ପଟ୍ଟନାୟକ): ପିଲାବେଳେ ନାଟକ କରିବାକୁ ଇଚ୍ଛା ହେଲେ କି ଡେଇଁ ଡେଇଁ ଆକାଶକୁ ଛୁଇଁବାକୁ ଇଚ୍ଛାହେଲେ, ଆମେ ଗଦି ଉପରେ ଚଢ଼ୁ ନ ହେଲେ ପାଳଗଦା ଉପରେ। ଖଳାବାଡ଼ିର ପାଳଗଦା ସହ ପିଲାବେଳର ଏମିତି ସମ୍ପର୍କ, ହୁଏତ ଆପଣଙ୍କର ବି ଥାଇପାରେ। କିନ୍ତୁ ଏହି ପାଳଗଦା ଯେ, ଆମ ବାବୁ ଧର୍ମେନ୍ଦ୍ରଙ୍କ ଉଚ୍ଚତା ବଢ଼େଇ ଦେବ ସେ କଥା କେବେ ଭାବି ନଥିଲୁ। କିନ୍ତୁ ସୌଭାଗ୍ୟକୁ ଜଣେ ଡେଙ୍ଗା ମଣିଷ ଏ କଥା କହିବା ପରେ […]

padma

Rakesh Mallick
  • Published: Tuesday, 10 July 2018
  • , Updated: 10 July 2018, 06:25 PM IST

ଭୁବନେଶ୍ୱର(ମିହିର ପଟ୍ଟନାୟକ): ପିଲାବେଳେ ନାଟକ କରିବାକୁ ଇଚ୍ଛା ହେଲେ କି ଡେଇଁ ଡେଇଁ ଆକାଶକୁ ଛୁଇଁବାକୁ ଇଚ୍ଛାହେଲେ, ଆମେ ଗଦି ଉପରେ ଚଢ଼ୁ ନ ହେଲେ ପାଳଗଦା ଉପରେ। ଖଳାବାଡ଼ିର ପାଳଗଦା ସହ ପିଲାବେଳର ଏମିତି ସମ୍ପର୍କ, ହୁଏତ ଆପଣଙ୍କର ବି ଥାଇପାରେ। କିନ୍ତୁ ଏହି ପାଳଗଦା ଯେ, ଆମ ବାବୁ ଧର୍ମେନ୍ଦ୍ରଙ୍କ ଉଚ୍ଚତା ବଢ଼େଇ ଦେବ ସେ କଥା କେବେ ଭାବି ନଥିଲୁ। କିନ୍ତୁ ସୌଭାଗ୍ୟକୁ ଜଣେ ଡେଙ୍ଗା ମଣିଷ ଏ କଥା କହିବା ପରେ ଆମର ହୃଦ୍‌ବୋଧ ହେଲା ଯେ, ପାଳଗଦା ଖାଲି ପିଲାଙ୍କ ପାଇଁ ନୁହେଁ ବଡ଼ ବଡ଼ିଆଙ୍କ ପାଇଁ ବି ଅତ୍ୟନ୍ତ ଉପଯୋଗୀ।

ଏଣୁ ତେଣୁ କିଛି କଥା କହି ଆମେ ଆପଣଙ୍କର ମନୋରଞ୍ଜନ କରୁଛୁ ବୋଲି ଆପଣ ଭାବୁଥାଇ ପାରନ୍ତି। ବାସ୍ତବରେ ଆମର ଆପଣଙ୍କୁ ଏଣୁତେଣୁ କହି ଏମିତି ସମୟ ନଷ୍ଟ କରିବାର କାରଣ କିଛି ନାହିଁ। ମଞ୍ଜ କଥାଟା ହେଲା, କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ପାଳଗଦାରେ ଛିଡ଼ା ହୋଇ ନିଜ ବଡ଼ିମା ଦେଖାଉଛନ୍ତି ବୋଲି ଶଙ୍ଖ ଦଳିଆ ନେତାମାନେ କହିଲେଣି। ବିଜେପି କାଳେ ଓଡ଼ିଶାରେ ସତ୍ତା ହାତେଇ ନେବ, ସେଇ ଡରରେ ନାନାବିଧ ବ୍ୟତିକ୍ରମ ଦେଖାଗଲାଣି ଆମ ବିଜେଡି ଭାଇମାନଙ୍କ ଭିତରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଯେତିକି ଭୟ ନାହିଁ, ମଝିରେ ମଝିରେ ଧର୍ମେନ୍ଦ୍ରଙ୍କ ଉତ୍କଳ ଆଗମନୀ କିନ୍ତୁ ଆମ ସରକାରୀ ଦଳିଆ ନେତାଙ୍କୁ ଭାରି ବାଧୁଛି।  ବୋଧେ ସେଇଥିପାଇଁ କେନ୍ଦ୍ର ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ଏବେ ଆଉ ଆମ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ଦଳର ପାରିଷଦମାନେ ଯୋଗ ଦେଉନାହାନ୍ତି।

ଭୁବନେଶ୍ୱର ବଢୁଛି। ଜଟଣୀଠାରୁ ବାରଙ୍ଗ, ଆଉ ଏପଟେ ପିପିଲି ଯାଏ ପରିବ୍ୟାପ୍ତ ହେଲାଣି ରାଜଧାନୀର କଳେବର। ଯାହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ‘ଭୁବନେଶ୍ୱର ନ୍ୟୁ’ ଷ୍ଟେଶନର ପରିକଳ୍ପନା କରିଥିଲେ। ଗଲା ୭ତାରିଖରେ ଏହାକୁ ଲୋକାର୍ପଣ କରାଗଲା। ଆଗକୁ ଘୋଷଯାତ୍ରା ଥିବାରୁ ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ତରବରିଆ ଭାବେ ଏହି ଷ୍ଟେଶନକୁ ଲୋକାର୍ପିତ କରିଛନ୍ତି। ହେଲେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳର କୌଣସି ନେତାଙ୍କୁ ଦେଖିବାକୁ ମିଳି ନଥିଲା।

ଯାହାକୁ ନେଇ ଆମ ରାଇଜ ଯାକ ତମ୍ବି ତୋ‍ଫାନ ହେଲା। ‘ଅଭିମାନୀ ବିଜେଡି’ କେନ୍ଦ୍ର କାର୍ଯ୍ୟକ୍ରମକୁ ବୟକଟ୍‌ କଲା ବୋଲି ଚର୍ଚ୍ଚା ହେଲା। ଅବଶ୍ୟ ଅଭିମାନ ହେବନି ବା କେମିତି ଯେ ? ଷ୍ଟେଶନ ପାଇଁ ଜମି ଦେଇଥିଲେ, ଆବଶ୍ୟକ ଭିତ୍ତିଭୂମି ବି ଯୋଗାଇ ଦେଇଥିଲେ। ହେଲେ ଉଦ୍‌ଘାଟନୀ ସଭାରେ ଧର୍ମେନ୍ଦ୍ର ବିଜେ କରିଥିବାରୁ ବୋଧେ ନବୀନଙ୍କ ଟିମ୍‌କୁ ଭାରି ବାଧିଲା। ସେଇଥିପାଇଁ କେହି ଆସିଲେନି ବୋଲି ଚର୍ଚ୍ଚା ହେଲା।

କଥାଟା ଯେତେବେଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା, ମିଡିଆ ଭାଇ ସବୁ ସଚିବାଳୟ ମୁହାଁ ହେଲେ। ଦେଖୁ ଦେଖୁ ୩ୟ ମହଲା ତଳେ ଭେଟ ହୋଇଗଲେ ବିଜେଡି ମୁଖପାତ୍ର ସମୀର ଦାଶ। ଆଉ ସୁଯୋଗ ହାତଛଡ଼ା ନ କରି ପ୍ରଶ୍ନବାଣ ମାରିବାକୁ ପ୍ରସ୍ତୁତ ହୋଇଗଲେ ମିଡିଆ ବନ୍ଧୁମାନେ । ‘ବିଜେଡି କ’ଣ ଧର୍ମେନ୍ଦ୍ରଙ୍କୁ ବିରୋଧ କରି ସରକାରୀ କାର୍ଯ୍ୟକ୍ରମକୁ ବୟକଟ୍‌ କଲା କି’ ବୋଲି ପଚାରିଲେ। ସମୀର ବାବୁ ହସିଦେଲେ, ରୋକ୍‌ଠୋକ୍‌ କହିଲେ- “ଧର୍ମେନ୍ଦ୍ର ବାବୁ ପାଳଗଦାରେ ଛିଡ଼ା ହେଇ ନିଜକୁ ବଡ଼ ଭାବୁଛନ୍ତି ସିନା, ଆମେ କାଇଁ ଭାବିବୁ? ସିଏ ଏତେ ବଡ଼ ହୋଇନାହାନ୍ତି ଯେ, ତାଙ୍କୁ ବିରୋଧ କରାଯିବ।”

ବାସ୍‌ ଏଇ କଥା କହିବା ପରେ ଡେଙ୍ଗା ବାବୁ ଆଉ କିଛି ଭାଷିବେ ବୋଲି ମିଡିଆ ଭାଇ ଅପେକ୍ଷା କରିଥାନ୍ତି। ସତକୁ ସତ ବାବୁ କ’ଣ ଖାଲି ଧର୍ମେନ୍ଦ୍ରଙ୍କୁ ବାଣ ମାରି ଛାଡିଥାନ୍ତେ ନା କ’ଣ, ସାଙ୍ଗେ ସାଙ୍ଗେ ନିଜ ଦଳର ଗରିମା ବଖାଣିଦେଲେ। କହିଲେ- ଷ୍ଟେଶନ ଜମି କ’ଣ କେନ୍ଦ୍ର ସରକାରଙ୍କର? ଆମେ ଦେଇଛୁ ପା। ଭିତ୍ତିଭୂମି ବିକାଶ କଥା ବୋଧେ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି। ୩ ବର୍ଷ ପୂର୍ବରୁ କାମ ସରିଥିଲା, ଆଜି ଉଦ୍‌ଘାଟନ ହେଲା, ଏଥିରେ ନୂଆ କ’ଣ?

ଏଇ କଥା ଶୁଣିବା ପରେ ସମସ୍ତେ ଫେରିଲେ। ହେଲେ ଟୁପୁରୁ ଟାପର ଥମୁନି। ଧର୍ମେନ୍ଦ୍ର ପ୍ରଧାନ ଆଜି ଯାଏ ବଡ଼ ହୋଇପାରିଲେନି ଯେ, ବଡ଼ ହେବାକୁ ତାଙ୍କୁ ଏବେ ପାଳଗଦା ଉପରେ ଚଢ଼ିବାକୁ ପଡୁଛି। କଥାଟା ଅବଶ୍ୟ ବିଚାରଯୋଗ୍ୟ। ଏଣୁ ଧର୍ମେନ୍ଦ୍ରଙ୍କୁ ପଚାରିଲେ ହିଁ କ’ଣ ସତ ସେକଥା ଜଣାପଡ଼ିବ ବୋଲି କହୁଛନ୍ତି ଲୋକେ।

କିନ୍ତୁ ଆମ ମୁଣ୍ଡକୁ ଆଉ ଗୋଟିଏ କଥା ବି ଜୁଟୁଛି। ପାଳଗଦା ଉପରେ ଛିଡ଼ା ହୋଇଥିବା ଜଣେ ନେତାଙ୍କୁ ବିଜେଡି ନେତାଏ ତାଚ୍ଛଲ୍ୟ କରିବା କିଛି ନୂଆ ନୁହେଁ, କିନ୍ତୁ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ ପାଳଗଦା କଥାଟିକୁ ସମୀର ବାବୁ ଗଣମାଧ୍ୟମରେ ଥୋଇଛନ୍ତି ତାଙ୍କ ପ୍ରତି ଦଳୀୟ ଭୟ ମଧ୍ୟ କିଛି ମାତ୍ରାରେ ବାରି ହୋଇପଡୁଛି। ଅତୀତକୁ ବିଶ୍ଲେଷଣ କଲେ ଆପଣ ବି ଏ କଥା ଅନୁଭବ କରିପାରିବେ। କାରଣ ଏହା ପୂର୍ବରୁ ଅନେକଥର ବିଜେଡି ନେତାଏ ଧର୍ମେନ୍ଦ୍ରଙ୍କ କଥାକୁ ବିରୋଧ କରିବାକୁ ପ୍ରେସ୍‌ମିଟ୍‌ କରିଛନ୍ତି। ତାଙ୍କ ବିବୃତ୍ତିକୁ ଆଧାର କରି ବିଜେଡି ଶିବିରରେ ତମ୍ବି ତୋଫାନ ମଧ୍ୟ ହୋଇଛି। ଏଣୁ ସ୍ଵାଭାବିକ୍‌ ଭବେ ପ୍ରଶ୍ନ ଆସୁଛି, ପାଳଗଦା ଉପରେ ଠିଆ ହୋଇଥିବା ଜଣେ ନଗଣ୍ୟ ନେତାଙ୍କୁ ବିଜେଡି କାହିଁକି ଗୁରୁତ୍ୱ ଦେଉଥିଲା ? ଅବଶ୍ୟ ଏ ପ୍ରଶ୍ନର ଉତ୍ତର ଦେବା କାଠିକର ପାଠ କାରଣ ଏବେ ବିଜେଡିବାଲାଙ୍କ ମୁହଁ ଗୋଟିଏ କଥା କହୁଥିବା ବେଳେ ହାବଭାବରୁ ଆଉ କିଛି ବାରି ହେଲାଣି।

Related story