ଏବେ ତୁଷ୍ଟୀକରଣ ନୀତିରେ ବିଜେଡି: ୧୫ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାମାନଙ୍କୁ ତୁଷ୍ଟୀକରଣ ପାଇଁ ବିଜେଡି ଏବେ ନୂଆ ଫର୍ମୂଲା ଆପଣାଇଛି। ଦୀର୍ଘ ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଭଳି ପଦବୀ ସୃଷ୍ଟି ହୋଇଛି । ଆଜି ଏହି କ୍ରମରେ ୧୫ଜଣ ଦଳୀୟ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଆଉ ଯେଉଁ ଢଙ୍ଗରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି ତାହା ‘ବହୁ ଆଡ଼ମ୍ବରେ ଲଘୁକ୍ରିୟା’ ସଦୃଶ ହୋଇଛି। ଆଉ ଏପରି […]

11bjd-office-750x430

Manoranjan Sial
  • Published: Wednesday, 08 July 2020
  • , Updated: 08 July 2020, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାମାନଙ୍କୁ ତୁଷ୍ଟୀକରଣ ପାଇଁ ବିଜେଡି ଏବେ ନୂଆ ଫର୍ମୂଲା ଆପଣାଇଛି। ଦୀର୍ଘ ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଭଳି ପଦବୀ ସୃଷ୍ଟି ହୋଇଛି । ଆଜି ଏହି କ୍ରମରେ ୧୫ଜଣ ଦଳୀୟ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଆଉ ଯେଉଁ ଢଙ୍ଗରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି ତାହା ‘ବହୁ ଆଡ଼ମ୍ବରେ ଲଘୁକ୍ରିୟା’ ସଦୃଶ ହୋଇଛି। ଆଉ ଏପରି ନିଯୁକ୍ତି ହିଁ ଦଳ ଭିତରେ ରହିଥିବା ଅସନ୍ତୋଷକୁ ଖୋଲାଖୋଲି ଭାବେ ପଦାରେ ପକାଇଛି।

ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଆସୀନ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି । ସର୍ବଭାରତୀୟସ୍ତରରେ ବିଜେଡି ପ୍ରଥମ ଦଳ ଭାବେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଦେଇଛି। ଯେଉଁ ନେତାମାନଙ୍କୁ ଆଜି ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି ସେମାନେ ହେଲେ ନୃସିଂହ ସାହୁଙ୍କୁ ଆଂଚଳିକ ବିକାଶ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୋସିଆଲ ୱେଲଫେୟାରର ଇନଚାର୍ଜ, ଅରୁଣ କୁମାର ସାହୁ ଓ ରୋହିତ ପୂଜାରୀଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ, ଅତନୁ ସବ୍ୟସାଚୀ ନାୟକଙ୍କୁ ‘ମୋ ପରିବାର’ର ଇନଚାର୍ଜ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆଙ୍କୁ ପରିବେଶ ଇନଚାର୍ଜ, ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଇନଚାର୍ଜ, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ, ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଇନଚାର୍ଜ ଏବଂ ସୁମ୍ରିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ଇନଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି।

ଏହି ୧୫ଜଣ ନେତାଙ୍କ ମଧ୍ୟରେ ନବ ଦାସ ଓ ସୁମିତ୍ରା ଜେନା ଗତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ତଥା ସେମାନଙ୍କୁ ସଂଗଠନରେ ସିଧାସଳଖ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି।ଏହି ନିଯୁକ୍ତିରୁ ମଧ୍ୟ ସ୍ପଷ୍ଟ ଜଣାପଡ଼ିଛି ଯେ ଦଳ ଖୁବଶୀଘ୍ର ‘ସାଧାରଣ ସମ୍ପାଦକ’ ପଦବୀ ପାଇଁ ନେତାଙ୍କ ତାଲିକା ଜାରି କରିବ।

ସୂଚନାଯୋଗ୍ୟ, ପୂର୍ବରୁ ବିଜେଡିରେ ଉପସଭାପତି,ସାଧାରଣ ସମ୍ପାଦକ, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀକୁ ପୂରଣ କରୁଥିବାବେଳେ ଏବେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଏଡ଼ାଇବା ପାଇଁ ‘ବରିଷ୍ଠ ଉପସଭାପତି ଓ ସାଧାରଣ ସମ୍ପାଦକ’ ସହ ‘ଯୁଗ୍ମ ସମ୍ପାଦକ’ ପଦବୀ ମଧ୍ୟ ସୃଷ୍ଟି କରିଛି। ଦଳର ଏଭଳି ନିଯୁକ୍ତିକୁ ନେଇ ନେତାମାନେ ମୁହଁ ଖୋଲୁନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ସହଜରେ ବାରି ହୋଇପଡ଼ୁଛି। ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଏଠି ଦଳର ସୁପ୍ରିମୋ କିମ୍ବା ଅନ୍ୟ କାହା ପାଖରେ ସାଂଗଠନିକ ଆପତ୍ତି ଅଭିଯୋଗ କରିବାର ସୁଯୋଗ ନାର୍ହି। ତେଣୁ କାଗଜକଲମ ଅବା ଗଣମାଧ୍ୟମରେ ଏଭଳି ପଦପଦବୀରେ ଅଳଙ୍କୃତ କରାଯିବା କେବଳ ଏକ ପ୍ରହସନ।

Related story