ଝଟକା ଦେଇ ମଲମ !

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ବାଇ-ଇଲେକ୍ସନକୁ ଆଉ ବାକି ରହିଲା ଦୁଇ ସପ୍ତାହ। ହେଲେ ବିଜେଡିକୁ ଅଡ଼ୁଆ କରୁଛି ଗୋଷ୍ଠୀକନ୍ଦଳ। ସ୍ୱରୂପ ଦାଶଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ କର୍ମୀ ମହଲରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ଏହାର ଜୋରଦାର୍ ପ୍ରତିବାଦ ମଧ୍ୟ କରିଥିଲେ। ତେବେ ରବୀନ୍ଦ୍ରଙ୍କୁ ବୁଝାସୁଝା କରିବାପରେ ପ୍ରାର୍ଥିପତ୍ର ଦାଖଲ ଓ ପ୍ରଚାର କାମ ଆଗକୁ ବଢିଥିଲା। ହେଲେ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ […]

rabindra

rabindra

Ranjit Kumar Jena
  • Published: Monday, 19 October 2020
  • Updated: 19 October 2020, 08:29 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ବାଇ-ଇଲେକ୍ସନକୁ ଆଉ ବାକି ରହିଲା ଦୁଇ ସପ୍ତାହ। ହେଲେ ବିଜେଡିକୁ ଅଡ଼ୁଆ କରୁଛି ଗୋଷ୍ଠୀକନ୍ଦଳ। ସ୍ୱରୂପ ଦାଶଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ କର୍ମୀ ମହଲରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ଏହାର ଜୋରଦାର୍ ପ୍ରତିବାଦ ମଧ୍ୟ କରିଥିଲେ। ତେବେ ରବୀନ୍ଦ୍ରଙ୍କୁ ବୁଝାସୁଝା କରିବାପରେ ପ୍ରାର୍ଥିପତ୍ର ଦାଖଲ ଓ ପ୍ରଚାର କାମ ଆଗକୁ ବଢିଥିଲା।

ହେଲେ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ମଧ୍ୟରେ ଥିବା ବିବାଦ ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏହାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା। ପ୍ରତାପ ଉଭୟଙ୍କର ମାନଭଞ୍ଜନ ପାଇଁ ପ୍ରୟାସ କରିଥିଲେ ଏବଂ ରବୀନ୍ଦ୍ର ଓ ଜୀବନଙ୍କୁ ପାଖରେ ବସାଇ ସମ୍ବାଦିକ ସମ୍ମିଳନୀ ବି କରିଛନ୍ତି। ଦଳ ଭିତରେ ଯେ ସବୁ କିଛି ଠିକ୍ ଅଛି ଓ ଉଭୟଙ୍କ ମଧ୍ୟରେ ଆଉ ବିବାଦ ନାହିଁ ତାହା ସେ ଦର୍ଶାଇବାକୁ ଚାହିଁଛନ୍ତି। ଦୁଇ ନେତା ବି ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ନଥିବା କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଉଭୟଙ୍କ ମଧ୍ୟରେ କିଛି ବିବାଦ ନାହିଁ, ତାହେଲେ କାହିଁକି ଏ ସ୍ପଷ୍ଟୀକରଣ?

ସେପଟେ କୋଭିଡ୍ ଯୋଗୁଁ ନିର୍ବାଚନ ଆୟୋଗଙ୍କ କଟକଣାର ଜବରଦସ୍ତ ପ୍ରଭାବ ପଡିଛି ଉପନିର୍ବାଚନ ଉପରେ। ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବାଲେଶ୍ୱର ସହର, ବଜାର ଓ ଗଳିକନ୍ଦି ଖାଁ ଖାଁ ଲାଗୁଛି। ଆଗଭଳି ଆଉ ମାଳ ମାଳ ପୋଷ୍ଟର କି ବ୍ୟାନର୍ ଲାଗିନାହିଁ। ବଡ଼ ବଡ଼ ସଭା କି ରୋଡ୍ ସୋ ବି ହେଉନାହିଁ। କେବଳ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।

ସେହିପରି ତିର୍ତ୍ତୋଲରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଭୋଟ୍ ତାରିଖ ପାଖେଇ ଆସୁଥିଲେ ବି ଲୋକଙ୍କ ମନରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ। କେବଳ ତିନି ଦଳର ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଯେହେତୁ ଆଗକୁ ପୂଜା ଆସୁଛି, ତେଣୁ ତା ପରେ ହିଁ ପ୍ରଚାର ଜମିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos