‘ପୋଲାଭରମ’କୁ ନେଇ କୁମ୍ଭୀରକାନ୍ଦଣା: କୁଆଡ଼େ ଗଲା ବିଜେଡିର ଷ୍ଟିୟରିଂ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାରଙ୍କ ବହୁଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ବିଜେଡିର ଲୋକଦେଖାଣିଆ ଦରଦ ଏବେ ପଦାରେ ପଡ଼ିଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ କେନ୍ଦ୍ର ସରକାର ଆଉ ଦୁଇବର୍ଷ ବୃଦ୍ଧି କରିଥିଲେ ମଧ୍ୟ ଶାସକ ବିଜେଡି ଏହାକୁ ବିରୋଧ କରିବାର ସତସାହସ ଜୁଟାଇ ପାରିନି। କିମ୍ବା ବିଗତ ବର୍ଷଗୁଡ଼ିକରେ ଯେଉଁ ଢଙ୍ଗରେ କେନ୍ଦ୍ର ସରକାରଙ୍କ ‘ପୋଲାଭରମ’ ଆଭିମୁଖ୍ୟକୁ ବିରୋଧ କରି ଆସିଛି, ତାହା ମଧ୍ୟ ଦେଖିବାକୁ ମିଳିନି। ଏପରିକି ବିଧାନସଭା […]

Polavaram Project

Manoranjan Sial
  • Published: Thursday, 27 June 2019
  • , Updated: 27 June 2019, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାରଙ୍କ ବହୁଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ବିଜେଡିର ଲୋକଦେଖାଣିଆ ଦରଦ ଏବେ ପଦାରେ ପଡ଼ିଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ କେନ୍ଦ୍ର ସରକାର ଆଉ ଦୁଇବର୍ଷ ବୃଦ୍ଧି କରିଥିଲେ ମଧ୍ୟ ଶାସକ ବିଜେଡି ଏହାକୁ ବିରୋଧ କରିବାର ସତସାହସ ଜୁଟାଇ ପାରିନି। କିମ୍ବା ବିଗତ ବର୍ଷଗୁଡ଼ିକରେ ଯେଉଁ ଢଙ୍ଗରେ କେନ୍ଦ୍ର ସରକାରଙ୍କ ‘ପୋଲାଭରମ’ ଆଭିମୁଖ୍ୟକୁ ବିରୋଧ କରି ଆସିଛି, ତାହା ମଧ୍ୟ ଦେଖିବାକୁ ମିଳିନି। ଏପରିକି ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଜେଡିର ନିରବତା ବି ଆଶ୍ଚର୍ଯ୍ୟଜନକ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଗରେ ବିଜେଡି ନିଜର ସଂକୀର୍ଣ୍ଣ ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିବା ଭଳି ପ୍ରତୀୟମାନ ହେଉଛି। ଏପରିକି ପୋଲାଭରମକୁ ନେଇ ରାଜନୀତିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ନିମନ୍ତେ ବିଜେଡି ପକ୍ଷରୁ ଗଠିତ ହୋଇଥିବା ଷ୍ଟିୟରିଂ କମିଟି ମଧ୍ୟ ଚୁପ୍ ହୋଇ ବସିରହିଛି।

ସୂଚନା ଅନୁସାରେ, ପୋଲାଭରମ ପ୍ରକଳ୍ପକୁ ୨୦୧୪ ଏପ୍ରିଲ ମାସରେ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିବା ପରଠୁ ଏହାକୁ ବିରୋଧ କରି ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରୁ ଓଡ଼ିଶାକୁ ତତ୍କାଳ ଆଶ୍ୱସ୍ତି ମିଳୁନଥିବାବେଳେ ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ବିଜେଡି ୨୦୧୪ ମସିହାରୁ ନିୟମିତ ଭାବେ ପ୍ରତିବର୍ଷ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇଆସିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ପାଇଁ ଉଦ୍ୟମ କରିଆସିଛି। ବିଧାନସଭା ଅଧିବେଶନ ସମୟରେ ବିଜେଡି ବିଧାୟକମାନେ ଗୃହରେ ବ୍ୟାପକ ହଟ୍ଟଗୋଳ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ପାଇଁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା ଓ ରାଲି କରିବା, ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା, ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଧାରଣା ଓ ବିକ୍ଷୋଭ, ରାଜଭବନ ସମ୍ମୁଖରେ ବିକ୍ଷୋଭ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା।

ଏପରିକି ୨୦୧୮ ଜାନୁୟାରୀ ୪ ତାରିଖରେ ବିଜେଡି ‘ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜନୀତିକ କାର୍ଯ୍ୟକ୍ରମକୁ କିଭଳି ବ୍ୟାପକ କରାଯିବ ସେଥିପାଇଁ ଦଳର ୪ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ଏକ କମିଟି ଗଠନ କରିଥିଲା। ଏହି କମିଟି ହିଁ ପୋଲାଭରମ ପ୍ରକଳ୍ପ ଓ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କ’ଣସବୁ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ୍ ସେଥିପାଇଁ ପରାମର୍ଶ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ବିଜେଡିର ଏହି କମିଟିର ସ୍ଥିତି କ’ଣ ସେ ନେଇ କେହି ମୁହଁ ଖୋଲୁନଥିବାବେଳେ କେନ୍ଦ୍ର ସରକାର ପୁଣିଥରେ ପୋଲାଭରମ ପ୍ରକଳ୍ପ ପ୍ରତି ଆଗ୍ରହ ବ୍ୟକ୍ତ କରିବା ସଙ୍ଗେସଙ୍ଗେ ଓଡ଼ିଶା ପ୍ରତି ଅଣଦେଖା କରିଥିଲେ ହେଁ ବିଜେଡି କାହିଁକି ଏହାକୁ ବିରୋଧ କରୁନି, ତାକୁ ନେଇ ଉଠିଛି ପ୍ରଶ୍ନ।

ଓଡ଼ିଶା ସରକାରଙ୍କ ମତରେ ପୋଲାଭରମ ପ୍ରକଳ୍ପ ନିର୍ମାଣ ଯୋଗୁ ଓଡ଼ିଶାର ୧୫ଟି ଗାଁ ଓ ୧୦ଟି ପଡ଼ାର ୬୮୧୮ଜଣ ଲୋକ ବିସ୍ଥାପିତ ହେବେ। ୭୬୫୬ ହେକ୍ଟର ଜମି ଜଳମଗ୍ନ ହେବ। ଏସବୁ ସତ୍ତେ୍ୱ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପୁଣିଥରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଜାରି ରଖିବା ପାଇଁ ୨ବର୍ଷ ସମୟସୀମା ନିର୍ଦ୍ଧାରଣ କରିବାକୁ ପଛାଇନାହାନ୍ତି। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ମଧ୍ୟ ଓଡ଼ିଶା ଏପର୍ଯ୍ୟନ୍ତ ବିରୋଧ କରିନାହିଁ। ଏପରିକି, ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରର ମୋଦି ସରକାରଙ୍କୁ ଗଠନମୂଳକ ସହଯୋଗ ଦିଆଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ପୋଲାଭରମ ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଜେଡି ଓ ନବୀନ ନିଜ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହ ସାଲିସ କରିଥିବା ଯୋଗୁ ରାଜ୍ୟ ପ୍ରତି ଏଭଳି ବିପଦ ସୃଷ୍ଟି ହୋଇଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

ଅବଶ୍ୟ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ବାସ୍ତବରେ କେତେ କ୍ଷତି ହେବ ତାହା ଏଯାଏ ଜଣାପଡ଼ିନି। ମାତ୍ର ଓଡ଼ିଶା ସରକାର ନିଜଆଡ଼ୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରିଛନ୍ତି। ଯଦି ଏହି କ୍ଷୟକ୍ଷତି ଆଶଙ୍କାରେ ସତ୍ୟତା ରହିଛି, ତା’ହେଲେ ପୂର୍ବରୁ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ନିଜର ସ୍ୱରକୁ ଶାଣିତ କରିଥିବା ତଥା ରାଜନୀତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେଡି ଚୁପ୍ ବସିଛି କାହିଁକି? ଏହା କେନ୍ଦ୍ର ସହ ସାଲିସ୍ ହୋଇଥିବା ଯୋଗୁ ନା ମୋଦି ସରକାରଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ବିଜେଡି ରାଜ୍ୟର ସ୍ୱାର୍ଥକୁ ବି ବାଜି ଲଗାଇବାକୁ ପଛାଇ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Related story