ବିଜେଡି ବିରୋଧରେ ବୁଥ୍ ରିଗିଂ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନରେ ବୁଥ୍ ରିଗିଂ ଅଭିଯୋଗ ହୋଇଛି। ଶାସକ ବିଜେଡିର ସମର୍ଥକମାନେ ୮ଟି ବୁଥ୍ରେ ପଶି ଜବରଦଖଲ ସହ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ୮ଟି ଯାକ ବୁଥ୍ରେ ସାନି ନିର୍ବାଚନ ପାଇଁ ଦାବି କରିଛି।
ଆସନ୍ତାକାଲି ଫଳାଫଳ ଘୋଷଣାକୁ ସ୍ଥଗିତ ରଖି ଅନିୟମିତତା ହୋଇଥିବା ବୁଥ୍ ଗୁଡ଼ିକରେ ସାନି ନିର୍ବାଚନ ପାଇଁ ଦାବି କରିଛି ଦଳ। ଏପଟେ ଭୋଟ ଗଣତି ବନ୍ଦ ଦାବି କରି ବିଜେପି କର୍ମୀମାନେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।
ବିଜେପିର ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଛୋଟରାୟ ମାରାଣ୍ଡିଙ୍କ ବିୟୋଗ ପରେ ଆଜି ସେଠାରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏଠାରେ ଆଜି ମୋଟ ୭୮ ପ୍ରତିଶତ ମତଦାନ ହୋଇଛି।