ଭୂମିହୀନଙ୍କୁ ‘ଜାଗା’ ଯୋଜନା: ବର୍ଷିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଦେବାକୁ ରାଜ୍ୟ ସରକାରଙ୍କ ‘ଜାଗା’ ମିଶନକୁ ଆଜି ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି। ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଜାଗା’ ମିଶନର ଶୁଭାରମ୍ଭ କରିବା ଅବସରରେ ଉଭୟ ବିଜେପି ଓ କଂଗ୍ରେସ ଏହା କେବଳ ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି ବୋଲି ଅଭିଯୋଗ କରିଛନ୍ତି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏନେଇ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ […]

jaga mission final

Sampad Mahapatra
  • Published: Thursday, 15 November 2018
  • , Updated: 15 November 2018, 05:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଦେବାକୁ ରାଜ୍ୟ ସରକାରଙ୍କ ‘ଜାଗା’ ମିଶନକୁ ଆଜି ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି। ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଜାଗା’ ମିଶନର ଶୁଭାରମ୍ଭ କରିବା ଅବସରରେ ଉଭୟ ବିଜେପି ଓ କଂଗ୍ରେସ ଏହା କେବଳ ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି ବୋଲି ଅଭିଯୋଗ କରିଛନ୍ତି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏନେଇ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୨୦୧୮ ମେ’ ୭ତାରିଖରେ ଛତ୍ରପୁରଠାରେ ଏହି ଜାଗା ମିଶନର ଶୁଭାରମ୍ଭ କରି ୨ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇବାର ଘୋଷଣା କରିଥିଲେ। କିନ୍ତୁ ଯେଉଁ ପରିବାରକୁ ଜମିପଟ୍ଟା ଯୋଗାଇଥିଲେ ଏବେ ସେମାନଙ୍କ ଉକ୍ତ ଜମିରେ ଦଖଲ ନେଇ ଆପତ୍ତି ଉଠିଛି। ଯଦି ସରକାର ଥ୍ରୀ-ଟିରେ ବିଶ୍ୱାସ କରୁଛନ୍ତି ତା’ହେଲେ ସେହି ୨ହଜାର ଲୋକଙ୍କ ତାଲିକାକୁ ୱେବସାଇଟରେ ସାର୍ବଜନୀନ କରିବା ସହ କେବେ ଜମିର ଦଖଲ ଦିଆଗଲା ତା’ର ତାରିଖ ଓ ପ୍ରମାଣ ଫଟୋଚିତ୍ର ସହ ପ୍ରକାଶ କରିବାକୁ ବିଜେପି ଦାବି କରିଛି।

ଛତ୍ରପୁରରେ ଏହି ମିଶନର ଆରମ୍ଭବେଳେ ବର୍ଷକ ମଧ୍ୟରେ ୨୫୦୦ ସହରାଞ୍ଚଳର ୧୦ଲକ୍ଷ ପରିବାରକୁ ଜମିପଟ୍ଟା ଦିଆଯିବ ବୋଲି ଘୋଷଣା କରିଥିଲେ। ଆଜି ପୁରୀ କାର୍ଯ୍ୟକ୍ରମ ପାଇଁ ୧୮ଲକ୍ଷ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ମିଳିବ ବୋଲି କହିଛନ୍ତି। ତା’ହେଲେ କେଉଁଟା ସତ ? ଏହି ଯୋଜନାରେ ହିତାଧିକାରୀ ଚୟନ ମଧ୍ୟ ସମ୍ପୂର୍ଣ୍ଣ ବିବାଦୀୟ ହୋଇଛି। କଟକ ମେୟର ଟଙ୍କିକିଆ ଚାଉଳ ପାଇବା ଭଳି ବସ୍ତିରେ ଜମିପଟ୍ଟା ଯୋଗାଇବା ପାଇଁ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଭୂମିହୀନଙ୍କ ଦୁଃଖ ପ୍ରତି ସରକାର ନିର୍ବିକାର: କଂଗ୍ରେସ

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ନିଶୀକାନ୍ତ ମିଶ୍ର ଓ ମନୋଜ ମହାପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୂମିହୀନଙ୍କ ଦୁଃଖ ପ୍ରତି ସରକାର ନିର୍ବିକାର। ଗରିବଙ୍କ ଘରଡିହ ଖଣ୍ଡେ ନାହିଁ, ହେଲେ ବଡ଼ବଡ଼ିଆଙ୍କ ପାଇଁ ସାହାଣମେଲା ହୋଇଛି। ସରକାରଙ୍କ ଜାଗା ମିଶନ ଏକ ପ୍ରହସନ ପାଲଟିଛି। ୨୦୦୯ ମସିହା ସୁଦ୍ଧା ଓଡିଶାରେ କେହି ଭୂମିହୀନ ରହିବେ ନାହିଁ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ସରକାରଙ୍କର ‘ବସୁନ୍ଧରା' ଯୋଜନା ମଧ୍ୟ ପ୍ରତାରଣାରେ ପରିଣତ ହୋଇଛି। ଏବେ ରାଜ୍ୟରେ ୪.୫୦ ଲକ୍ଷ ପରିବାର ଭୂମିହୀନ। ଏମାନଙ୍କ ଭିତରୁ ଅଧିକାଂଶ ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକ। ଜମିପଟ୍ଟା ଖଣ୍ଡେ ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର, ଷ୍ଟାଇପେଣ୍ଡ ଆଦି ସେମାନଙ୍କୁ ମିଳିପାରୁନି। ସେମାନଙ୍କ ପାଇଁ ୪ ଡିସିମିଲ ଘରଡିହ ଖଣ୍ଡେ ସରକାର ଯୋଗାଇଦେବାକୁ ଅକ୍ଷମତା ଦେଖାଇଲା ବେଳେ ଶିଳ୍ପପତି ଏବଂ ବ୍ୟବସାୟୀମାନଙ୍କ ପାଇଁ ୧,୨୩,୭୫୬ ଏକର ଜମି ଯୋଗାଇ ଦେବାର ଯୋଜନା କରିବା ଏକ ଅକ୍ଷମଣୀୟ ଅପରାଧ। ଏହା ସରକାରଙ୍କର ଗରିବମାରଣ ନୀତିର ଏକ ଜ୍ଜ୍ୱଳନ୍ତ ନିଦର୍ଶନ।

୨୦୦୮ ମସିହାରେ ଓଡିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ୧୯୮୨ ଅଧୀନରେ ଘରଡିହ ନଥିବା ଭୂମିହୀନମାନଙ୍କ ପାଇଁ ୧୦ ଡିସିମିଲ୍ ଲେଖାଏ ଜାଗା ଦେବାର ନିୟମ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ଜମି ନାହିଁ ବୋଲି ଆଳ ଦେଖାଇ ୨୦୧୮ ମଇ ମାସରେ ଏହାର ପରିମାଣକୁ ୪ ଡିସିମିଲକୁ ଖସାଇ ଅଣାଗଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭୂମିହୀନମାନଙ୍କୁ ୧୦ ଡିସିମିଲ୍ ଜାଗା, ଆୟ ସିଲିଂକୁ ୩୦ ହଜାର ଟଙ୍କାରେ ସୀମିତ ରଖିବା ଏବଂ ତହସିଲ୍ ଓ ଆର.ଆଇ. ଅଫିସଗୁଡ଼ିକୁ ବସୁନ୍ଧରା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦେବା ଆଦି ଦାବି ସହ ଯଦିି ସରକାର ଭୂମିହୀନମାନଙ୍କୁ ନ୍ୟାୟ ନଦିଅନ୍ତି, ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Related story