କାଲି ୧୨ ଘଣ୍ଟିଆ କଟକ ବନ୍ଦ

କଟକ (ଓଡ଼ିଶା ରିପୋର୍ଟର): ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆସନ୍ତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। କଟକର ପୂଜା କମିଟି ଗୁଡ଼ିକ […]

Sameer Day

Jitendra Garnayak
  • Published: Sunday, 12 September 2021
  • , Updated: 12 September 2021, 02:28 PM IST

କଟକ (ଓଡ଼ିଶା ରିପୋର୍ଟର): ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆସନ୍ତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍‌ରେ ରଖିବାକୁ କହି ତାଙ୍କ ପୂର୍ବ ନିଷ୍ପତ୍ତିକୁ ବଲବତ୍ତର ରଖିଛନ୍ତି। ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ସମୀର କହିଛନ୍ତି।

ସେ କହିଛନ୍ତି, କଟକ ସହରର ମୁରବି ମାନଙ୍କର ସମ୍ମାନ ଦୃଷ୍ଟିରୁ ଆମେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛୁ। ବର୍ଷକରେ ୧୦ ମାସ ସରକାର ଶାସନ କରନ୍ତି। କିନ୍ତୁ ଗଣେଶ ପୂଜା ଠାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବି ମାନେ କଟକ ସହରର ଦାୟିତ୍ୱ ନିଜ କାନ୍ଧକୁ ନିଅନ୍ତି। ସେମାନଙ୍କୁ ସରକାର ଭୁବନେଶ୍ୱର ଡାକିଲେ, କିନ୍ତୁ ସେମାନଙ୍କ କଥା ଶୁଣିଲେ ନାହିଁ। ଏପରି କରି ସରକାର ସେମାନଙ୍କୁ ଅପମାନିତ କରିଛନ୍ତି। ସେଥିପାଇଁ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ସର୍ବସାଧାରଣଙ୍କ ସହିତ ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟଙ୍କୁ ଏଥିରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ।

ଏହି ପ୍ରସଙ୍ଗରେ ସମୀର ଦେ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସରକାର ଓ ପ୍ରଶାସନର କଥାରେ ତାଳମେଳ ରହୁ ନାହିଁ। ପୂଜା କମିଟି ବୈଠକ ପୂର୍ବରୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ସଚିବ ଆଲୋଚନା କଲେ ନାହିଁ। ଯଦି ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ନଥିଲା, ତା’ହେଲେ ବୈଠକ କାହିଁକି ଡକାଯାଉଥିଲା। ମୁଖ୍ୟମନ୍ତ୍ରୀ ପୁଣି ଥରେ ଏ ପ୍ରସଙ୍ଗରେ ହୋଇଥିବା ନିଷ୍ପତ୍ତି ବାବଦରେ ଚିନ୍ତା କରନ୍ତୁ ଓ ଆମ ଦାବି ମାନି ନିଅନ୍ତୁ।

ସେ କହିଛନ୍ତି, ପୂଜା କମିଟି ଗୁଡ଼ିକର ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସେଗୁଡ଼ିକର ସମାଧାନ କରିବା ପାଇଁ କଟକ ସାଂସଦ ଦାୟିତ୍ୱ ନେଇଛନ୍ତି ଓ ୧୬ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ସାଂସଦଙ୍କ ଉପରେ ଆମର ବିଶ୍ୱାସ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କ’ଣ ଫଳାଫଳ ବାହାରୁଛି ଆମେ ତାକୁ ଅପେକ୍ଷା କରିଛୁ। ତା’ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସମର୍ଥନ କରିଛନ୍ତି। ସେ କହିଛନ୍ତି, ନିଷ୍ପତ୍ତି କେବଳ କଟକ ସହର ପାଇଁ ନୁହେଁ, ସାରା ରାଜ୍ୟ ପାଇଁ ନିଆଯାଇଛି। ଶାସ୍ତ୍ରରେ ତ କାହିଁ କେଉଁଠି ମୂର୍ତ୍ତିର ଉଚ୍ଚତା ନେଇ ଲେଖାଯାଇନି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ଏହି ପ୍ରସଙ୍ଗରେ ସେ ତାଙ୍କ ଦଳର ଅନ୍ୟତମ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ୍ କରିଛନ୍ତି। ଦେବାଶିଷ କହିଛନ୍ତି, ଭର୍ତ୍ତୃହରି ତ ଜଣେ ବିଜ୍ଞ ସାଂସଦ। ସେ କିପରି ଏ କଥାକୁ ବୁଝି ପାରୁନାହାନ୍ତି। ସରକାରଙ୍କ ନିଷ୍ପତ୍ତିକୁ ସେ ବିରୋଧ କରିବା ପଛର ଯୁକ୍ତି ଜାଣିହେଉନି। ଯେବେଠୁ ମୂର୍ତ୍ତି ଉଚ୍ଚତା ବିବାଦ ଉଠିଛି, ସାଂସଦ କେବେ ଉପସ୍ଥିତ ନଥିଲେ। ନିଷ୍ପତ୍ତି ହେବା ପରେ ବିଭ୍ରାଟ ସୃଷ୍ଟି କରିବା ଉଚିତ୍ ନୁହେଁ।

Related story