ବିଜେପି ରାଲି ଉପରେ ଆକ୍ରମଣ: ବିଧାୟକ ପ୍ରାର୍ଥୀଙ୍କୁ ଟେକା ମାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବିଜେପି ରାଲି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ କରିଛନ୍ତି ଭୁବନେଶ୍ୱର (ମଧ୍ୟ)ର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଯେ ଆଜି ରାଲି ବେଳେ ‘ବିଜୁ ଗୁଣ୍ଡା ବାହିନୀ’ର ସଦସ୍ୟମାନେ ତାଙ୍କ ଉପରକୁ ଟେକାମାଡ଼ କରିବା ସହିତ ପ୍ଲାକାର୍ଡ ଚିରି ଫିଙ୍ଗି ଥିଲେ। ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ କହିଛନ୍ତି ଯେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଟେକା ମାଡ଼ […]

bjp1

Jitendra Garnayak
  • Published: Friday, 12 April 2019
  • , Updated: 12 April 2019, 09:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବିଜେପି ରାଲି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ କରିଛନ୍ତି ଭୁବନେଶ୍ୱର (ମଧ୍ୟ)ର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଯେ ଆଜି ରାଲି ବେଳେ ‘ବିଜୁ ଗୁଣ୍ଡା ବାହିନୀ’ର ସଦସ୍ୟମାନେ ତାଙ୍କ ଉପରକୁ ଟେକାମାଡ଼ କରିବା ସହିତ ପ୍ଲାକାର୍ଡ ଚିରି ଫିଙ୍ଗି ଥିଲେ। ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ କହିଛନ୍ତି ଯେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଟେକା ମାଡ଼ ହୋଇଥିଲା।

ଜଗନ୍ନାଥ କହିଛନ୍ତି,“ନିୟମ ମୁତାବକ ୮ ନମ୍ବରର ଗୋପବନ୍ଧୁ ସ୍ମୃତି ଭବନ ଓ ନୟାପଲ୍ଲୀର ଶବରସାହି ସ୍ଥିତ ଫୁଟ୍‌ବଲ୍ ପଡ଼ିଆରେ ସଭା କରିବା ପାଇଁ ୪୮ ଘଣ୍ଟା ପୂର୍ବରୁ ଅନୁମତି ମଗାଯାଇଥିଲା। କିନ୍ତୁ ଶେଷ ମୁର୍ହୂତ୍ତରେ ଆମକୁ ସଭା କରିବାକୁ ଅନୁମତି ଦିଆଯାଇ ନଥିଲା। ତେବେ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହକୁ ଦେଖି ଆମର ଲୋକସଭା ପ୍ରାର୍ଥୀ ଓ ମୁଁ ଚାଲି ଚାଲି ରାଲି କରିଥିଲୁ। ତେବେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଅଫିସ୍‌ ନିକଟରେ ବିଜୁ ଗୁଣ୍ଡା ବାହିନୀର ସଦସ୍ୟମାନେ ଏକାଠି ହୋଇ ବିଭିନ୍ନ ନାରାବାଜି କରିଥିଲେ। ସେମାନେ ମଧ୍ୟ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ତଥାପି ଆମେ ଚୁପ୍ ରହି ରାଲି ଶେଷ କରିଥିଲୁ।”

ସେ ଆହୁରି କହିଛନ୍ତି,“ସେମାନେ ଆମ ଉପରକୁ ଟେକା ଫୋପାଡ଼ିଥିଲେ। ତା’ସହିତ ତାଙ୍କ ପ୍ଲାକାର୍ଡ ଚିରି ଆମ ଉପରକୁ ଫୋପାଡ଼ି ଥିଲେ।”

ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପରୋକ୍ଷରେ ବିଜେଡିକୁ ଇଙ୍ଗିତ କରି କହିଛନ୍ତି, "ସେମାନେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କ ଆତ୍ମବିଶ୍ୱାସ କମିଯାଇଛି। ତେଣୁ ସେମାନେ ପ୍ରତିରୋଧ କରୁଛନ୍ତି। ସଭା କରିବାକୁ ଅନୁମତି ଦେଉ ନାହାନ୍ତି। ଟେକା ମାରୁଛନ୍ତି। ଲୋକମାନେ ସବୁ ବୁଝୁଛନ୍ତି। ସେମାନେ ଠିକ୍ ନିଷ୍ପତ୍ତି ନେବେ।"

ସୂଚନାଯୋଗ୍ୟ, ଗତକାଲି ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ଚିକିଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ଝାଟିଆପଦର ୮୨ ନମ୍ବର ବୁଥ୍‌ରେ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

 

Related story