ବ୍ରହ୍ମପୁର ବସ ଦୁର୍ଘଟଣା ପାଇଁ ସାଉଥକୋ ସିଇଓଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜ୍‌ପୁରଠାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ୧୧ଜଣ ବସଯାତ୍ରୀ ପ୍ରାଣ ହରାଇବା ଘଟଣାରେ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ବିଜେପି ଦାବି କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆହତଙ୍କ ପରିବାରବର୍ଗଙ୍କୁ ଭେଟି ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଛନ୍ତି। ଆହତ ବ୍ୟକ୍ତିଙ୍କ ଚିକିତ୍ସାକୁ ଗୁରୁତର ସହ […]

samir-mohanty

Manoranjan Sial
  • Published: Monday, 10 February 2020
  • , Updated: 10 February 2020, 09:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜ୍‌ପୁରଠାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ୧୧ଜଣ ବସଯାତ୍ରୀ ପ୍ରାଣ ହରାଇବା ଘଟଣାରେ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ବିଜେପି ଦାବି କରିଛି।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆହତଙ୍କ ପରିବାରବର୍ଗଙ୍କୁ ଭେଟି ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଛନ୍ତି। ଆହତ ବ୍ୟକ୍ତିଙ୍କ ଚିକିତ୍ସାକୁ ଗୁରୁତର ସହ ନେଇ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଡାକ୍ତରମାନଙ୍କୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ନଥିବା କାରଣରୁ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଏଭଳି ମର୍ମନ୍ତୁଦ ଘଟଣା ବାରମ୍ବାର ହେବା ସତ୍ତେ୍ କର୍ତୃପକ୍ଷ କୌଣସି ପଦକ୍ଷେପ ନନେବା, ପ୍ରଶାସନ ଓ ରାଜ୍ୟସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି। କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ବିଜୁଳି ବିତରକ କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତିା ବିଜୁଳି ସେବା ଯୋଗାଉଥିବା ବିତରକ କଂପାନୀ ପ୍ରତି ରାଜ୍ୟସରକାରଙ୍କ କୈାଣସି ନିୟନ୍ତ୍ରଣ ନାହିଁ। ବିଜୁଳି ବିତରକ କମ୍ପାନୀମାନେ ମନୋମୁଖି କାର୍ଯ୍ୟ କରୁଛନ୍ତି। ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଅତୀତରେ ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଅନୁରୂପ ଭାବେ ଯାତ୍ରୀବାହୀ ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏଭଳି ଏକ ସମ୍ବେଦନଶୀଳ ଦୁର୍ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଶ୍ରୀ ମହାନ୍ତିଙ୍କ ସହ ପୂର୍ବତନ ସାଂସଦ ବିଭୂ ତରାଇ, ଦଳର ଅନ୍ୟ ନେତା ଶାରଦା ପ୍ରଧାନ, ପ୍ରକାଶ ବେହେରା, ସ୍ମୃତିରେଖା ପଟ୍ଟନାୟକ, ରଶ୍ମିରେଖା ଦାସ, ସିକନ୍ଦର ଅଲୀ, ଲଲାଟେନ୍ଦୁ ବଡୁଙ୍କ ସମେତ ଜିଲ୍ଲା କର୍ମକର୍ତ୍ତାମାନେ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଥିଲେ।

Related story