ପିଏମ ଆବାସ ଯୋଜନା ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆଣିବାକୁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ ରାଜ୍ୟ ବିଜେପି ଦାବି କରିବା ସହ ସରକାରଙ୍କ ପକ୍ଷରୁ ଏବେ ଜାରି ରହିଥିବା ‘ଅଭିଯୋଗ ବାକ୍ସରେ ନିଜକୁ ଅଯୋଗ୍ୟ’ ଉଲ୍ଲେଖ କରିବାର ବ୍ୟବସ୍ଥାକୁ କଡ଼ା ସମାଲୋଚନା କରାଯାଇଛି। ବିଜେପିର ପ୍ରତିନିଧି ଦଳ ମଧ୍ୟ ଏନେଇ ପଞ୍ଚାୟତିରାଜ ସଚିବଙ୍କୁ ଭେଟି ନିଜର ଉଦବେଗ ଜଣାଇବା ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ନେଇ […]

bibu

Manoranjan Sial
  • Published: Saturday, 15 February 2020
  • , Updated: 15 February 2020, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ ରାଜ୍ୟ ବିଜେପି ଦାବି କରିବା ସହ ସରକାରଙ୍କ ପକ୍ଷରୁ ଏବେ ଜାରି ରହିଥିବା ‘ଅଭିଯୋଗ ବାକ୍ସରେ ନିଜକୁ ଅଯୋଗ୍ୟ’ ଉଲ୍ଲେଖ କରିବାର ବ୍ୟବସ୍ଥାକୁ କଡ଼ା ସମାଲୋଚନା କରାଯାଇଛି। ବିଜେପିର ପ୍ରତିନିଧି ଦଳ ମଧ୍ୟ ଏନେଇ ପଞ୍ଚାୟତିରାଜ ସଚିବଙ୍କୁ ଭେଟି ନିଜର ଉଦବେଗ ଜଣାଇବା ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ଅଛନ୍ତି କି ବୋଲି ଜାଣିବାକୁ ଚାହିଁଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବିଭୂ ତରାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅକ୍ଟୋବର ୧୦ ତାରିଖରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ୧୨ ଲକ୍ଷ ୭୫ ହଜାର ପକ୍କାଘର ହିତାଧିକାରିଙ୍କର ନାଁ ଥିଲା। ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିଲେ ଓ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରୁ ବଞ୍ôଚତ କରାଯାଇଥିଲା। ଏବେ ରାଜ୍ୟସରକାର ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ସୁରକ୍ଷା ଦେବାକୁଯାଇ ଫେବୃୟାରୀ ୧୦ ରୁ ୧୬ ତାରିଖ ଭିତରେ ସମସ୍ତ ପଂଚାୟତ କାର୍ଯ୍ୟାଳୟରେ ଆବାସ ଯୋଜନାର ହିତାଧିକାରି ତାଲିକା ମରାଯିବା ସହିତ ଏକ ଅଭିଯୋଗ ବାକ୍ସ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ନିଜକୁ ଅଯୋଗ୍ୟ ମନେ କରିବ ବା ନିଜକୁ ଯୋଗ୍ୟ ଭାବିବ ସେମାନେ ଏଠାରେ ଆବେଦନ କରିପାରିବେ। କିନ୍ତୁ କିଏ କାହିଁକି ନିଜକୁ ଅଯୋଗ୍ୟ ଘୋଷଣା କରି ଅଭିଯୋଗ ବାକ୍ସରେ ନିଜର ନାଁ ହିତାଧିକାରୀ ତାଲିକାରୁ କାଟିବା ପାଇଁ ଚାହିଁବ ବୋଲି ଶ୍ରୀ ତରାଇ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଜେପି ପକ୍ଷରୁ ଅନେକଥର ଦାବି କରାଯିବା ପରେ ବି ରାଜ୍ୟ ସରକାରଙ୍କ ଚେତା ପଶୁନି। ଏବେ ରାଜ୍ୟସରକାର ତରବରିଆ ଭାବେ ଫେବୃୟାରୀ ୧୦ରୁ ଫେବୃୟାରୀ ୧୬ରୁ ଭିତରେ ଅଭିଯୋଗ କରିବା ପାଇଁ ତାରିଖ ଧାର୍ଯ୍ୟ ରଖିଥିବାବେଳେ ଏବେ ସୁଦ୍ଧା ଅନେକ ପଂଚାୟତରେ, ବ୍ଲକରେ ସର୍ବସାଧାରଣ ନୋଟିସ ଲାଗିନାହିଁ ବା ଅଭିଯୋଗ କରିବା ପାଇଁ ବାକ୍ସ ରଖାଯାଇ ନାହିଁ। ୧୫ ତାରିଖ ବିତି ସାରିଥିବାବେଳେ ବିଡିଓଙ୍କ ପାଖରେ ବି କୌଣସି ସୂଚନା ନାହିଁ। ପୁଣି ସରକାର ସେହି ନୋଟିସରେ ଲେଖିଛନ୍ତି ଯେ, ୨୦୨୦ ଫେବୃୟାରୀ ୨୫ରେ ତାଲିକା ପ୍ରକାଶ କରିବେ ଓ ୨୦୨୦ ଏପ୍ରିଲରେ ଫାଇନାଲ ତାଲିକା ଆସିବ। ତେବେ କେବେ ଫାଇନାଲ ତାଲିକା ପ୍ରକାଶ କରାଯିବ ସେ ନେଇ ରାଜ୍ୟ ସରକାର ନିଜେ ଦ୍ୱନ୍ଦରେ ଅଛନ୍ତି। ଅତି ଚତୁରତାର ସହ କେବଳ ଶାସକ ଦଳର ଅଯୋଗ୍ୟ ହିତାଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି କରାଯାଇଛି।

ରାଜ୍ୟ ସରକାର ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ପଂଚାୟତ ସ୍ତରରେ ଅଭିଯୋଗ କରିବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ତାର ସମୟସୀମା ୧ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ପ୍ରତି ପଂଚାୟତରେ ଅଭିଯୋଗ ବାକ୍ସ ରଖାଯାଉ। ଅଭିଯୋଗ କରିବାର ପୁରା ପ୍ରକିୟାକୁ ଭିଡିଓଗ୍ରାଫି କରାଯିବା ସହିତ ଆବେଦନ କରୁଥିବା ଲୋକକୁ ଏକ ‘ପ୍ରାପ୍ତି ସ୍ୱୀକାର’ ଦିଆଯାଉା ଅଭିଯୋଗ ଗ୍ରହଣ କରିବାର ପଦ୍ଧତିରେ ସ୍ୱଚ୍ଛତା ରଖାଯାଉ। ଯେଉଁଥିରେ କି ଆବେଦନକାରୀ ତାଙ୍କ ଆବେଦନ କରିବାର ପୁରା ପ୍ରକ୍ରିୟାର ଭିଡିଓ ଫୁଟେଜକୁ ନିଜେ ଚାହିଁଲେ ନିଜ ଖର୍ଚ୍ଚରେ ନେଇପାରିବେ ସେଥିପାଇଁ ରାଜ୍ୟସରକାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ତରାଇ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ ପରେ ବିଜେପିର ଏକ ପ୍ରତିନିଧି ଦଳ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଭେଟି ଏ ସମ୍ବନ୍ଧରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related story