‘ରାଜନୈତିକ-ବିରୋଧ’ର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ଅଭିଯାନରେ ଅଛି କି ବିଜେପି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତି ଏକ ସେବା ସଦୃଶ। ଏହା ସୁଦୂରପ୍ରସାରୀ ଏକ ପ୍ରକ୍ରିୟା। ରାଜନୀତି ଓ ସେବା ମଧ୍ୟରେ ତଫାତ ହେଲା, ସେବାରେ ସ୍ୱାର୍ଥ ନଥାଏ, କିନ୍ତୁ ରାଜନୀତିରେ ଭୋଟ୍ ପାଇଁ ଲୋଭ ଥାଏ। ଗୋଟେ ସମୟ ଥିଲା, ଯେତେବେଳେ ଜନସେବା କରୁଥିବା ବ୍ୟକ୍ତିମାନଙ୍କୁ ରାଜନୀତିରେ ସୁଯୋଗ ଦିଆଯାଉଥିଲା। ଉଭୟ ସାଧାରଣ ଲୋକ ଏବଂ ରାଜନୈତିକ ଦଳ, ସେମାନଙ୍କୁ ସ୍ୱାଗତ କରୁଥିଲେ। କ୍ଷମତା ଆସିଲେ ସେମାନେ ଖୁସି ହେଉଥିଲେ, କିନ୍ତୁ ଏଥିପାଇଁ ଲାଳାୟିତ ନଥିଲେ। ଏବେ କିନ୍ତୁ […]

bjp

bjp

Ordigital Desk
  • Published: Wednesday, 14 February 2018
  • Updated: 15 February 2018, 10:32 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତି ଏକ ସେବା ସଦୃଶ। ଏହା ସୁଦୂରପ୍ରସାରୀ ଏକ ପ୍ରକ୍ରିୟା। ରାଜନୀତି ଓ ସେବା ମଧ୍ୟରେ ତଫାତ ହେଲା, ସେବାରେ ସ୍ୱାର୍ଥ ନଥାଏ, କିନ୍ତୁ ରାଜନୀତିରେ ଭୋଟ୍ ପାଇଁ ଲୋଭ ଥାଏ। ଗୋଟେ ସମୟ ଥିଲା, ଯେତେବେଳେ ଜନସେବା କରୁଥିବା ବ୍ୟକ୍ତିମାନଙ୍କୁ ରାଜନୀତିରେ ସୁଯୋଗ ଦିଆଯାଉଥିଲା। ଉଭୟ ସାଧାରଣ ଲୋକ ଏବଂ ରାଜନୈତିକ ଦଳ, ସେମାନଙ୍କୁ ସ୍ୱାଗତ କରୁଥିଲେ। କ୍ଷମତା ଆସିଲେ ସେମାନେ ଖୁସି ହେଉଥିଲେ, କିନ୍ତୁ ଏଥିପାଇଁ ଲାଳାୟିତ ନଥିଲେ। ଏବେ କିନ୍ତୁ କେବଳ କ୍ଷମତା ପାଇଁ ହିଁ ସେବା କରାଯାଉଛି। ଓଡ଼ିଶାରେ ଏହାର ଉଦାହରଣ ସୃଷ୍ଟି କରିଛି ବିଜେପି। ବିଜେପିର ଅନ୍ୟତମ ଆଦର୍ଶବାଦୀ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ୪୦ ବର୍ଷ ଲାଗିଥିଲା। ଲାଲକୃଷ୍ଣ ଆଡଭାନୀ ମଧ୍ୟ ଅନେକ ବର୍ଷ ଧରି ଲୋକଙ୍କ ସେବାରେ ରହିବା ପରେ କ୍ଷମତାର ସ୍ୱାଦ ଚାଖିଥିଲେ। କିନ୍ତୁ ଦଳର ଏହି ଆଦର୍ଶ ଏବେ ରସାତଳକୁ ଗଲା ପରି ଲାଗୁଛି। ଗତ କିଛିଦିନ ଭିତରେ ଓଡ଼ିଶାରେ ଦଳ ସେହିଭଳି କିଛି ଉଦାହରଣ ସୃଷ୍ଟି କରିଛି।

ଉଦାହରଣ-୧: ବାଲେଶ୍ୱର ଜିଲ୍ଲାର ତଳସାରି ବେଳାଭୂମି ମହୋତ୍ସବ ମଂଚରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଜଣେ ଭଦ୍ରମହିଳା ତାଙ୍କୁ ଲକ୍ଷ୍ୟ କରି ଅଣ୍ଡା ଫିଙ୍ଗିଲେ। ସେଠି ହଜାର ହଜାର ବିଜେଡି ସମର୍ଥକ ଉପସ୍ଥିତ ଥିବାରୁ, ସ୍ୱଭାବିକ ଭାବରେ ସେମାନଙ୍କ ଭିତରୁ କିଛି ଏହି ଭଦ୍ରମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ। ଜନସମାଗମରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗିଲେ ଏମିତି ବ୍ୟବହାରର ଶିକାର ଯେ ତାଙ୍କୁ ହେବାକୁ ପଡ଼ିବ, ମହିଳା ଜଣକ ତାହା ଜାଣିଥିଲେ ନିଶ୍ଚୟ। ତାଙ୍କୁ ଗିରଫ କରାଗଲା ଓ ତାଙ୍କ ବିରୋଧରେ ଅନେକ ଦଫା ବି ଲଗାଗଲା। ଏଥିପାଇଁ ଅଣ୍ଡା ଫିଙ୍ଗି ଅପରାଧ କରିଥିଲେ ବି ମହିଳାଙ୍କ ପାଇଁ ସବୁ ସ୍ତରରୁ ସମବେଦନାର ସୁଅ ଛୁଟିଥିଲା। ତା ଭିତରେ ତାଙ୍କୁ ମେଡିକାଲରେ ଖୁବ୍ କଷ୍ଟ ଭୋଗିବାକୁ ପଡ଼ିଥିଲା। ଘରେ ତାଙ୍କ ଛୋଟ ଛୁଆଟି ଅବହେଳାର ଶିକାର ହେଲା। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଉପରୁ ସମସ୍ତ ଦଫା ଉଠାଇବାକୁ ଘୋଷଣା କଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ମେଡିକାଲରେ କୁନ୍ଥୋଉଥିବା ମହିଳା ତା ପରଦିନ ମୁହଁରେ ମେକପ୍ ଲଗେଇ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କଟୁ ଭାଷାରେ ଗାଳିଦେଲେ। କହିଲେ, ମୁଁ କେଉଁ ଦଳର ନୁହେଁ। ମୁଁ ଗୋଟେ ମାଆ। ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ସମବେଦନା ଆମର ଅଛି। କିନ୍ତୁ ବିଜେପି ଅଫିସ୍‌ରେ, ବିଜେପି ବ୍ୟାନର ତଳେ ବସି ‘ମୁଁ କେଉଁ ଦଳର ନୁହେଁ’ ବୋଲି କହିବା ହାସ୍ୟାସ୍ପଦ ନୁହେଁ କି? ଲୁଚିଛି ନା ଗୋଡ଼ ଦିଇଟି ଦିଶୁଛି। ଭଦ୍ରମହିଳାଙ୍କ ସ୍ୱାମୀ ମଧ୍ୟ ବାଲେଶ୍ୱର ଜିଲ୍ଲାର ଜଣେ ବିଜେପି ନେତା। ତା ପରେ ମହିଳା ଯେଉଁ ଭାଷା କହୁଥିଲେ, ଯେଉଁ ଢଙ୍ଗରେ ମାପିଚୁପି ଅପରିପକ୍ୱ ଢଙ୍ଗରେ ନିଜ ପ୍ରତିକ୍ରିୟା ରଖୁଥିଲେ, ସେଥିରୁ ସ୍ପଷ୍ଟ ହୋଇଯାଉଥିଲା ଯେ, ତାଙ୍କ ସ୍କ୍ରିପ୍ଟ ବିଜେପି ଅଫିସ୍‌ରେ ହିଁ ଲେଖାଯାଇଛି। ଏହାର ଅର୍ଥ, ବିଜେପି ହିଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗିବାକୁ ପଠେଇଥିଲା ପରି ମନେହେଉଛି। ମେଡିକାଲ୍‌ରେ ଥିଲାବେଳେ ତାଙ୍କ କଅଁଳା ଶିଶୁଟି ଅବହେଳାର ଶିକାର ହେଲା। ମେଡିକାଲ୍‌ରୁ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରିବାକୁ ଯେଉଁ ଆସିଲେ, ସେତେବେଳେ ତାଙ୍କ ଶିଶୁଟି କ’ଣ ଅବହେଳିତ ହେଲାନି?

ଉଦାହରଣ-୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନରେ କିଛି ବିଜେପି କର୍ମୀ ଖୋଲାଖୋଲି ଭାବେ ଭଙ୍ଗାରୁଜା କରିବା ସହ ଗୋବର ଫିଙ୍ଗିଲେ। ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ବିଜେପି ଏ ଯେଉଁ ଉପାୟ ଆପଣେଇଲା, ତାହା ନିମ୍ନମାନର ଉଦାହରଣ ସୃଷ୍ଟି କଲା। ପାଣ୍ଡିଆନଙ୍କୁ ସମାଲୋଚନା କରିବା ପର୍ଯ୍ୟନ୍ତ କଥା ଠିକ୍ ଥିଲା। କିନ୍ତୁ ତାଙ୍କ ଘରେ ଆକ୍ରମଣ କରିବା ପରି ସ୍ଥିତି ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ରାଜନୈତିକ ଅସହିଷ୍ଣୁତାର ଉଦାହରଣ ସୃଷ୍ଟି କଲା। ବିଜେପି କ’ଣ ଭାବୁଛି, ଏହିପରି ଉଦାହରଣ ସୃଷ୍ଟି କଲେ ଓଡ଼ିଶାର ଭୋଟର ତାଙ୍କୁ ଭୋଟ୍ ଦେଇଦେବେ? ବରଂ ଦଳର ଛବି ଉପରେ ଏହି ଘଟଣା ଗୋବର ଲିପି ଦେଇଛି। ସମସ୍ତେ ଛି ଛାକର କରୁଛନ୍ତି। ସବୁଠୁ ବଡ଼ କଥା ହେଲା, ଏହି ଘଟଣାକୁ ଏବେସୁଦ୍ଧା ଦଳ ନିନ୍ଦା କରିନି। ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବେ ଏହାକୁ ନିନ୍ଦା କରିଛନ୍ତି। କିନ୍ତୁ ଦଳୀୟ ଫୋରମ୍‌ରେ ଏହାକୁ ନିନ୍ଦା କରାଯାଇ ନାହିଁ। ବରଂ ଆଉଜଣେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା ଉଚିତ୍ ପଦକ୍ଷେପ ବୋଲି ଦର୍ଶେଇଛନ୍ତି।

ଧର୍ମେନ୍ଦ୍ର ବାବୁ ଭାବୁଛନ୍ତି କି, ଏଇ ଦୁଇ ତିନିମାସ ଭିତରେ କ୍ଷମତା ହାସଲ କରିଯିବେ? ମାଆ ପେଟରେ ପିଲାଟିଏ ସଂପୂର୍ଣ୍ଣ ହେବାକୁ ୧୦ ମାସ ୧୦ ଦିନ ଲାଗେ। ତା ପୂର୍ବରୁ ପିଲାଟିକୁ ଜନ୍ମ କଲେ ଡାକ୍ତରୀ ଭାଷାରେ ତାକୁ ‘ଇମାଚିଓର୍ ବେବି’ ବୋଲି କୁହାଯାଏ। ଧର୍ମେନ୍ଦ୍ର କ’ଣ ଏକ ଅପରିପକ୍ୱ କ୍ଷମତା ହାସଲ କରିବା ଚକ୍କରରେ ଅଛନ୍ତି? ଏକ ସଂସ୍କାରବାଦୀ ଦଳ ବୋଲି ନିଜକୁ ଦାବି କରୁଥିବା ବିଜେପି ଏତେ ଅସହିଷ୍ଣୁ କାହିଁକି ହୋଇପଡ଼ିଛି। କେଉଁଠି ମହିଳାଙ୍କୁ ଅଣ୍ଡା ଫିଙ୍ଗା କାମରେ ଲଗାଇଛି ତ କେଉଁଠି ସରକାରୀ ବାବୁଙ୍କୁ ଘରେ ପଶିବାକୁ କର୍ମୀଙ୍କୁ ଉସୁକାଉଛି। ଏପରି ଉଦାହରଣ ସୃଷ୍ଟି କରି ବିଜେପି ଦୟାକରି ଓଡ଼ିଶାର ରାଜନୈତିକ ଇତିହାସକୁ କଳଙ୍କିତ ନକରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos