ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଟେଷ୍ଟ ହ୍ରାସକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଅଧିକ ସଂଖ୍ୟାରେ କରୋନା ଟେଷ୍ଟ ହେବାର ଆବଶ୍ୟକତା ରହିଛି। ଓଡ଼ିଶାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଅସମ୍ଭାଳ ହେବ। ରାଜ୍ୟ ସରକାର କହିଲେ ଦିନକୁ ୧୫ହଜାର ଟେଷ୍ଟ କରିବୁ, ଏବେ ୨ହଜାର ଟେଷ୍ଟ୍ କରିବା କଷ୍ଟ ହୋଇଛି। ୩-୪ଟି ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ବ୍ୟକ୍ତ କରିଛନ୍ତି। ମାତ୍ର ଏଠି ବ୍ଲୁ-ପ୍ରିଣ୍ଟ ନକରି ଖାଲି ଭାଷଣ ଦେଲେ ସଂକ୍ରମଣ ବଢ଼ିବ। ଭାଷଣକୁ ଗୁରୁତ୍ୱ ଦେଲେ ସଂକ୍ରମଣ ବଢ଼ିବ ବୋଲି ସେ ଚେତାଇ ଦେଇଛନ୍ତି।
ରାଜ୍ୟରେ କରୋନା ଟେଷ୍ଟ ହ୍ରାସ ପାଉଥିବାବେଳେ କୋବାସ୍ ମେସିନ୍ ଆଣିଲେ ଓ ତାକୁ ଫେରାଇଦେଲେ। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୯୬,୪୫୬ଟି ନମୂନା କୋଭିଡ-୧୯ ପରୀକ୍ଷା କରାଯାଇଛି। ୪ତାରିଖରେ ୩୦୫୬ଟି ପରୀକ୍ଷା ହୋଇଥିବାବେଳେ ୫ତାରିଖରେ ୩୪୩୮ଟି, ୬ରେ ୩୪୦୨ଟି, ୭ତାରିଖରେ ୩୧୭୯ଟି, ୮ରେ ୨୮୨୩ଟି, ୯ରେ ୨୯୧୬ଟି,୧୦ରେ ୩୧୯୭ଟି,୧୧ରେ ୩୭୨୧ଟି ଓ ୧୨ତାରିଖରେ ୩୬୫୫ଟି କୋଭିଡ-୧୯ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।