ହେ ମହାପ୍ରଭୁ ଏ ସରକାରକୁ ସଦବୁଦ୍ଧି ଦିଅନ୍ତୁ... ଗୁହାରୀ କଲେ ବିଜେପି ବିଧାୟକ

ପୁରୀ(ଓଡ଼ିଶା ରିପୋର୍ଟର): ହେ ମହାପ୍ରଭୁ ଏ ସରକାରକୁ ସଦବୁଦ୍ଧି ଦିଅନ୍ତୁ…। ଆଜି ସିଂହଦ୍ୱାର ସମ୍ମୁଖରେ ଦୀପ ଜାଳି ମହାପ୍ରଭୁଙ୍କ ନିକଟରେ ଏପରି ଗୁହାରି କରିଛନ୍ତି ବିଜେପି ବିଧାୟକ। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଅଧିବେଶନ ବନ୍ଦ ହୋଇଯାଇଥିବାରୁ ବିରୋଧୀ ବିଜେପି ବିଧାୟକମାନେ ଶ୍ରୀକ୍ଷେତ୍ର ଆସି ସରକାରଙ୍କ ସଦ୍‌ବୁଦ୍ଧି ଫେରାଇ ଆଣିବା ପାଇଁ ପ୍ରାର୍ଥୀନା କରିଛନ୍ତି। ମହାପ୍ରଭୁଙ୍କ ପାଖରେ ଶରଣ ପଶି ବିଧାୟକମାନେ କହିଛନ୍ତି- ରାଜ୍ୟରେ ନାରୀ ନିର୍ଯାତନା, ଲୁଣ୍ଠନ, ଅନ୍ୟାୟ, ଅତ୍ୟାଚାର ସହ ବ୍ୟାଭିଚାର ବଢ଼ି ଚାଲିଛି। […]

Puri

Manoranjan Sial
  • Published: Saturday, 11 December 2021
  • , Updated: 11 December 2021, 08:03 PM IST

ପୁରୀ(ଓଡ଼ିଶା ରିପୋର୍ଟର): ହେ ମହାପ୍ରଭୁ ଏ ସରକାରକୁ ସଦବୁଦ୍ଧି ଦିଅନ୍ତୁ...। ଆଜି ସିଂହଦ୍ୱାର ସମ୍ମୁଖରେ ଦୀପ ଜାଳି ମହାପ୍ରଭୁଙ୍କ ନିକଟରେ ଏପରି ଗୁହାରି କରିଛନ୍ତି ବିଜେପି ବିଧାୟକ। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଅଧିବେଶନ ବନ୍ଦ ହୋଇଯାଇଥିବାରୁ ବିରୋଧୀ ବିଜେପି ବିଧାୟକମାନେ ଶ୍ରୀକ୍ଷେତ୍ର ଆସି ସରକାରଙ୍କ ସଦ୍‌ବୁଦ୍ଧି ଫେରାଇ ଆଣିବା ପାଇଁ ପ୍ରାର୍ଥୀନା କରିଛନ୍ତି।

ମହାପ୍ରଭୁଙ୍କ ପାଖରେ ଶରଣ ପଶି ବିଧାୟକମାନେ କହିଛନ୍ତି- ରାଜ୍ୟରେ ନାରୀ ନିର୍ଯାତନା, ଲୁଣ୍ଠନ, ଅନ୍ୟାୟ, ଅତ୍ୟାଚାର ସହ ବ୍ୟାଭିଚାର ବଢ଼ି ଚାଲିଛି। ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଭଳି ସଙ୍ଗୀନ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳୁନି। ଶାସକ ଦଳ ଦୁର୍ଯ୍ୟୋଧନ ଓ ରାବଣ ଭଳି ଆଚରଣ କରୁଛି। ବିଧାନସଭାରେ ଏସବୁ ପ୍ରସଙ୍ଗ ଉଠାଇଲା ବେଳକୁ ବିରୋଧୀଙ୍କ ସ୍ୱର ଚାପି ଦିଆଯାଉଛି। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ବିଧାନସଭା ଶୀତ ଅଧିବେଶନ ବନ୍ଦ କରି ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦୌ ଗୃହକୁ ଆସିଲେନି କି ବିରୋଧୀଙ୍କ ଦାବିକୁ ସମ୍ମାନ ଦେଲେନି। ମମିତା ମାମଲାରେ ସିବିଆଇ ତଦନ୍ତ କଥା ଆଦୌ ଉଠିଲା ନାହିଁ। ବିରୋଧୀଙ୍କୁ ପୁଲିସ ଗୋଡ଼େଇ ଗୋଡ଼େଇ ପିଟୁଛି। ବିଧାନସଭାରେ ଆମେ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ଶେଷରେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଏ ରାଜ୍ୟକୁ ବଞ୍ଚାଇବା ଲାଗି ଗୁହାରି କରିଛୁ ବୋଲି ବିଜେପି ବିଧାୟକମାନେ କହିଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଗୃହକୁ ଆସିଲେ ନାହିଁ। ମମିତା ମେହେର ବିଷୟରେ ପଦୁଟିଏ କହିଲେ ନାହିଁ। ଅଭିଯୁକ୍ତକୁ ମଞ୍ଚରେ ବସାଇ ସଭା କଲେ। ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ୱେଦନଶୀଳତା ଉପରେ ଆଘାତ କଲେ। ହେ ପ୍ରଭୁ ଏ ସରକାରକୁ ସଦ୍‌ବୁଦ୍ଧି ଦିଅ।”

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, “ଚାଷୀମାନେ ବିଲରେ କନ୍ଦୁଛନ୍ତି। ସେମାନଙ୍କ ଧାନ ଷଢ଼ି ଯାଇଛି। ରତ୍ନଭଣ୍ଡାର ଚାବି ହଜାରଇ ଡ୍ରାମା କରୁଛନ୍ତି। ସେ ବିଷୟରେ ବିଧାନସଭାରେ ଚର୍ଚ୍ଚା ହୋଇଥାଆନ୍ତା। ୨୦ ଦିନ ବାକି ଥିଲା, ବିଧାନସଭାକୁ ବନ୍ଦ କରିଦିଆଗଲା। ସାଢ଼େ ୪ କୋଟି ଲୋକ କମିତି ସୁରକ୍ଷା ପାଇବେ? କେମିତି ଲୋକଙ୍କ ମଙ୍ଗଳ ହେବ? ଛାତ୍ର ଅଶାନ୍ତି ଲାଗି ଥିବା ବେଳେ ଯୁବକମାନେ ବେକାର ହୋଇ ବସିଛନ୍ତି। ମହିଳାମାନେ ଅସୁରକ୍ଷିତ ଅଛନ୍ତି। ପୂରା ରାଜ୍ୟର କଥା ତୁମେ ବୁଝ ହେ ମହାପ୍ରଭୁ।”

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଉଷ୍ମ ହୋଇଥିଲା। ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ରଙ୍କ ସମ୍ପୃକ୍ତ ଅଭିଯୋଗ ଆଣି ବିରୋଧୀ ଜୋରଦାର ବିରୋଧ କରିଥିଲେ। କିଏ ବିଧାନସଭାରେ କଣ୍ଟ ବାଡ଼େଇଲା ତ କିଏ ଗଙ୍ଗା ଓ ଗୁବର ପାଣି ଛିଞ୍ଚିଲା। ଆଉ କିଏ ତୁଳସୀ ପାଣି ଛିଞ୍ଚି ପ୍ରତିବାଦ କଲା।

ବିଜେପି ଓ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଯୋଗୁ ଚାଲି ପାଲିନଥିଲା ବିଧାନସଭା। ବାଚସ୍ପଚି ବାରମ୍ୱାର ଗୃହକୁ ମୁଲତବୀ ଘୋଷଣା କରୁଥିଲେ। ତେବେ ଗୃହ ଚାଲି ନପାରିବାରୁ ୧୬ ଦିନ ପୂର୍ବରୁ ବନ୍ଦ କରିଦେଲେ ବାଚସ୍ପତି। ଯେଉଁଥିପାଇଁ ରତ୍ନଭଣ୍ଡାର ଖୋଲିବା, ଚାଷୀକୁଳ ହତାଶ ପରି ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରି ନାହିଁ ବିରୋଧୀ ଅଭିଯୋଗ କରିଛନ୍ତି।

Related story