ବ୍ୟୋମକେଶ ରାୟଙ୍କ ବିରୋଧରେ ମାନବାଧିକାର କମିଶନଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ୍ ହାତେଇବା ପାଇଁ ଭଦ୍ରକର ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ବ୍ୟୋମକେଶ ରାୟ ବାଣ୍ଟିଥିବା ମଦ ପିଇ ୧୨ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ୨ମାସ ବିତିଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଦୋଷୀ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କାହିଁକି ଗିରଫ କରାଯାଇନି ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ […]

bjp-team

Manoranjan Sial
  • Published: Tuesday, 25 June 2019
  • , Updated: 25 June 2019, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ୍ ହାତେଇବା ପାଇଁ ଭଦ୍ରକର ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ବ୍ୟୋମକେଶ ରାୟ ବାଣ୍ଟିଥିବା ମଦ ପିଇ ୧୨ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ୨ମାସ ବିତିଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଦୋଷୀ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କାହିଁକି ଗିରଫ କରାଯାଇନି ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ଯେ, ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ତିହିଡି ବ୍ଲକରେ ବିଷାକ୍ତ ମଦ ବାଣ୍ଟିଥିଲେ। ଏହାକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉଦ୍ଧ୍ୱର୍ଲୋକ ଅସୁସ୍ଥ ହୋଇଥିଲେ। ଘଟଣାକୁ ୨ ମାସ ବିତିଥିଲେ ମଧ୍ୟ ଏଯାବତ ପୁଲିସ୍ କେବଳ ଜଣକୁ ଗିରଫ କରି ଚୁପ ବସିଛି। ଏହି ଘଟଣାର ମୁଖ୍ୟ ଦୋଷୀ ଚାନ୍ଦବାଲି ବିଜେଡି ବିଧାୟକ ଶ୍ରୀ ରାୟ ଓ ତାଙ୍କ ସହଯୋଗୀ( ଚୋରାମଦ ମାଫିଆ)ଙ୍କୁ ପୁଲିସ ଗିରଫ ନକରି ଓଲଟା ସୁରକ୍ଷା ଯୋଗାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରି ମଧ୍ୟ ତାହା ସମସ୍ତଙ୍କୁ ଦେଇନାହାନ୍ତି। ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜେଡି ଚାନ୍ଦବାଲିରେ ଲୋକଙ୍କୁ ବିଷାକ୍ତ ମଦ ଏବଂ ଟଙ୍କା ବାଣ୍ଟିଥିଲା। ବିଧାୟକ ଶ୍ରୀ ରାୟ ଏବଂ ତାଙ୍କ ସହଯୋଗୀ ଅଜୟ କୁମାର ନାୟକଙ୍କ ସମେତ ଅନେକ ବିଜେଡି କର୍ମୀମାନେ ଏହି ବିଷାକ୍ତ ମଦ ଲୋକଙ୍କୁ ବାଣ୍ଟିିବା କଥା ଗଣମାଧ୍ୟମକୁ ସ୍ଥାନୀୟ ବାସିନ୍ଦା ଜଣାଇଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ନେତା ଏବଂ କର୍ମକର୍ତ୍ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶାସକ ଦଳର ଚାପରେ ପୋଲିସ ଓ ଗୃହ ବିଭାଗ ବିଜେଡି ବିଧାୟକ, ବିଜେଡି କର୍ମୀ ଏବଂ ମଦ ମାଫିଆଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛି। ଏ ଘଟଣାରେ ସଂପୃକ୍ତ ଥିବା ବିଧାୟକ, ଏବଂ ମଦ ମାଫିଆଙ୍କୁ ଗିରଫ କରିବା ପାଇଁ ରାଜ୍ୟ ମାନବ ଅଧିକାର କମିଶନଙ୍କ ଆଗରେ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି।

ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ସଚିବ, ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗର ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଏସପି, ପୁଲିସ୍ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା। ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତି, ତାହା ବୁଝି ହେଉନାହିଁ। ମଦମୃତ୍ୟୁର ଶିକାର ହୋଇଥିବା ପରିବାରଙ୍କୁ କେବେ ନ୍ୟାୟ ମିଳିବ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି।

ସେହିପରି କେନ୍ଦୁଝରର ଚମ୍ପୁଆରେ ଏସାର ଷ୍ଟିଲ ଇଣ୍ଡିଆ ଲିମିଟେଡ୍ ସ୍ଥାପନ ଯୋଗୁ ନିଜର ଭିଟାମାଟି ହରାଇଥିବା ଲୋକମାନଙ୍କ ପ୍ରତି ସମ୍ପୃକ୍ତ କମ୍ପାନୀ ଦୀର୍ଘଦିନ ଧରି ବୈମାତୃକ ମନୋଭାବ ପୋଷଣ କରିଆସୁଛି। ପ୍ରଭାବିତ ଲୋକଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଯୋଗାଇବା, ଥଇଥାନ କରାଇବା ପାଇଁ ବିଜେପି ଦାବି କରିବା ସହି ବୈତରଣୀ ନଦୀକୁ ଏହି ଶିଳ୍ପ ସଂସ୍ଥା ପକ୍ଷରୁ ଅତିମାତ୍ରାରେ ପ୍ରଦୂଷଣ କରାଯାଉଥିବାରୁ ବିଜେପି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଏହି ପ୍ରତିନିଧି ଦଳରେ ଉପସଭାପତି ସମୀର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟପ୍ରକାଶ ନାୟକ, କେନ୍ଦ୍ୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତ ପ୍ରମୁଖ ସାମିଲ ଥିଲେ।

Related story