ପୁଣି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି: ସମ୍ବିତ ପାତ୍ର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ‘ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମୁଖା ଖୋଲି ଯାଇଛି। ତାଙ୍କର ଆଉ ଏକ ମିଛ ଧରାପଡ଼ି ଯାଇଛି।’ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ହୋଇସାରିଥିବା ବେଳେ ଗତ ଦୁଇ ଦିନ ହେଲା ବିଳମ୍ବିତ ରାତିରେ ଜିପିଆର୍‌ ସର୍ଭେ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ରୁ ସମ୍ବିତ ପାତ୍ର। କାରଣ ଏହା ପୂର୍ବରୁ ସାଂସଦ ପିନାକୀ ମିଶ୍ର […]

Sambit Patra

Sambit Patra

Jitendra Garnayak
  • Published: Sunday, 22 May 2022
  • Updated: 23 May 2022, 12:10 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ‘ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମୁଖା ଖୋଲି ଯାଇଛି। ତାଙ୍କର ଆଉ ଏକ ମିଛ ଧରାପଡ଼ି ଯାଇଛି।’ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ହୋଇସାରିଥିବା ବେଳେ ଗତ ଦୁଇ ଦିନ ହେଲା ବିଳମ୍ବିତ ରାତିରେ ଜିପିଆର୍‌ ସର୍ଭେ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ରୁ ସମ୍ବିତ ପାତ୍ର। କାରଣ ଏହା ପୂର୍ବରୁ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ଜିପିଆର ସର୍ଭେ ହୋଇଛି। ଏହା ହୋଇନି ବୋଲି ଯାହା କୁହାଯାଉଛି, ତାହା ଭିତ୍ତିହୀନ।

ପିନାକୀ ମିଶ୍ରଙ୍କୁ ଟାର୍ଗେଟ୍ କରି ଶ୍ରୀ ପାତ୍ର କହିଛନ୍ତି, ଗୋଟିଏ ମିଛ ଲୁଚାଇବାକୁ ୧୦୦୦ଟି ମିଛ କହିବାକୁ ପଡ଼େ। ଆଜି ପୁଣି ଥରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି। ସେ କେଉଁ ଭଳି ଭାବେ ଘଣ୍ଟଘୋଡ଼ାଇ ସତ୍ୟକୁ ଲୁଚାଇ ରଖିଥିଲେ ଓ ମିଛକୁ ଉପସ୍ଥାପିତ କରୁଥିଲେ, ତାହା ପୁଣି ଧରାପଡ଼ିଛି। ରାତି ଅଧରେ ଲୁଚେଇ ଲୁଚେଇ ତରବରିଆ ଭାବେ ଜିପିଆର ସର୍ଭେ କରାଯାଉଛି।

ସେ କହିଛନ୍ତି, କିଛି ଦିନ ତଳେ ଏମାର ମଠ ପରିସରରେ ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ବାହାରିଥିଲା। ସେତେବେଳେ ଆମେ ଅଭିଯୋଗ କରିଥିଲୁ ଯେ ସରକାର ଓ ଓବିସିସି ଯାହା କରୁଛନ୍ତି, ତାହା ଠିକ୍ ନୁହେଁ। ଖନନ କାର୍ଯ୍ୟ କରିବା ପୂର୍ବରୁ ଜିପିଆର୍‌ ସର୍ଭେ କରିବାର ଥିଲା। ସେତେବେଳେ ପିନାକୀ ମିଶ୍ର ଏକ ଲମ୍ବାଚଉଡ଼ା ଟ୍ୱିଟ୍ କରିଥିଲେ। ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜିପିଆର୍ ସର୍ଭେ ହୋଇସାରିଛି। ଜିପିଆର୍ ସର୍ଭେ ହୋଇନି ବୋଲି ଯାହା କୁହାଯାଉଛି, ତାହା ଭିତ୍ତିହୀନ। ଜିପିଆର୍‌ ସର୍ଭେ ହୋଇଯାଇଛି ଓ ହାଇକୋର୍ଟରେ ତାକୁ ଦାଖଲ କରାଯିବ। ପିନାକୀ ବାବୁ, ଯଦି ଜିପିଆର୍‌ ସର୍ଭେ ହୋଇଥିଲା, ତା’ହେଲେ ଗତକାଲି ରାତି ଅଧରେ ଯାହା ଚାଲିଥିଲା, ତାହା କ’ଣ? ଏମାର ମଠ ସ୍ଥାନରେ ଖନନ କାର୍ଯ୍ୟ ହୋଇସାରିଥିବା ବେଳେ ଆଇଆଇଟି ଗାନ୍ଧୀନଗରରୁ ଆସି କର୍ମଚାରୀମାନେ ଜିପିଆର୍ ସର୍ଭେ କରୁଛନ୍ତି କାହିଁକି?

ସମ୍ବିତ ପାତ୍ର କହିଛନ୍ତି, ଦୁଇ ଦିନ ହେଲାଣି ରାତି ଅଧରେ ସେଠାରେ ଜିପିଆର୍ ସର୍ଭେ ହେଉଛି। ଆହୁରି ଦୁଇ ଦିନ ଚାଲିବ। ଏହା ଆପଣଙ୍କ ମିଥ୍ୟା ବଚନକୁ ପଦାରେ ପକାଇ ଦେଇଛି। ଆପଣଙ୍କ ମୁଖା ଖୋଲି ଯାଇଛି। ଜିପିଆର୍‌ ସର୍ଭେ ଖନନ ପୂର୍ବରୁ ହେବା କଥା ନା ଭଗ୍ନସିଂହ ବାହାରିବା ପରେ ଆମେ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇବା ପରେ ହେବା କଥା, ଆପଣ ପିନାକୀ ବାବୁ କୁହନ୍ତୁ। ପିନାକୀ ବାବୁ, ଆପଣ ପ୍ରଥମେ ସଂସଦରେ ମିଛ କହିଥିଲେ। କେବଳ ୪ଟି ଟଏଲେଟ୍‌ କରାଯାଉଛି ବୋଲି କହିଥିଲେ। ତା’ପରେ ଜିଆର୍‌ପି ସର୍ଭେ ହୋଇଛି ବୋଲି ମିଛ କହିଥିଲେ। ଯଦି ଜିଆର୍‌ପି ସର୍ଭେ ହୋଇଥିଲା, ତା’ହେଲେ ସେତେବେଳେ ତା’ର ଡକ୍ୟୁମେଣ୍ଟ ଦେଖାଇଥା’ନ୍ତେ।

ସେ ଆହୁରି କହିଛନ୍ତି, କୋର୍ଟରେ ରାଜ୍ୟ ସରକାରଙ୍କ ଆଡ୍‌ଭୋକେଟ୍ କହିଥିଲେ ଯେ ୟା ପରଠୁ ଆମେ ଏଏସ୍‌ଆଇ ସହିତ ମିଶିକି କାମ କରିବୁ। ତା’ହେଲେ ଏ ଯେଉଁ ଜିପିଆର୍ ସର୍ଭେ କରାଯାଉଛି, ସେ ବିଷୟରେ ଏଏସ୍‌ଆଇକୁ ଅବଗତ କରାଯାଇଛି କି? ଜିପିଆର୍ ସର୍ଭେ ରାତି ଅଧରେ ହେଉଛି ବୋଲି ଏଏସ୍‌ଆଇ ଜାଣିଛି କି? ପିନାକୀ ବାବୁ ଆପଣ ତୁରନ୍ତ ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାନ୍ତୁ ଯେ ସରକାର ଜିପିଆର୍ ସର୍ଭେ ବିଷୟରେ ଏଏସ୍‌ଆଇକୁ ଜଣାଇଛନ୍ତି ନା ଜଣାଇନାହାନ୍ତି। ସେହିଭଳି ଜିପିଆର ସର୍ଭେ କରାଯାଉଥିବା ବେଳେ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି କି? ଯଦି ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି, ତା’ହେଲେ ତାଙ୍କ ଫଟୋ ଓ ନାଁ ଆପଣ ( ସାଂସଦ ପିନାକୀ ମିଶ୍ର) ଜାରି କରନ୍ତୁ।

ଯଦି ଏଏସ୍‌ଆଇ ଏ ସଂପର୍କରେ ଜାଣି ନାହିଁ କି ତା’ର କୌଣସି ଅଧିକାରୀ ସେଠାରେ ଉପସ୍ଥିତ ରହୁ ନାହାନ୍ତି, ତା’ହେଲେ ଯେଉଁ ଜିପିଆର୍‌ ସର୍ଭେ କରାଯାଉଛି, ତାହା ମଧ୍ୟ ବେଆଇନ। କାରଣ ଏହା ଏକ ମିଳିତ କାମ। ଓବିସିସି ଓ ଏଏସ୍‌ଆଇ ମିଶିକି ଏ କାମ କରିବେ। ପୁଣି ଏ ଯେଉଁ ଜିଆର୍‌ପି ସର୍ଭେ ଚାଲିଛି, ତାହା ରାତି ଅଧରେ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।

ସେ କହିଛନ୍ତି ଯେ ଏ ପ୍ରସଙ୍ଗରେ ସରକାର ଏବେ ଚାରି ଆଡୁ ଘେରି ହୋଇଯାଇଛନ୍ତି। ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ। ତେଣୁ ରାତି ଅଧରେ ଲୁଚେଇ ଲୁଚେଇ ଜିଆର୍‌ପି ସର୍ଭେ କରାଯାଉଛି। ହାଇକୋର୍ଟଙ୍କୁ ବାଟବଣା କରିବା ପାଇଁ ଏଭଳି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos