ସ୍ମିତାରାଣୀଙ୍କ ପାଇଁ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ, ଡିଜିପିଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଜେପି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ କଂଗ୍ରେସ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ସ୍ମାରକପତ୍ର ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛି। ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, ସ୍ମିତାରାଣୀଙ୍କ ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କ ବରଖାସ୍ତ ଓ କ୍ଷମତାର ଅପବ୍ୟବହାର କରିଥିବା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର ଦାବିରେ ବିଜେପି ମହିଳା […]

8765

Tapas Behera
  • Published: Tuesday, 05 November 2019
  • , Updated: 05 November 2019, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଜେପି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ କଂଗ୍ରେସ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ସ୍ମାରକପତ୍ର ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛି।
ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, ସ୍ମିତାରାଣୀଙ୍କ ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କ ବରଖାସ୍ତ ଓ କ୍ଷମତାର ଅପବ୍ୟବହାର କରିଥିବା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହାସହିତ ବିଜେଡି ନେତା ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଜେପି ଦାବି କରିଛି। ସ୍ମିତାରାଣୀ ହତ୍ୟା ମାମଲାରେ ପୁଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରିଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି। କେନ୍ଦ୍ରାପଡ଼ାଠାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ବିଜେଡି ନେତା ପ୍ରମୋଦ ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନା ଶିକାର ହୋଇଥିବା ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀମତୀ ପରିଡ଼ା ଭେଟିଥିଲେ।

ସେହିପରି ପ୍ରଦେଶ କଂଗ୍ରେସ ମଧ୍ୟ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ମାମଲାର ତଦନ୍ତରେ ଜିଲ୍ଲା ପ୍ରଶାସନର ବିଫଳତା, ଜିଲ୍ଲା ଏସପିଙ୍କ ଅବହେଳା ଓ ଅନାବଶ୍ୟକ ଭାବେ ଚରିତ୍ର ସଂହାର କରାଯାଉଥିବାକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ସ୍ମିତାରାଣୀଙ୍କ ମୃତ୍ୟୁ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆଜି ଦଳର ୧୨ଜଣିଆ ପ୍ରତିନିଧି ମଣ୍ଡଳ କଟକସ୍ଥିତ ପୁଲିସ ଡିଜିଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଡିଜିଙ୍କୁ ସ୍ମିତାରାଣୀଙ୍କ ମୃତ୍ୟୁର ସଠିକ ତଦନ୍ତ, ଜିଲ୍ଲା ଏସପି ଓ ତଦନ୍ତକାରୀ ଅଫିସରଙ୍କୁ ତୁରନ୍ତ ବଦଳି, ଘର ଛାଡ଼ିଥିବା ମୃତା ସ୍ମିତାରାଣୀଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଖୋଜି ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ କଂଗ୍ରେସ ଦାବି କରିଛି। ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ତୁରନ୍ତ ନମିଳିଲେ ଦଳ ପକ୍ଷରୁ ବିଧାନସଭା ଭିତରେ ଓ ବାହାରେ ମହିଳାଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

Related story