ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଦାମ୍ ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ବିଶାଳ ରୋଡ୍ ଶୋ କରି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମରିଚିକୋଟ୍ ଛକରୁ ବାହାରିଥିବା ରୋଡ୍ ଶୋ ମାର୍କେଟ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ।
ରୋଡ୍ ଶୋ’ରେ ବାହାରିବା ପୂର୍ବରୁ ଅମିତ ଶାହ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ଶ୍ରୀ ଶାହ ଆଳତୀ ମଧ୍ୟ କରିଥିଲେ।
ଶ୍ରୀ ଶାହ କହିଛନ୍ତି-“ଓଡ଼ିଶାରେ ବିଜେପି ସରକାର ଆସିଲେ, ପୁରୀକୁ ଦେଶର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଗଢି ତୋଳାଯିବ। ‘ପୂଜାରୀ ବନ୍ଧୁ ଯୋଜନା’ରେ ପୂଜାରୀଙ୍କୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ପୁରୀ ସହରକୁ ସ୍ମାର୍ଟ ସିଟିର ମାନ୍ୟତା ଦିଆଯିବ। ସେହିପରି ଚୈତନ୍ୟ ମହାପ୍ରଭୃଙ୍କ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ଭାରତର ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ ସୁବିଧା କରାଯିବ। ଏଥିସହ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ଓ ନବକଳେବର ବିଭ୍ରାଟର ତଦନ୍ତ କରି ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯିବ।”