ନିଜକୁ ନିଜେ ଶାନ୍ତ୍ୱନା ଦେଉଛି ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଉପନିର୍ବାଚନରେ ବାଲେଶ୍ୱର ସଦର ଆସନକୁ ବିଜେଡି ଛଡ଼ାଇ ନେବାପରେ ରାଜ୍ୟ ବିଜେପି ନିଜକୁ ନିଜେ ଶାନ୍ତ୍ୱନା ଦେଉଛି। ୨୦୧୭ ପଂଚାୟତ ନିର୍ବାଚନ ପରଠୁ କଂଗ୍ରେସ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଥିବା ଓ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଗକୁ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିପାକ୍ଷିକ ଲଢ଼େଇ କଥା କହି ଶାନ୍ତ୍ୱନା ଦେବାକୁ ପ୍ରୟାସ କରିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ […]

bjp

bjp

Tapas Behera
  • Published: Wednesday, 11 November 2020
  • Updated: 11 November 2020, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଉପନିର୍ବାଚନରେ ବାଲେଶ୍ୱର ସଦର ଆସନକୁ ବିଜେଡି ଛଡ଼ାଇ ନେବାପରେ ରାଜ୍ୟ ବିଜେପି ନିଜକୁ ନିଜେ ଶାନ୍ତ୍ୱନା ଦେଉଛି। ୨୦୧୭ ପଂଚାୟତ ନିର୍ବାଚନ ପରଠୁ କଂଗ୍ରେସ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଥିବା ଓ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଗକୁ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିପାକ୍ଷିକ ଲଢ଼େଇ କଥା କହି ଶାନ୍ତ୍ୱନା ଦେବାକୁ ପ୍ରୟାସ କରିଛନ୍ତି।
ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ,  ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗଭିତ୍ତିକ ଭାବେ ଲଢ଼େଇ କରିଥିଲା। ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ୱେ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ବାଟମାରଣା ଓ ବ୍ୟାପକ ଭ୍ରଷ୍ଟାଚାର ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢୁଥିଲା। କରୋନା ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ଭାଇ ଭଉଣୀମାନଙ୍କୁ ରୋଜଗାରକ୍ଷମ ନକରାଇ ପ୍ରତାରଣା କରିବା ପ୍ରସଙ୍ଗ ଆମେ ଉଠାଇଥିଲୁ। ଅନ୍ୟପଟେ କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡ଼ା ଆଉ କୌଣସି ପ୍ରସଙ୍ଗ ନଥିଲା। ରାଜ୍ୟରେ ଏବେ କଂଗ୍ରେସ ଶକ୍ତିହୀନ ହୋଇପଡିଛି । ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତ୍ତୋଲବାସୀ ଏହାର ସଙ୍କେତ ଦେଇଛନ୍ତି। ଆଗାମୀ ନିର୍ବାଚନରେ ଓଡ଼ିଶା କଂଗ୍ରେସ ମୁକ୍ତ ହେବାକୁ ଥିବାବେଳେ ରାଜ୍ୟରେ କେବଳ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିପାକ୍ଷିକ ନିର୍ବାଚନ ହେବ ବୋଲି ଏହି ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

୨୦୧୯ ନିର୍ବାଚନରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇ ଓଡ଼ିଶାବାସୀ କଂଗ୍ରେସକୁ ବ୍ୟାକଫୁଟକୁ ଠେଲିଥିଲେ। ଦୁଇ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିବା ପରେ ବି କଂଗ୍ରେସ ଦେଢ଼ ବର୍ଷ ମଧ୍ୟରେ କେବଳ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତି କରି ଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କରୋନା ସଙ୍କଟ ମଧ୍ୟରେ ଘରୁ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଥିବାରୁ ଶ୍ରୀ ମହାନ୍ତି ଦଳ ପକ୍ଷରୁ ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନରେ ନିୟୋଜିତ ଥିବା ଦଳୀୟ ନେତା ଏବଂ କର୍ମକର୍ତ୍ତାଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ସୁଦୃଢ଼ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର ଏବଂ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଉପନିର୍ବାଚନରେ ଆରମ୍ଭରୁ ସୁବିଧାଜନକ ସ୍ଥିତିରେ ଥିବା ବିଜେପି ନିଜର ଆସନକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛି। ସେଠାରେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଆରମ୍ଭରୁ ରହିଥିବା ଅସନ୍ତୋଷ ଓ ଶାସକ ଦଳ ବିରୁଦ୍ଧରେ ଥିବା ଅନ୍ୟାନ୍ୟ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଂଚାଇବାରେ ବିଜେପି ସକ୍ଷମ ହୋଇପାରିନଥିବା ଓ ନିର୍ବାଚନୀ ପରିଚାଳନାରେ ତ୍ରୁଟି ଯୋଗୁ ଦଳୀୟ ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos