ଆନ୍ଦୋଳନ ଯୋଗୁ ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ବନ୍ଦ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ  ଗତ ୨୩ ତାରିଖରେ  ବ୍ଲାଷ୍ଟିଂ ଯୋଗୁ ମାଟି  ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି  ବିଜେପି ଆନ୍ଦୋଳନ ଚଳାଇ ଆସିଛି। ଏଥିଯୋଗୁ ଖଣିରୁ ଉତ୍ତୋଳନ କାର୍ଯ୍ୟ ଠପ୍ ହୋଇପଡ଼ିଛି। ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ସହ […]

angul

Jyoshna Pradhan
  • Published: Tuesday, 30 July 2019
  • , Updated: 30 July 2019, 09:53 AM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ  ଗତ ୨୩ ତାରିଖରେ  ବ୍ଲାଷ୍ଟିଂ ଯୋଗୁ ମାଟି  ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି  ବିଜେପି ଆନ୍ଦୋଳନ ଚଳାଇ ଆସିଛି। ଏଥିଯୋଗୁ ଖଣିରୁ ଉତ୍ତୋଳନ କାର୍ଯ୍ୟ ଠପ୍ ହୋଇପଡ଼ିଛି।

ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ସହ ସଡ଼କ ଓ ରେଳପଥରେ କୋଇଲା ପରିବହନ ବନ୍ଦ ରହିଛି। ପ୍ରତ୍ୟେକ ଦିନ ପ୍ରାୟ ୩ ଲକ୍ଷ ଟନ୍‌ରୁ ଅଧିକ କୋଇଲା ଉତ୍ପାଦନ ହେଉଥିବା ବେଳେ ଏବେ ତାହା  ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଛି।

ରାଷ୍ଟ୍ରାୟତ ଉଦ୍ୟୋଗ କଣିହାଁସ୍ଥିତ ଏନଟିପିସି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ୩ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି କଣିହାଁରେ ପାୱାର ପ୍ଲାଣ୍ଟ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍ କୋଇଲାର ଆବଶ୍ୟକତା ହୋଇଥାଏ।  ହେଲେ ଆନ୍ଦୋଳନ ଯୋଗୁ କୋଇଲା ସେଠାରେ ପହଞ୍ଚି ପାରୁନି। ପ୍ରତ୍ୟହ କୋଇଲା ପହଞ୍ଚି ପାରୁ ନ ଥିବାରୁ ସେଠାରେ ଗଚ୍ଛିତ ହୋଇ ରହିଥିବା  ୯୦ ହଜାର ଟନ୍ କୋଇଲା ଶେଷ ହେବାକୁ ବସିଛି ।  ଏଥିପାଇଁ ଅନ୍ୟ ଖଣିରୁ ଏନଟିପିସି କୋଇଲା ଆଣୁଥିବା ବେଳେ ତାହା ପର୍ଯ୍ୟାପ୍ତ ହୋଇ ପାରୁନି। ଫଳରେ ଏନଟିପିସିର ବର୍ତ୍ତମାନ ୩ଟି ୟୁନିଟ୍ ବନ୍ଦ ଥିବା ବେଳେ ମାତ୍ର ୧ ହଜାର ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଛି। ତେଣୁ ଆଗକୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ଖଣିରେ ଦୁର୍ଘଟଣା ପରେ ଶ୍ରମିକଙ୍କ ସୁରକ୍ଷା ଦାବିରେ ଗତ ୨୫ତାରିଖରୁ ବିଜେପି ଖଣି ବନ୍ଦ ଆନ୍ଦୋଳନ ଚଳାଇ ଆସିଛି।

ସୂଚନାଯୋଗ୍ୟ, ଗତ ୨୩ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ କରାଯାଇଥିଲା। ଫଳରେ ୫୦୦ମିଟର ଯାଏ ମାଟି ଧସି ଯାଇଥିଲା। ଠିକ୍‌ ସେହି ସମୟରେ ୪୦ରୁ ୫୦ ଜଣ ଶ୍ରମିକ ଖଣି ଭିତରେ କାର୍ଯ୍ୟ କରୁଥିଲେ। ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଅବସ୍ଥାରେ ସେଠାରୁ ବାହାରି ଆସିଥିବା ବେଳେ ୧୩ ଜଣ ଶ୍ରମିକ ମାଟିତଳେ ଚାପି ହୋଇଯାଇଥିଲେ। ୯ ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରଯାଇଥିଲା। ନିଖୋଜ ଥିବା ୪ ଜଣ ଶ୍ରମିକଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଜଣେ ନିଖୋଜ ଅଛନ୍ତି। ତାଙ୍କ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।

Related story