ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୱାରେଣ୍ଟାଇନ୍ ସେଣ୍ଟର ପରିଚାଳନା ହିସାବ ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ସରକାର ଟିମଏସିର ହିସାବ ମାଗିଛନ୍ତି। କିନ୍ତୁ ସରକାର ପ୍ରଥମରୁ କହିଥିଲେ CFC/SFC/SDRFରୁ ଟଙ୍କା ଖର୍ଚ୍ଚ ହେବ, ପରେ SDRFରୁ ଟଙ୍କା ଦେଲେନି। ତେଣୁ ସରକାର କେଉଁ ଫଣ୍ଡରୁ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା ସ୍ପଷ୍ଟ କରୁନାହାନ୍ତି।
ବିନ୍ଦୁରେ ଠିଆ ହୋଇ ତା ଚାରିପଟେ ବୁଲିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଅନେକ ଜାଗାରେ ଭିତ୍ତିଭୂମିକୁ ନେଇ ବହୁ ଦୁର୍ନୀତି ହୋଇଛି। କାହା ଉପରେ ଦାୟିତ୍ୱ ନ୍ୟସ୍ତ କରି ନ ଥିଲେ। କେଉଁ ବଜେଟରୁ କେଉଁ ଜିଲ୍ଲାରେ କେତେ ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ସ୍ପଷ୍ଟ ଚିତ୍ର ଦେବା ଦରକାର ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ସେପଟେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପଞ୍ଚାୟତର ଥିବା ଫଣ୍ଡରୁ ଖର୍ଚ୍ଚ କରିବାକୁ କୁହାଯାଇଥିଲା। ଖର୍ଚ୍ଚ ପାଇଁ ବି ୪୮ କୋଟି ଦିଆ ଯାଇଥିଲା। ଟଙ୍କା ସବୁବେଳେ କ୍ୟାସରେ ଦିଆଯାଏନି। ଜରୁରୀ ସ୍ଥିତିରେ ଗଛିତ ଟଙ୍କାରୁ ଖର୍ଚ୍ଚ ହୁଏ, ଏଣୁ ଏଥିରେ କିଛି ଅସୁଦ୍ଧି ନାହିଁ।
ପଞ୍ଚାୟତରେ ଜନପ୍ରତିନିଧି ଅଛନ୍ତି, କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ ଆଣନ୍ତୁ ତାହାର ସମାଧାନ ହେବ। କ୍ୱାରେଣ୍ଟାଇନ୍ ସୁପରିଚାଳନା ହୋଇଛି, ଏଥିପାଇଁ ଗାଇଡ଼ ଲାଇନ ଦିଆଯାଇଛି। ଏଥରେ ଅସଙ୍ଗତି ନାହିଁ, ବରଂ ଏହା ସ୍ୱଚ୍ଛତାର ପ୍ରମାଣ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।