ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ଗୃହରେ ପ୍ରସ୍ତାବ ଆଣିବାକୁ ବିଜେପିର ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଷଷ୍ଠ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ପାଇଁ ବିଧାନସଭାରେ ବିଜେପି ଏକ ପ୍ରସ୍ତାବ ଆଣିବା ନିମନ୍ତେ ବାଚସ୍ପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। ଆଜି ଶୂନ୍ୟକାଳରେ ବିଜେପି ଏହି ପ୍ରସ୍ତାବ ଉତଥାପନ କରିଥିବାବେଳେ ବାଚସ୍ପତି ଏହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। କିନ୍ତୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିବାରୁ ବିଜେପିର ପ୍ରତିନିଧି ଦଳ ଆଜି ଏହି […]

Modi

Ordigital Desk
  • Published: Monday, 28 March 2022
  • , Updated: 28 March 2022, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଷଷ୍ଠ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ପାଇଁ ବିଧାନସଭାରେ ବିଜେପି ଏକ ପ୍ରସ୍ତାବ ଆଣିବା ନିମନ୍ତେ ବାଚସ୍ପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। ଆଜି ଶୂନ୍ୟକାଳରେ ବିଜେପି ଏହି ପ୍ରସ୍ତାବ ଉତଥାପନ କରିଥିବାବେଳେ ବାଚସ୍ପତି ଏହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। କିନ୍ତୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିବାରୁ ବିଜେପିର ପ୍ରତିନିଧି ଦଳ ଆଜି ଏହି ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି।

ବିଜେପି ବିଧାୟକ ଦଳର ଉପନେତା ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୬ ମାସ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ବିଜେପି ବିଧାୟକ ଦଳକୁ ଅନୁମତି ଦେବା ନିମନ୍ତେ ବାଚସ୍ପତିଙ୍କୁ ସାକ୍ଷାତ କରିଥିଲୁ । ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ମଧ୍ୟ ଉପସ୍ଥାପନ କରାଯାଇଥିଲା । ବାଚସ୍ପତି ଏହାକୁ ଅନୁଧ୍ୟାନ କରିବେ ବୋଲି କହିଥିଲେ, କିନ୍ତୁ ବିଜେପି ବିଧାୟକ ଦଳ ସହ ଯୋଗାଯୋଗ ନକରି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦କୋଟି ଓ ଓଡ଼ିଶାର ପ୍ରାୟ ୩.୨୫କୋଟି ଲୋକ ଉପକୃତ ହୋଇଛନ୍ତି । କେବଳ ଓଡ଼ିଶା ପାଇଁ ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଖାଦ୍ୟଶସ୍ୟ ବଂଟନ କରାଯାଇଛି । ତେଣୁ ଆମ ରାଜ୍ୟର ସମସ୍ତ ବିଧାୟକଗଣ ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଭୁଲ କି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ଏଥିପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବା ସହ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ପାଇଁ ତାଙ୍କର ହସ୍ତକ୍ଷେପ ଲୋଡାଯାଇଛି ।

ଦେଶରେ ଜଣେ ବି ଗରିବ ଲୋକ ଭୋକିଲା ରହିବେ ନାହିଁ, ଏକଥାକୁ ସୁନିଶ୍ଚିତ କରିବା ଦିଗରେ ମୋଦିଙ୍କ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ୬ମାସ ପାଇଁ ବୃଦ୍ଧି କରିଛନ୍ତିି, ଯାହା ଯୁଗାନ୍ତକାରୀ ପଦକ୍ଷେପ । ବର୍ଦ୍ଧିତ ୬ମାସର ଅବଧି ପାଇଁ ଦେଶରେ ୮୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଉପରୋକ୍ତ ଆବଂଟିତ ହୋଇଥିବା ୮୦,୦୦୦କୋଟି ଟଙ୍କା ମଧ୍ୟରୁ ଓଡ଼ିଶା ପାଇଁ ୩,୫୫୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନିଷ୍ପତି ପାଇଁ ରାଜ୍ୟର ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛୁ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଜନକଲ୍ୟାଣକାରୀ ପଦକ୍ଷେପ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ଧନ୍ୟବାଦ ପ୍ରସ୍ତାବ ଗୃହରେ ଉପସ୍ଥାପନ ନିମନ୍ତେ ବାଚସ୍ପତିଙ୍କୁ ଅବଗତ କରାଯିବା ପରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଆଜି ବିଜେପିର ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଏସବୁ ପ୍ରସଙ୍ଗରେ ଅବଗତ କରିବା ସହ ଏକ ଲିଖିତ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

Related story