ଆସିକା (ମନୋଜ ମୁନୀ): ଶ୍ରେଣୀ ଗୃହରେ ଲାଗିଛି ଧୂପ, ଚାଲିଛି ଝଡ଼ାଫୁଙ୍କା! ଆଉ ଛାତ୍ରୀଙ୍କ ଦେହରୁ ଭୂତ ଛଡ଼ାଉଛନ୍ତି ଗୁଣିଆ। ଗୁଣିଆଙ୍କ ମନ୍ତ୍ର ଉଚ୍ଚାଚରଣରେ ତାଳ ଦେଇ ଛାତ୍ରୀମାନେ ଝୁଲୁଛନ୍ତି। ମଝିରେ ମଝିରେ କର୍କଷ ଚିତ୍କାର କରୁଛନ୍ତି। ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ୍ ବ୍ଲକ ଅଞ୍ଚଳରୁ, ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଧରାକୋଟ ବ୍ଳକ୍ ଅନ୍ତର୍ଗତ ଝାଡ଼ବନ୍ଧ ଗାଁରେ ଥିବା ଶ୍ରୀଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ଗତ ଜୁଲାଇ ୧୯ ତାରିଖରେ ପ୍ରାର୍ଥନା ଚାଲିଥିବା ବେଳେ ନବମ ଶ୍ରେଣୀର ୫ ଓ ଦଶମ ଶ୍ରେଣୀର ୪ ଜଣ ଛାତ୍ରୀ ତଳେ ପଡ଼ି ଯାଇଥିଲେ। ଏହା ପରେ କିଏ ଚିତ୍କାର କରିଥିଲା ତ ଆଉ କିଏ ରାହା ଧରି କାନ୍ଦିଥିଲେ। ଆଉ କିଏ ଜୋରରେ ହସୁଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ଏପରି ରୂପ ଦେଖି ସ୍କୁଲ ଶିକ୍ଷକଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ପରେ ଶିକ୍ଷକମାନେ ସମ୍ପୃକ୍ତ ଅଭିଭାବକ ମାନଙ୍କୁ ଖବର ଦେଇଥିଲେ। ଅଭିଭାବକମାନେ ସ୍କୁଲ ଆସି ନିଜ ନିଜ ଝିଅଙ୍କୁ ଘରକୁ ନେଇ ଯାଇଥିଲେ।
ସ୍କୁଲର ପ୍ରଧାନଶିକ୍ଷକ ଘଟଣା ସଂପର୍କରେ ପ୍ରଶାସନକୁ ଜଣାଇଥିଲେ। ଏହା ପରେ ଏକ ମେଡ଼ିକାଲ୍ ଟିମ୍ ସ୍କୁଲ୍କୁ ଆସିଥିଲା। ସ୍କୁଲରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର ଟିବି, ମ୍ୟାଲେରିଆ, ବିପି ଓ ହିମୋଗ୍ଲୋବିନ୍ ଆଦି ଟେଷ୍ଟ କରାଯାଇଥିଲା। ଏପରିକି ଯେଉଁ ଝିଅମାନଙ୍କ ଠାରେ ଅସ୍ୱାଭାବିକ ଆଚରଣ ଦେଖିବାକୁ ମିଳିଥିଲା, ସେମାନଙ୍କୁ ଘରୁ ଡାକି ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ଠିକ୍ ଥିବା ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁକାନ୍ତ କୁମାର ପାତ୍ର କହିଥିଲେ।
ମେଡିକାଲ୍ ଟିମ୍ର ଯାଞ୍ଚ ସତ୍ତ୍ୱେ ଗୁଣି ହୋଇଥିବା ସନ୍ଦେହରେ ଅସ୍ୱାଭାବିକ ଆଚରଣ ଦେଖାଉଥିବା ଝିଅଙ୍କୁ ଝଡ଼ାଫୁଙ୍କା କରାଯାଇଥିଲା। ସ୍କୁଲରେ ଭୂତ ଥିବା ସନ୍ଦେହ କରି ଅଭିଭାବକମାନେ ଜବରଦସ୍ତି ଗୁଣିଆ ଡାକି ଶ୍ରେଣୀ ଗୃହରେ ଝଡ଼ାଫୁଙ୍କା କରିଥିଲେ। ଶ୍ରେଣୀ ଗୃହରେ ଝାଡ଼ାଫୁଙ୍କା କରାଯାଉଥିବା ନେଇ ପୁଲିସ୍ ଜାଣିବାକୁ ପାଇଥିଲା। ପୁଲିସ୍ ସ୍କୁଲରେ ପହଞ୍ଚିଲା ବେଳେ ଗୁଣିଆ ଚମ୍ପଟ ମାରିଥିଲା।
ଅନ୍ୟପକ୍ଷରେ ଝିଅମାନେ ସ୍ୱାଭାବିକ ସ୍ଥିତିକୁ ଫେରିପାରି ନାହାନ୍ତି। ଶ୍ରେଣୀ ଗୃହରେ ବସିଥିବା ବେଳେ ସମ୍ପୃକ୍ତ ୯ ଛାତ୍ରୀ ଦାନ୍ତ କଡ଼ମଡ଼ କରି ଆଖି କାଢ଼ି ଚିତ୍କାର କରୁଛନ୍ତି। ଆଜି ମଧ୍ୟ ମେଡିକାଲ୍ ଟିମ୍ ସ୍କୁଲ ଆସି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଫେରିଛି। ସେମାନଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଠିକ୍ ଥିବା ମେଡ଼ିକାଲ୍ ଟିମ୍ କହିଛି। ଏଥିସହ ଅଭିଭାବକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନ କରାଯାଉଛି। ଲୋକଙ୍କ ମନରୁ ଅନ୍ଧବିଶ୍ୱସ ଦୂର କରିବା ପାଇଁ ସଚେତନତା କରାଉଛି ବୋଲି ପୁଲିସ୍ କହିଛି।
୯ ଛାତ୍ରୀଙ୍କ ଅସ୍ୱାଭାବିକ ଆଚଣ ଯୋଗୁ ସ୍କୁଲରେ ଭୟର ବାତାବରଣ ଖେଳି ଯାଇଛି। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ପଠାଉ ନାହାନ୍ତି। ସ୍କୁଲରେ ଉପସ୍ଥାନ କମିବାରେ ଲାଗିଛି। ଶିକ୍ଷକମାନେ ପାଳି କରି ଘରକୁ ଘର ବୁଲି ଡାକିଲେ ମଧ୍ୟ ପିଲାମାନେ ଆସୁନାହାନ୍ତି। ଏଥିପାଇଁ ଲୋକଙ୍କୁ ସଚେତନା କରାଯାଉଛି। ହେଲେ ଗାଁ ଲୋକ ବୁଝୁନାହାନ୍ତି। ଗୁଣି ଗାରେଡ଼ି ହୋଇଥିବ କହି ପିଲାଙ୍କୁ ଛାଡ଼ୁନଥିବା ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।