ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଏଥିସହ ଦୋକାନ ମାଲିକଙ୍କଠାରୁ ୭୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛନ୍ତି। ସେହିପରି ଦୋକାନ ଭିତରେ ଥିବା ପ୍ରତି ଗ୍ରାହକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରାଯାଇଛି। ଉକ୍ତ ଦୋକାନରେ ଥିବା ଗ୍ରାହକଙ୍କଠାରୁ ମୋଟ୍ ୨୫ ହଜାର ଫାଇନ ଆଦାୟ ହୋଇଥିବା ବିଏମ୍ସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି।
ଫାଇନ୍ ଦେଇଥିବା ଜଣେ ଗ୍ରାହକ କହିଛନ୍ତି-“ରାଜ୍ୟ ସରକାର ବାହାଘର ପାଇଁ ଅନୁମତି ଦେଇଛନ୍ତି। ବାହାଘର ହେଲେ କଣ ପୁରୁଣା ଲୁଗା ପିନ୍ଧି ବସିବୁ? ଏଥିପାଇଁ ନୂଆ ଲୁଗା ଦରକାର। ନୂଆ ଲୁଗା କିଣିବା ପାଇଁ ଲୋକାଲ୍ ମାର୍କେଟକୁ ଗଲେ କଳା ବଜାରରୀରେ ଶିକାର ହେଉଛୁ। ଦୋକାନୀମାନେ ଚଢ଼ା ଦରରେ ଲୁଗା ବିକୁଛନ୍ତି। ଚିହ୍ନା ପରିଚୟ ଥିବାରୁ ଆମେ ଏଠାକୁ ଆସିଥିଲୁ। ହେଲେ ଏଠି ଫାଇନ୍ ଦେବାକୁ ପଡ଼ିଲା। ଲୁଗା କିଣି ଟଙ୍କା ପେମେଣ୍ଟ କରୁଛୁ। ମାତ୍ର ଲୁଗା ପାଇଲୁ ନାହିଁ।”
ଓଡ଼ିଶାରେ କରୋନା ମହାମାରୀ ସାମାନ୍ୟ ତଳ ମୁହାଁ ହୋଇଛି। ଯାହାକୁ ଦେଖି ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି। ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରି ଲୋକମାନେ କହଳି କରିବା ଆରମ୍ଭ କରିଦେଉଛନ୍ତି। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍କୁ ଖୋଲମ୍ଖୋଲା ଉଲ୍ଲଙ୍ଘନ କରୁଛନ୍ତି। ଯେଉଁଥିପାଇଁ ବିଏମ୍ସି ପୂର୍ବରୁ ୟୁନିଟ୍-୧, ୟୁନିଟ-୨ ଓ ବାପୁଜୀ ନଗରରେ କେତେକ ଦୋକାନକୁ ସିଲ୍ କରିଛି। ଏହାଛଡ଼ା ଫାଇନ୍ ମଧ୍ୟ ଆଦାୟ କରିଛନ୍ତି। ଏପରି ଚିତ୍ର କେବଳ ଭୁବନେଶ୍ୱରରେ ଦେଖିବାକୁ ମିଳି ନାହିଁ। କଟକରେ ମଧ୍ୟ ଦେଖିବାକୁ ମିଳିଛି। କଟକ ମହାନଗର ନିଗମ ବହୁ ମୋବାଇଲ୍ ଓ ଲୁଗା ଦୋକାନ ସିଲ୍ କରିଥିବା ଜଣାପଡ଼ିଛ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।