/odisha-reporter/media/post_attachments/uploads/2021/10/puja-2.jpg)
puja
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅକ୍ଟୋବର ଓ ନଭେମ୍ବର ମାସର ପୂଜା ପାର୍ବଣ ନେଇ ଗାଇଡଲାଇନ ଜାରି କଲା ବିଏମସି। ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ପୂଜା ହେବ।
ବିଏମସି ଗାଇଡଲାଇନରେ କୁହାଯାଇଛି, ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ। ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଉପସ୍ଥିତି ରହିବେ। ସେହିପରି ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବାକୁ ପଡିବ। ପୂଜା ସମୟରେ କୌଣସି ପ୍ରକାରର ଗହଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ମୂର୍ତ୍ତି ପୂର୍ବପରି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ। ପୂଜା ପେଣ୍ଡାଲର ତିନି ପଟ ଯାକ ଆବଦ୍ଧ ରହିବ। ପୂଜା ପରେ କୌଣସି ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। କୃତ୍ରିମ ପୋଖରୀରେ ହେବ ବିସର୍ଜନ।
ସେହିପରି ପୂଜା ବେଶୀ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ। ପୂଜା ମଣ୍ଡପରେ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ। ମୂର୍ତ୍ତି ବିସର୍ଜନ ପାଇଁ ଆୟୋଜକମାନେ ଭସାଣୀ କରିପାରିବେ ନାହିଁ। ବିସର୍ଜନ ପାଇଁ ବିଏମସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ। ବିସର୍ଜନ ବେଳେ ସର୍ବାଧିକ ୧୦ଜଣ ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯାଉଥିବାରୁ ମୂର୍ତ୍ତିର ଉଚ୍ଚତା ଓ ଓଜନକୁ ସୀମିତ ରଖିବାକୁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି। ଏହାସହିତ ଯେଉଁମାନେ ବିସର୍ଜନରେ ସାମିଲ ହେବେ, ସେମାନେ କୋଭିଡ୍ ଟିକା ଦୁଇ ଡୋଜ୍ ନେଇଥିବାକୁ ପୂଜା କମିଟି ସୁନିଶ୍ଚିତ କରାଇବେ।
ପୂଜା କମିଟି ଓ ଆୟୋଜକମାନେ ପୂଜା ମଣ୍ଡପ ବା ପେଣ୍ଡାଲରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ପାଳନ କରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୁଲିସ କମିଶନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ। ପୂଜା କମିଟି ନିଜର ସମସ୍ତ ସଦସ୍ୟଙ୍କୁ କୋଭିଡ୍ ଟିକାର ସାର୍ଟିଫିକେଟ ପାଖରେ ସବୁବେଳେ ରଖିବା ଓ ଯାଂଚବେଳେ ଦେଖାଇବା ନିମନ୍ତେ ଅବଗତ କରାଇବେ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
