ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୭.୨୫ଲକ୍ଷ ଭୋଟର, ୱାର୍ଡ-୮ରେ ସର୍ବାଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ କେବଳ ଭଦ୍ରକର ୪ ନମ୍ବର ୱାର୍ଡକୁ ଛାଡ଼ି ବାକି ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ କାଉନସିଲର/କର୍ପୋରେଟର, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ୱାର୍ଡ ପୁର୍ନଗଠନ ପ୍ରକ୍ରିୟା ଶେଷ ହୋଇଛି ବୋଲି ରାଜ୍ୟ ସରକାର ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୬୭ଟି […]

BMC

Ordigital Desk
  • Published: Thursday, 24 February 2022
  • , Updated: 24 February 2022, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ କେବଳ ଭଦ୍ରକର ୪ ନମ୍ବର ୱାର୍ଡକୁ ଛାଡ଼ି ବାକି ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ କାଉନସିଲର/କର୍ପୋରେଟର, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ୱାର୍ଡ ପୁର୍ନଗଠନ ପ୍ରକ୍ରିୟା ଶେଷ ହୋଇଛି ବୋଲି ରାଜ୍ୟ ସରକାର ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୬୭ଟି ୱାର୍ଡରେ ୭ଲକ୍ଷ ୨୫ହଜାର ୭୬୫ଜଣ ଭୋଟର ଅଛନ୍ତି । ୨୦୧୪ ଭୋଟର ତାଲିକା ତୁଳନାରେ ଚଳିତଥର ଚୂଡ଼ାନ୍ତ ତାଲିକାରେ ଅଧିକ ୧.୨୭ଲକ୍ଷ ଭୋଟର ସାମିଲ ହୋଇଥିବା ଜଣାପଡ଼ିଛି।

ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାନଗର ନିଗମର ୬୭ଟି ୱାର୍ଡରେ ମୋଟ ୭୦୫ଟି ବୁଥ ପ୍ରସ୍ତୁତ ହୋଇଛି । ଏଥିରେ ୭.୨୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ଚୂଡ଼ାନ୍ତ ଭୋଟର ତାଲିକା ବିଏମସି ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ଜୋନାଲ ଅଫିସରେ ଉପଲବ୍ଧ ହେବ । ବିଏମସିର ସମସ୍ତ ୱାର୍ଡ ଅଫିସକୁ ମଧ୍ୟ ଏହି ତାଲିକା ପଠାଇ ଦିଆଯିବ । ବିଏମସିର ଏହି ଚୂଡ଼ାନ୍ତ ଭୋଟର ତାଲିକାରେ ସର୍ବାଧିକ ଭୋଟର ୱାର୍ଡ ନମ୍ବର- ୮ରେ ରହିଛନ୍ତି । ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ଏହି ୱାର୍ଡରେ ଭୋଟର ସଂଖ୍ୟା ସର୍ବାଧିକ ୨୬୨୯୮ ବୋଲି ଜଣାପଡ଼ିଛି । ବିଏମସିର ମୋଟ ଭୋଟରଙ୍କ ମଧ୍ୟରେ ୩ଲକ୍ଷ ୯୪ହଜାର ୫୧୦ଜଣ ପୁରୁଷ ଓ ୩ଲକ୍ଷ ୩୦ହଜାର ୮୧୫ଜଣ ମହିଳା ଭୋଟର ଓ ୪୪୦ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

ସୂଚନାଯୋଗ୍ୟ, ବିଏମସି ପକ୍ଷରୁ ପୂର୍ବରୁ ଜାରି ଚିଠା ଭୋଟର ତାଲିକାରେ ମୋଟ ୭ଲକ୍ଷ ୨୭ହଜାର ୪୫୬ଜଣ ଭୋଟରଙ୍କୁ ଚିହ୍ନଟ କରାଯାଇଥିଲା । ଭୋଟରମାନଙ୍କୁ ଫେବୃୟାରୀ ୧୬ତାରିଖ ସୁଦ୍ଧା ଏହି ଚିଠା ତାଲିକାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ତାହା ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଫେବୃୟାରୀ ୨୪ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବାକୁ ସ୍ଥିର ହୋଇଥିଲା ।

ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ସମେତ ଅନ୍ୟ ସମସ୍ତ ପୌରାଂଚଳରେ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବକମ୍ ଦିନ ମଧ୍ୟରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି ।

Related story