କଟକ (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍ ପରୀକ୍ଷା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତା’ ପୂର୍ବରୁ ମାଧ୍ୟମିକ ଶିକ୍ଷକ ପରିଷଦ(ବୋର୍ଡ) ପରୀକ୍ଷା ନେଇ ବିସ୍ତୃତ ସୂଚନା ଦେଇଛି।
ସାମ୍ୱାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଓ ଉପସଭାପତି କହିଛନ୍ତି, ଦଶମ ଭୋକେସନାଲ୍ ଟ୍ରେଡ୍ ଓ ଟିଏଲ୍ଭି (ଥାର୍ଡ ଲାଗୁଏଜ୍ ଭିଜୁଆଲ୍) ଛଡ଼ା ଅନ୍ୟ ସବୁ ପରୀକ୍ଷା ୮୦ ମାର୍କରେ ହେବ। ପରୀକ୍ଷା ଦୁଇ ଘଣ୍ଟା ଧରି ଚାଲିବ। ସକାଳ ଆଠଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ଗଣିତ ପାଇଁ ଅଧିକ ୧୫ ମିନିଟି ଦିଆଯାଇଛି। ଅର୍ଥାତ ଅନ୍ୟ ପରୀକ୍ଷା ୨ ଘଣ୍ଟା ହେଲେ ଗଣିତ ପରୀକ୍ଷା ପାଇଁ ପିଲାଏ ୨ ଘଣ୍ଟା ୧୫ ମିନିଟ୍ ପାଇବେ।
ପରୀକ୍ଷା ପାଇଁ ୪ଟି ସେଟ୍ ପ୍ରଶ୍ନପତ୍ର କରାଯାଇଛି। ୮୦ ମାର୍କର ପରୀକ୍ଷାରୁ ୫୦ ମାର୍କ ଅବ୍ଜେକ୍ଟିଭ୍ ପ୍ରଶ୍ନ(ମଲ୍ଟିପୁଲ୍ ଚଏସ୍) ଓ ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ଅବ୍ଜେକ୍ଟିଭ୍ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ଓଏମ୍ଆର୍ ଆନ୍ସର୍ ସିଟ୍ରେ ଦେବେ। ୩୦ ନମ୍ୱରର ସବ୍ଜେକ୍ଟିଭ୍ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଲେଖିବେ। ଜେନେରାଲ୍ ସାଇନ୍ସ (ଜିଏସ୍ସି) ଓ ସାମାଜିକ ବିଜ୍ଞାନ(ଏସ୍ଏସ୍ସି)ର ୩୦ ମାର୍କର ସବ୍ଜେକ୍ଟିଭ୍ ପରୀକ୍ଷା ପାଇଁ ୪ଟି ପ୍ରଶ୍ନ ରହିବ। କିନ୍ତୁ ଅନ୍ୟ ବିଷୟ ଯେପରି କି, ଓଡ଼ିଆ, ଇଂଲିଶ, ଗଣିତ ଓ ତୃତୀୟ ଭାଷା(ସଂସ୍କୃତ ଏବଂ ହିନ୍ଦୀ)ର ୩୦ ମାର୍କର ସବ୍ଜେକ୍ଟିଭ୍ ପରୀକ୍ଷାରେ ୩ଟି ପ୍ରଶ୍ନ ରହିବ। ଦଶମ ଶ୍ରେଣୀ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ, ଜେନେରାଲ୍ ସାଇନ୍ସ ଓ ସୋସିଆଲ୍ ସାଇନ୍ସ ପାଇଁ ଅଲଗା ଅଲଗା ପ୍ରଶ୍ନ ହେବ ବୋଲି ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି, ଭୋକେସନାଲ୍ ଟ୍ରେଡ୍ର ଥିଓରୀରେ ଛାତ୍ରଛାତ୍ରୀମାନେ ୩୦ ମାର୍କର ପରୀକ୍ଷା ଦେବେ। ଏହି ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ପିଲାମାନେ ଉତ୍ତରଖାତାରେ ଲେଖିବେ। ଏଥିସହ ସେମାନେ ୫୦ ମାର୍କର ପ୍ରାକ୍ଟିକାଲ୍ ଦେବେ। ଏହି ପ୍ରାକ୍ଟିକାଲ୍ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ। ଓସେପା ପରୀକ୍ଷା ପରିଚାଳନା କରିବ। ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖ ସୁଦ୍ଧା ଓସେପା ପରୀକ୍ଷାଫଳ ବୋର୍ଡକୁ ପଠାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ମଧ୍ୟମା ପରୀକ୍ଷାରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ସଂସ୍କୃତ ସାହିତ୍ୟମ୍, ପ୍ରୟାଗାତ୍ମକ ସଂସ୍କୃତ ଏବଂ ଓଡ଼ିଆ ପାଇଁ ୮୦ ମାର୍କର ପ୍ରଶ୍ନ ଆସିବ। ଯେଉଁଥିରେ ୫୦ ମାର୍କ ମଲ୍ଟିପୁଲ୍ ଚଏସ୍ ଓ ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ପିଲାମାନେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ଓଏମ୍ଆର୍ ଆନ୍ସର ସିଟ୍ରେ ଦେବେ। ୩୦ ମାର୍କର ସବ୍ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଲେଖିବେ। ମଧ୍ୟମା ପିଲାଙ୍କ ପାଇଁ ସିଙ୍ଗଲ୍ ସେଟ୍ ପ୍ରଶ୍ନ ତିଆରି ହୋଇଛି। ଏଥିପାଇଁ ଦୁଇ ଘଣ୍ଟାର ସମୟ ରହିବ। ଏହା ବ୍ୟତୀତ ଗଣିତ, ବିଜ୍ଞାନ, ସୋସିଆଲ୍ ସାଇନ୍ସ ଓ ଇଂଲିଶରେ ପିଲାମାନେ ୬୦ ମାର୍କର ପରୀକ୍ଷା ଦେବେ। ୩୦ ମାର୍କ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ଥିବା ବେଳେ ବାକି ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ତେବେ ମଲ୍ଟିପୁର୍ ଚଏସ୍ ପ୍ରଶ୍ନର ଉତ୍ତର ଓଏମ୍ଆର୍ ସିଟ୍ରେ ପିଲାମାନେ ଦେବେ। ସବ୍ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଲେଖିବେ। ଏଥିପାଇଁ ସମୟ ଅବଧି ଦେଢ଼ ଘଣ୍ଟା ରହିବ। କିନ୍ତୁ ଗଣିତ ପାଇଁ ଘଣ୍ଟାଏ ୪୫ ମିନିଟ୍ ରହିବ ବୋଲି ବୋର୍ଡ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।