୩ ଦିନ ପରେ ପୋଖରୀ ହୁଡ଼ାରୁ ମିଳିଲା କୁନି ଝିଅର ମୃତଦେହ

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ନିଖୋଜ ହେବାର ୩ ଦିନ ପରେ ପୋଖରୀ ହୁଡାରୁ ମିଳିଲା କୁନିଝିଅର ମୃତଦେହ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କୁନି ଝିଅକୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ମାମୁ ଘରେ ରହି ପାଠ ପଢ଼ୁଥିଲା। ଗତ ଶୁକ୍ରବାର ସକାଳ ସେ ସାଙ୍ଗମାନଙ୍କ ସହ ଖେଳୁଥିଲେ। ତେବେ ହଠାତ୍‌ କୁଆଡେ ନିଖୋଜ ହୋଇଯାଇଥିଲା। ନେଉଳିଙ୍କୁ ତାଙ୍କ ମାମୁ ଓ ପରିବାର ଲୋକେ ଚାରି ଆଡେ ଖୋଜି ଥିଲେ। ମାତ୍ର ପାଇନଥିଲେ।

ସବୁଆଡ଼ୁ ନିରାଶ ହେବା ପରେ ପରିବାର ଲୋକେ ରବିବାର ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ନେଉଳି ଗାଁକୁ ଯାଇ ତଦନ୍ତ କରିଥିଲା। ସନ୍ଦେହରେ ଜଣେ ଯୁବକକୁ ଥାନାକୁ ଆଣି ପଚାରାଉଚାରା କରିଥିଲା।

ଆଜି ସକାଳେ କୁନି ଝିଅର ମୃତଦେହ ଗାଁ ପୋଖରୀ ହୁଡ଼ାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାକୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।