ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ମାଓ ବ୍ୟାନର୍ ଦେଖିବାକୁ ମିଳିଛି। ଆଜି ଖପ୍ରାଖୋଲ ବ୍ଲକ୍ ତେଲେନପାଲି ଗାଁରେ ଦୁଇଟି ଲାଲବାହୀନି ବ୍ୟାନର୍ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଲୋୟର୍ ସୁକତେଲ୍ ଓ ପୁଝାରୀପାଲି ଡ୍ୟାମ୍ ନିର୍ମାଣ ତଥା ଗନ୍ଧମାର୍ଦ୍ଦନ ପର୍ବତରୁ ଖନନକୁ ବିରୋଧ କରାଯାଇଛି। ଏଥିସହ ବିସ୍ଥାପନ ବିରୋଧରେ ଜନ ପ୍ରତିରୋଧ ତୀବ୍ର କରିବାକୁ ଆହ୍ୱାନ ଦିଆଯାଇଛି। ତା’ସହ ବ୍ୟାନର ତଳେ ବଲାଙ୍ଗିର, ବରଗଡ ଓ ମହାସମୁନ୍ଦ ଡିଭିଜନାଲ କମିଟି, (ମାଓବାଦୀ) ଲେଖାଯାଇଛି । ସେହିପରି କିଛି ଦିନ ତଳେ ଖପ୍ରାଖୋଲ ଅଞ୍ଚଳରେ ହୋଇଥିବା କେନ୍ଦୁପତ୍ର ପୋଡି ଘଟଣାରେ ମାଓବାଦୀ ପାର୍ଟିର ସମ୍ପୃକ୍ତି ନାହିଁ ବୋଲି ଏଥିରେ ଦର୍ଶାଯାଇଛି। ଗତ ଜୁନ ୧୨ ତାରିଖରେ ତେଲେନପାଲିରେ ଥିବା ଦେଶୀ ମଦ ଭାଟିକୁ ପୋଡି ଦେଇଥିବା ବେଳେ ଏବେ ବ୍ୟାନର ଲାଗିବାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।