କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର୍ ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି ।
ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଗତ ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ । ଏପରିକି ନାଇଟ ପାଟ୍ରୋଲିଂରେ ଥିବା ପୁଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁ ନ ଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଏନେଇ କାହ୍ନୁଚରଣ କହିଛନ୍ତି, ଗତକାଲି ରାତି ପ୍ରାୟ ଗୋଟାଏ ପରେ ପୁଲିସ୍ ଘର ସାମନାରେ ପହଞ୍ଚି ବାହାରକୁ ଆସିବାକୁ କହିଲା। ବାହାରକୁ ଯିବାରୁ କାର୍କୁ ୩ରୁ ୪ଟି ବୋମାମାଡ଼ ହୋଇଛି। ୨ଟି ଅଫୁଟା ବୋମା ପଡ଼ିଛି। ୨ ଜଣ ହେଲମେଟ ପିନ୍ଧି ନମ୍ବର ପ୍ଲେଟ ନ ଥିବା ବାଇକ୍ରେ ଆସିଥିଲେ। ସେମାନେ ଘର ଚାରିପଟେ ୩,୪ ଥର ବୁଲିବା ସହ ବୋମା ମାଡ଼ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।