ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମିଛୁଆ ପ୍ରେମିକ ସାଜି ପ୍ରେମ ଭିକ୍ଷା କରିଥିଲେ। ପ୍ରେମିକଙ୍କ ମିଠା ମିଠା କଥାକୁ ବିଶ୍ୱାସ କରିଥିଲେ ପ୍ରେମିକା। ଯେତେବେଳେ ଜାଣିଲେ, ତାଙ୍କ ପ୍ରେମିକ ମିଛ କହିଛନ୍ତି, ତା’ପରେ ଦୂରେଇ ଯିବାକୁ ଚାହିଁଥିଲେ ପ୍ରେମିକା। ଆଉ ଶୁଣାଇ ଦେଇଥିଲେ, ତୁମେ ପିଲାଙ୍କ ବାପା ହୋଇଛ, ମୁଁ ତୁମକୁ ବାହା ହେବିନି! ଏହା କଥା ଶୁଣିବା ପରେ ପ୍ରେମିକ ପ୍ରବର ଉଗ୍ର ରୂପ ଧାରଣ କରିଥିଲା। ଘରେ ପଶି ପ୍ରେମିକାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ବଲାଙ୍ଗିରି ଜିଲ୍ଲାରେ ଘଟିଛି।
ପୂରା ଘଟଣାଟି ଏମିତି। ୨ ବର୍ଷ ତଳେ ପାଟଣାଗଡ଼ ଥାନା ବରପିଟା ଗାଁର ପ୍ରକାଶ ବେହେରା ଫୋନ୍ ଡାଏଲ୍ କରୁଥିଲେ। ହେଲେ ଫୋନ୍ଟି ରଙ୍ଗ ନମ୍ୱରରେ ଲାଗି ଯାଇଥିଲା। ପ୍ରକାଶଙ୍କ ରଙ୍ଗ ନମ୍ୱର କଲ୍ ବେଲପଡା ଥାନା ଅଞ୍ଚଳରେ ଲାଗିଥିଲା। ଫୋନ୍ ଉଠାଇଥିଲେ ଜଣେ ଯୁବତୀ। ସେ ଫୋନ୍ ରିସିଭ୍ କରିବା ପରେ ପ୍ରକାଶ ନିଜକୁ ଉଚ୍ଚଜାତିର ଓ ଅବିବାହିତ ବୋଲି ପରିଚୟ ଦେଇଥିଲା। କଥାବାର୍ତ୍ତା ହେଉ ହେଉ ଉଭୟଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସଂପର୍କ। ନିରୋଳାରେ ଭେଟଘାଟ ମଧ୍ୟ ହୋଇଥିଲା। କିନ୍ତୁ ଗତ କିଛି ଦିନ ହେଲା ପ୍ରକାଶ ବେହେରାଙ୍କ ମିଛ ଧରା ପଡି ଯାଇଥିଲା। ସେ ବିବାହିତ ଓ ତା’ର ପିଲା ଛୁଆ ଥିବା ଜାଣିପାରିଥିଲେ ପ୍ରେମିକା।
ପ୍ରେମିକଙ୍କ ପୂରା କୁଣ୍ଡଳି ଜାଣିବା ପରେ ପ୍ରେମିକା କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ମିଛ କହି ପ୍ରେମ କରୁଥିବା ପ୍ରକାଶ ସହିତ ଆଉ ଯୋଗାଯୋଗ ରଖିଲେ ନାହିଁ ପ୍ରେମିକା। ପ୍ରକାଶଙ୍କ ଫୋନ୍କୁ ଗ୍ରହଣ କରୁନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପ୍ରକାଶ। ପ୍ରେମିକାକୁ ପାନେ ଦେବା ପାଇଁ ଶପଥ ନେଇଥିଲା। ଗତ ଶନିବାର ରାତିରେ ପ୍ରକାଶ, ପ୍ରେମିକା ଶୋଇଥିବା ଘରକୁ ଧସେଇ ପଶିଥିଲା। ତା’ପରେ ପ୍ରେମିକା ମୁହଁ ଓ ବେକରେ ବାରମ୍ୱାର ଛୁରାମାଡ଼ କରି ଫେରାର ହୋଇଯାଇଥିଲା ପ୍ରକାଶ।
ପରିବାର ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ବେଲପଡା ଥାନା ପୁଲିସ ପ୍ରେମିକ ପ୍ରକାଶ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପାଗଳ ଜେଲକୁ ପଠାଇ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।